କେନ୍ଦ୍ରାପଡ଼ାରେ କାହା ଖାତାକୁ ଆସିବ ଜିଲ୍ଲା ପରିଷଦ ଆସନ ? ବିଜେଡିରେ ଗୋଷ୍ଠୀ କନ୍ଦଳ ବଢିଛି, ବିରୋଧୀ ଶିବିର ଶକ୍ତିଶାଳୀ ହୋଇଛି । ଗୋଳିଆ ରାଜନୀତିରୁ କିଏ ମାରିବ ବାଜି?

197

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଏବେ ତୃଣମୂଳସ୍ତରରେ ଉଷ୍ମ ହୋଇଛି ରାଜନୀତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ଏବେ ପ୍ରତି ଦଳ ପାଇଁ ସେମିଫାଇନାଲ ସଦୃଶ ହୋଇଛି । ତେଣୁ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରି ସାଧାରଣ ନିର୍ବାଚନକୁ ଓହ୍ଲାଇବାକୁ ପ୍ରତି ରାଜନୈତିକ ଦଳ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଛି । ଆଉ ଚଳିତ ପଞ୍ଚାୟତ ନିର୍ବାଚନର ଉଷ୍ମତା ଏଥର ରାଜନୀତିର ରାଜଧାନୀ କୁହାଯାଉଥିବା କେନ୍ଦ୍ରାପଡ଼ାରେ ଅଧିକ ଦେଖିବାକୁ ମିଳିଲାଣି । ପଞ୍ଚାୟତସ୍ତରରେ ସରପଞ୍ଚ, ସଭ୍ୟ ଆସନ ପାଇଁ ଜୋରଦାର ଲଢେଇର ଅନୁମାନ କରାଯାଉଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଉପରେ ସବୁ ଦଳର ନଜର ରହିବ ବୋଲି କୁହାଯାଉଛି । କାରଣ ଚଳିତଥର କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି । ତେଣୁ ପ୍ରତି ଦଳ ଏହି ଅଧ୍ୟକ୍ଷ ପଦକୁ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି । କେନ୍ଦ୍ରାପଡ଼ାର ଗୋଳିଆ ରାଜନୀତି ମଧ୍ୟ ଅନେକାଂଶରେ ଏଥିପାଇଁ ସୁଯୋଗ ସୃଷ୍ଟି କରୁଛି ।

୩୨ଟି ଜୋନକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଗଠିତ । ଯାହା ଗତ ଦୁଇ ଦଶନ୍ଧି ଧରି ବିଜେଡି ଖାତାରେ ରହି ଆସିଛି । ୨୦୧୭ରେ ଦଳ ଏଠାରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଜିଲ୍ଲା ପରିଷଦ ସଭାପତି ପଦ ବଜାୟ ରଖିବାରେ ସକ୍ଷମ ହୋଇଥିଲା । ମୋଟ ୩୨ଟି ଜୋନରୁ ଦଳ ୨୨ଟି ଜୋନରେ ବିଜୟୀ ହୋଇଥିବା ବେଳେ ବିଜେପି ଖାତାକୁ ଆସିଥିଲା ୧୦ଟି ଜୋନ୍ । ଜିଲ୍ଲାରେ କଂଗ୍ରେସ ଦୁଇ ନମ୍ବର ଦଳ ଥିଲେ ମଧ୍ୟ କୌଣସି ଗୋଟିଏ ଜୋନରେ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲା । ଯାହା ଦଳର ସାଙ୍ଗଠନିକ ଦୁର୍ବଳତାକୁ ପଦାରେ ପକାଇଥିଲା । ଅନ୍ୟପଟେ ବିଜେପି ମହାକାଳପଡା, ପାଟକୁରା ଓ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିକୁ କଡା ଟକ୍କର ଦେବା ସହ ୧୦ ଜିଲ୍ଲା ପରିଷଦ ଜୋନ୍ ହାତେଇଥିଲା । ତେଣୁ ଏଥର ଅଧିକ ଜିଲ୍ଲା ପରିଷଦ ଜୋନରେ ବିଜୟୀ ହେବା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବା ଲକ୍ଷ୍ୟରେ ରହିଛି ଦଳ । କାରଣ ୨୦୧୭ ତୁଳନାରେ ଦଳ ଏଠାରେ ନିଜର ଶକ୍ତି ବୃଦ୍ଧି କରିବା ସହ ଆଳି ଓ ରାଜନଗରରେ ମଧ୍ୟ ନିଜ ସଙ୍ଗଠନକୁ ଆହୁରି ସୁଦୃଢ କରିଛି ବିଜେପି । ଦଳର ବଡ ଚେହେରା ଏଯାବତ ମୈଦାନକୁ ଓହ୍ଲାଇନଥିଲେ ମଧ୍ୟ ପଞ୍ଚାୟତସ୍ତରରୁ ବିଜେଡିକୁ ଘେରିବାକୁ ଯୋଜନା କରୁଛି ପଦ୍ମ ଶିବିର । ଖାସକରି ଯୁବ ଭୋଟରଙ୍କୁ ଫୋକସରେ ରଖିଛି ଦଳ । ତେବେ ବିଜେପି ପାଇଁ ଅଡୁଆ ସାଜିଛି ପୁରୁଣା-ନୂଆ ସମୀକରଣ । ଯାହା ଦଳକୁ କିଛି ମାତ୍ରାରେ ବ୍ୟାକଫୁଟକୁ ଠେଲିଛି ।

