ପଞ୍ଚାୟତ ନିର୍ବାଚନ ୨୦୨୨ : ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ ।

105

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଛି । ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପଦପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ନାମାଙ୍କନପତ୍ର ଦାଖଲର ଆଜି ପ୍ରଥମ ଦିନ ହୋଇଥିବା ବେଳେ ଗୋଟିଏ ଦିନରେ ୮୭୭୨ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ସରପଞ୍ଚ ପଦବୀ ପାଇଁ ୧୧୨୨ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୱାର୍ଡମେମ୍ବର ପାଇଁ ୭୧୧୬ ଜଣ, ସମିତି ସଭ୍ୟ ପାଇଁ ୫୧୨ ଓ ୨୨ ଜଣ ଜିଲ୍ଲା ପରିଷଦ ସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଆଉ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ  ହେବା ପରେ ୨୫ ତାରିଖ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର ହୋଇପାରିବ । ଆଉ ୨୫ ତାରିଖରେ ହିଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଫେବ୍ରୁଆରୀ ୧୬ରୁ ୨୪ ମଧ୍ୟରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଆଜି କିଛି ସ୍ଥାନରେ ଉତ୍ତେଜନା ଦେଖିବାକୁ ମିଳିଛି ।