କେନ୍ଦ୍ରାପଡ଼ା : ଯିଏ ଯେତେ ଅଧିକ ପ୍ରାର୍ଥୀ ଜିତାଇବ, ଜିଲ୍ଲା ରାଜନୀତିରେ ତାଙ୍କର ଦବଦବା ସେତେ ଅଧିକ ବଢିବ । 

188

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା । ପ୍ରଥମ ଦିନରେ ମୋଟ୍ ୮ ହଜାର ୭୭୨ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଜିଲ୍ଲା ପରିଷଦ ପଦ ପାଇଁ ୨୨ଜଣ, ସମିତି ସଭ୍ୟ ପାଇଁ ୫୧୨, ସରପଂଚ ପାଇଁ ୧୧୨ ଓ ୱାର୍ଡ ମେମ୍ବର ପାଇଁ ୭ହଜାର ୧୧୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା ୨୧ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ଦିନ । ହେଲେ ରାଜନୈତିକ ସ୍ତରରେ ଚାଲିଥିବା ଛକାପଂଝା ଓ ଅନେକ ଆଶାୟୀ ରାଜନୈତିକ ଦଳଙ୍କ ଚିନ୍ତା ବଢାଇ ଦେଲେଣି । କେନ୍ଦ୍ରାପଡାରେ ପତିଆରା ଲଢେଇ ବି ବେଶ ସ୍ପଷ୍ଟ ବାରି ହୋଇ ପଡୁଛି ।

ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଜିଲ୍ଲା କେନ୍ଦ୍ରାପଡା । ଏଠି ହେଭିୱେଟଙ୍କ ମଧ୍ୟରେ ହାଇ ଭୋଲଟେଜ ଲଢେଇ । ସେ ବିରୋଧୀ ଦଳ ହେଉ ଅବା ଶାସକ, ନିଜର ଦମ୍ ଦେଖାଇବାକୁ ନେତାଙ୍କ ଭିତରେ ଏଠି ଛକାପଞ୍ଝା ।  ବିଜେଡିରେ ହେଭିୱେଟଙ୍କ ମଧ୍ୟରେ ସଫଳତାର ଶ୍ରେୟ ନେବାକୁ ହୋଇପାରେ ଲଢେଇ । କାହା ନିର୍ବାଚନ ମଣ୍ଡଳୀରେ ଦଳ ଅଧିକ ସଫଳତା ହାସଲ କରିବ ତାକୁ ନେଇ ରଣନୀତି । ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । ପଞ୍ଚାୟତରେ ମହାକାଳପଡା ଓ ପାଟକୁରାରେ ବିଜେପି ଦବଦବା ଦେଖାଇଥିଲା, ହେଲେ ସାଧାରଣ ନିର୍ବାଚନରେ ସବୁ କିଛି ନିଜ କବଜାକୁ ନେଇଥିଲା ବିଜେଡି । କେନ୍ଦ୍ରାପଡା ଜିଲ୍ଲା ରାଜନୀତିରେ ଏବେ ଅନେକ ପରିବର୍ତନ ଆସିଛି । କେନ୍ଦ୍ରାପଡା ବିଧାୟକ ଶଶୀ ବେହେରା ବିରୋଧର ସାମ୍ନା କରୁଛନ୍ତି । ସାଂସଦ ଅନୁଭବ ମହାନ୍ତି ଦଳୀୟ ସ୍ତରରେ ଅଲୋଡା ହେଲେଣି । ସେହିଭଳି ଟିକେଟ ଆଶାୟୀ, ବିଧାୟକଙ୍କ ଚିନ୍ତା ବଢାଇଲେଣି । ପ୍ରତାପ ଦେବ ହୁଅନ୍ତୁ, ଅବା ଅତନୁ ସବ୍ୟସାଚୀ ନାୟକ ଅବା ଶଶୀ ବେହେରା । ମନ୍ତ୍ରୀ ଆଶାୟୀ ଥିବା ୩ ନେତାଙ୍କ ଅଞ୍ଚଳରେ ଆଉ ଜିଲ୍ଲାରେ ବିଜେଡିର ପ୍ରଦର୍ଶନ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ।

ପଞ୍ଚାୟତ ଫଳାଫଳ ରାଜ୍ୟ ବିଜେପିରେ ବୈଜୟନ୍ତଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ୨୦୧୯ରେ ପରାଜୟ ପରେ ଏହା ତାଙ୍କର ସବୁଠାରୁ ବଡ ପରୀକ୍ଷା । ଜାତୀୟ ସ୍ତରରେ ପଦ ପଦବୀ ଥିବା ଏହି ନେତା ଜିଲ୍ଲା ରାଜନୀତିରେ କେତେ ସକ୍ରିୟ ତାର ଉତ୍ତର ଦେବ ପଞ୍ଚାୟତ ନିର୍ବାଚନ । ସେହିଭଳି ବିଜୟ କେବଳ ନିଜ ନିର୍ବାଚନ ମଣ୍ଡଳୀରେ ପଶିବେ ନା ସାରା ଜିଲ୍ଲାକୁ ନିୟନ୍ତ୍ରଣ କରିବେ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଯାହା ପଞ୍ଚାୟତ ନିର୍ବାଚନରେ ଦଳକୁ ଏଯାବତ ଶାସକ ଦଳ ଠାରୁ ପଛରେ ରଖିଛି ।

ଅନ୍ୟପଟେ ୨୦୧୭ ବେଳକୁ କଂଗ୍ରେସ ଦଳ ନିକଟରେ ଜିଲ୍ଲାରୁ ୨ ବିଧାୟକ ଥିଲେ ।  ଏହାସତ୍ତେ୍ୱ ମଧ୍ୟ ଦଳର ପ୍ରଦର୍ଶନ ପ୍ରଭାବୀ ନଥିଲା । ହେଲେ ଏବେ ଖାତା ଶୁନ୍ । ତେଣୁ ଖରସ୍ରୋତା ଆନ୍ଦୋଳନ ଏବଂ ଅନ୍ୟ ପ୍ରସଙ୍ଗକୁ ଆୟୁଧ କରି ଦଳୀୟ ନେତା ନିଜ ନିଜ ଅଂଚଳରେ ଦମ୍ ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି । ହେଭିୱେଟ ଗଣେଶ୍ୱର ବେହେରା, ଅଂଶୁମାନ ମହାନ୍ତି, ଦେବେନ୍ଦ୍ର ଶର୍ମାଙ୍କ ଭଳି ନେତା ପଂଚାୟତ ପାଇଁ ଯେଉଁ ପ୍ରସ୍ତୁତି କରିଛନ୍ତି, ତାକୁ କେତେ ସଫଳତା ମିଳୁଛି ତାଉପରେ ନଜର ଅଟକିଛି ।