ଅନ୍ୟପଟେ କଂଗ୍ରେସ ପାଇଁ ୨୦୨୨ ପଞ୍ଚାୟତ ନିର୍ବାଚନ ଅଗ୍ନିପରୀକ୍ଷା ସଦୃଶ । ଜିଲ୍ଲାର ୩ ବିଧାନସଭା ଆସନରେ ଦଳ ଏବେ ୨ ନମ୍ବର ସ୍ଥାନରେ । ତେଣୁ ଏହି ବିଧାନସଭା ଅଧୀନରେ ଆସୁଥିବା ଜିଲ୍ଲା ପରିଷଦ ଜୋନରେ ବିଜେଡିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହେବ କଂଗ୍ରେସ । କିନ୍ତୁ ଏହି ଜୋନ୍ ଗୁଡିକରେ ବିଜୟ ସୁନିଶ୍ଚିତ କରିବାର ଦାୟିତ୍ୱ ସ୍ଥାନୀୟ ନେତାଙ୍କ ହାତରେ ରହିବ । କାରଣ ଏହି ୩ ବିଧାନସଭା ଆସନରେ ଦଳର ନେତୃତ୍ୱ ନେଉଥିବା ନେତା ପୂର୍ବରୁ ବିଧାୟକ ରହି ସାରିଛନ୍ତି । ତେଣୁ ବିଜେଡିକୁ ଚେକମେଟ ଦେବାକୁ ଏବେଠୁ କଂଗ୍ରେସ ନେତା ଗୋଟି ଚାଳନା କରିଛନ୍ତି । ବିଭିନ୍ନ କର୍ମୀ ସମ୍ମିଳନୀ ମାଧ୍ୟମରେ ଅନ୍ୟ ଦଳର କର୍ମୀଙ୍କୁ ସାମିଲ କରି କଂଗ୍ରେସର ହାତକୁ ଟାଣ କରିବାକୁ ତୃଣମୁଳସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଏହାଛଡା କଂଗ୍ରେସରେ ସେଭଳି ଗୋଷ୍ଠୀକନ୍ଦଳ ନଥିବା ବେଳେ ଦଳକୁ ଏହା ପଞ୍ଚାୟତ ନିର୍ବାଚନରେ ବେଶ ସୁହାଇବ ବୋଲି କୁହାଯାଉଛି । କିନ୍ତୁ ସ୍ଥାନୀୟ ନେତୃତ୍ୱ କିଭଳି ଭୋଟରଙ୍କୁ ପ୍ରଭାବିତ କରିପାରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିବ । ଯେହେତୁ ୨୦୧୭ରେ କ୍ଷମତାରେ ଥିବା ସତ୍ତେ୍ୱ ମଧ୍ୟ ଦଳ ପଞ୍ଚାୟତ ନିର୍ବାଚନରେ ଚିତପଟାଙ୍ଗ ମାରିଥିଲା, ତେଣୁ ୨୦୨୨ ନିର୍ବାଚନରେ ଏହାର ପୁନରାବୃତ୍ତି ଯେପରି ନହୁଏ ତାହା ଦଳ ପାଇଁ ସବୁଠୁ ବଡ ଟାସ୍କ ହେବ ।

