କନକ ବ୍ୟୁରୋ : କୁହାଯାଏ ପ୍ରେମ ଓ ରାଜନୀତିରେ ସବୁ କିଛି ସମ୍ଭବ । ଏହି ଉକ୍ତିର ସତ୍ୟତା ଏବେ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳୁଛି । ରାଜନୀତିର ପଶାପାଲିରେ ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ସମ୍ବଲପୁରର ଯୁଯୁମରାରା ଲିପିଣ୍ଡା ପଂଚାୟତରେ ସରପଞ୍ଚ ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି ସ୍ୱାମୀ-ସ୍ତ୍ରୀ ।
ପଞ୍ଚାୟତ ନିର୍ବାଚନ ପାଇଁ ଗୋଟିଏ ପରିବାରରୁ ଏକାଧିକ ଲୋକ ଗୋଟିଏ ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା କଥା ଶୁଣିଥିବେ । ହେଲେ ରାଜ୍ୟର ଦୁଇଟି ସ୍ଥାନରୁ ଗୋଟିଏ ପଦ ପାଇଁ ସ୍ୱାମୀ-ସ୍ତ୍ରୀ ପ୍ରାର୍ଥୀ ହେବା ଖବର ଆସିଛି । ସରପଞ୍ଚ ପାଇଁ ସ୍ୱାମୀ-ସ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି ଯୁଯୁମରାରା ଲିପିଣ୍ଡା ପଂଚାୟତରେ । ଏହି ଦମ୍ପତି ହେଲେ ଫ୍ରଫୁଲ୍ଲ ମିର୍ଦ୍ଧା ଓ ତାଙ୍କ ସ୍ତ୍ରୀ ମୁନମୁନ ମାଝି । ପ୍ରଫୁଲ୍ଲ ବ୍ଲକ ଉପାଧ୍ୟକ୍ଷ ରହିବା ସହ ଲିପିଣ୍ଡା ପଂଚାୟତର ସରପଞ୍ଚ ମଧ୍ୟ ରହିଛନ୍ତି । ଜିଲ୍ଲାପରିଷଦ ନିର୍ବାଚନରେ ଲଢିବା ପାଇଁ ପ୍ରଫୁଲ୍ଲଙ୍କୁ ଟିକେଟ ମିଳିଥିଲେ ବି ସେ ଏହାକୁ ମନା କରି ସରପଞ୍ଚ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ସ୍ତ୍ରୀ ମୁନମୁନ ମାଝି ବି ସରପଞ୍ଚ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଉଭୟଙ୍କ ପ୍ରାର୍ଥୀପତ୍ର ବି କାଏମ ରହିଛି ।
ସରପଞ୍ଚ ପଦବୀ ପାଇଁ ଗୋଟିଏ ପଂଚାୟତରେ ସ୍ୱାମୀ-ସ୍ତ୍ରୀ କରୁଛନ୍ତି ପ୍ରତିଦ୍ୱନ୍ଦିତା । ଏଭଳି ଏକ ଘଟଣା ସାମ୍ନାକୁ ଆସଥିଲା ଅନୁଗୁଳର ଜାମୁନାଳି ପଂଚାୟତରେ । ପଂଚାୟତର ବସନ୍ତ ପ୍ରଧାନ ଓ ତାଙ୍କ ସ୍ତ୍ରୀ ସୂର୍ଯ୍ୟଲତା ପ୍ରଧାନ ନାମାଙ୍କନର ଶେଷଦିନରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଉଭୟଙ୍କ ପ୍ରାର୍ଥୀପତ୍ର ବି କାଏମ ରହିଥିଲା । ତେବେ ପରିବାରରେ ନିଷ୍ପତି ପରେ ସ୍ତ୍ରୀଙ୍କୁ ସହଯୋଗ କରିବାକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି ବସନ୍ତ ପ୍ରଧାନ ।