ଏସବୁ ଭିତରେ ପୁଣିଥରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଦଖଲ କରିବା ଶାସକ ବିଜେଡି ପାଇଁ ସହଜ ହେବନି । କାରଣ ୨୦୧୭ ତୁଳନାରେ ୨୦୨୨ରେ ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି । ଜିଲ୍ଲାର ୫ ବିଧାନସଭା ଆସନରେ ବିଜେଡି ବାନା ଉଡୁଥିଲେ ମଧ୍ୟ ଶାସକ ଦଳ ବିରୋଧରେ କିଛି ମାତ୍ରାରେ ଜନ ଅସନ୍ତୋଷ ଦେଖାଦେଇଛି । ଖରସ୍ରୋତା ପ୍ରକଳ୍ପକୁ ନେଇ ଆଳି ନିର୍ବାଚନମଣ୍ଡଳୀରେ ଶାସକ ବିଜେଡି ବିରୋଧରେ ଜନ ଅସନ୍ତୋଷ ରହିଥିବା ବେଳେ କେନ୍ଦ୍ରାପଡ଼ାରେ ବିଧାୟକ-ପୂର୍ବତନ ବିଧାୟକଙ୍କ ମଧ୍ୟରେ ସବୁକିଛି ଠିକ୍ ନଥିବା କୁହାଯାଉଛି । ଏପରିକି ପୂର୍ବତନ ବିଧାୟକ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଯାହା ଦଳକୁ ବ୍ୟାକଫୁଟକୁ ଠେଲିପାରେ । ସେହିଭଳି ପାଟକୁରା ବିଜେଡିରେ ଗୋଷ୍ଠୀ କନ୍ଦଳ ଏବେ ଚରମସୀମାରେ ପହଞ୍ଚିଛି । ବିଧାୟିକାଙ୍କ ବିରୋଧରେ ଦଳରେ ଏକ ପ୍ରଭାବଶାଳୀ ଗୋଷ୍ଠୀ ମେଳି କରିଥିବା ଚର୍ଚ୍ଚା ହେଉଛି । ତେଣୁ ଏଠାରେ ଦଳ କାହା କଥା ଅନୁସାରେ ପ୍ରାର୍ଥୀ ବାଛିବ ତାହା ସବୁଠୁ ବଡ ପ୍ରଶ୍ନ । ଏହାବାଦ୍ ରାଜନଗର ନିର୍ବାଚନମଣ୍ଡଳୀରେ ମଧ୍ୟ ବିଜେଡିକୁ ସମଦଶା ଭୋଗିବାକୁ ପଡିପାରେ । କାରଣ ବିଜେଡିରେ ଅନ୍ତଃକନ୍ଦଳ ବହୁମାତ୍ରାରେ ରହିଥିବା କୁହାଯାଉଛି । ଯାହା ଉପରକୁ ଜଣା ପଡୁନଥିଲେ ମଧ୍ୟ ଭିତରେ ଏହା ଉଗ୍ର ରୂପ ନେଇପାରେ । ଏପରିକି ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ ବିଦ୍ରୋହ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା କୁହାଯାଉଛି । ତେଣୁ ଏଭଳି ଏକ ସ୍ଥିତିରେ ପୁଣିଥରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବା ଦଳ ପାଇଁ ଏତେ ସହଜ ହୋଇନପାରେ ।

ଏହାବାଦ୍ ଚଳିତ ଜିଲ୍ଲା ପରିଷଦ ଆସନ ଅନୁସୂଚିତ ଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି । ଯେହେତୁ ରାଜନଗର, କେନ୍ଦ୍ରାପଡ଼ା ଓ ପାଟକୁରା ବିଧାନସଭା ଆସନ ଅଧିନରେ ଅନୁସୂଚିତ ଜାତି (ମହିଳା)ଙ୍କ ପାଇଁ ଜିଲ୍ଲା ପରିଷଦ ଜୋନ୍ ଆସନ ସଂରକ୍ଷିତ ରହିଛି, ତେଣୁ ଏଠାରେ ଥିବା ବିଧାୟକଙ୍କ ପ୍ରଭାବ ଯଥେଷ୍ଟ ଅଧିକ ରହିବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଏକ ପ୍ରଭାବଶାଳୀ ପଦବୀ ହୋଇଥିବାରୁ ଏହା ମାଧ୍ୟମରେ ଜିଲ୍ଲା ରାଜନୀତିରେ ପ୍ରଭାବ ବିସ୍ତାର କରିବାକୁ ୩ ବିଧାୟକ ନିଜ ସ୍ତରରେ ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ତେବେ ଏହି ରେସରେ ଆଗରେ ରହିଛନ୍ତି ଉଭୟ ରାଜନଗର ଓ ପାଟକୁରା ବିଧାୟକ । କାରଣ ପୂର୍ବରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଥରେ ପାଇସାରିଛି କେନ୍ଦ୍ରାପଡ଼ା । ତେଣୁ ଏଥର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇ ଦଳରେ ନିଜର କାଟତି ବଢାଇବା ଲକ୍ଷ୍ୟରେ ପାଟକୁରା ଓ ରାଜନଗର ବିଧାୟକ ରହିଥିବା ଦଳୀୟ ଶିବିରରେ ଚର୍ଚ୍ଚା ହେଉଛି । କିନ୍ତୁ ଦଳ ଭିତରେ ଯଦି ଏଭଳି ଶୀତଳଯୁଦ୍ଧ ଲାଗି ରହିଥାଏ ତେବେ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବହୁ ମୂଲ୍ୟ ଦେବାକୁ ପଡିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କାରଣ ୨୦୧୭ ତୁଳନାରେ ବିରୋଧୀ ଅଧିକ ଶକ୍ତିଶାଳୀ ହୋଇଥିବା ବେଳେ ଶାସକ ବିଜେଡି ବିରୋଧରେ ଜନ ଅସନ୍ତୋଷ ବଢିଛି ।