ପଞ୍ଚାୟତ ଫାଇଟ୍: ‘ଗେରୁଆ ଗଡ଼’ ହୋଇ ରହିବ କି ଦେବଗଡ଼? ନା ‘ଶଙ୍ଖ’ ଶୁଭିବ, ନା ‘ହାତ’ ଉଠିବ?

236

କନକ ବ୍ୟୁରୋ: ପଞ୍ଚାୟତ ଲଢ଼େଇରେ ସବୁଠି ପ୍ରତିଦ୍ୱନ୍ଦୀଙ୍କ ଭିତରେ ଘାମାଘୋଟ୍ ଟକ୍କର ଦେଖିବାକୁ ମିଳେ । ଏପରିକି ଏମିତି କିଛି ଜିଲ୍ଲା ଅଛି ଯାହା ବିଭନ୍ନ ଦଳର ଅଭେଦ୍ୟ ଗଡ଼ ଭଳି ରହିଆସିଛି । ସେଥିମଧ୍ୟରୁ ଦେବଗଡ଼ ପଲିଟିକ୍ସର ପଶାପାଲିରେ ‘ପଦ୍ମ’ ବିରୋଧୀଙ୍କୁ ପଛରେ ପକାଇ ସବୁବେଳେ ଫୁଟି ଚାଲିଛି । ଦେବଗଡ ଜିଲ୍ଲା ପରିଷଦ ପାଇଁ ମୋଟ୍ ୫ ଥର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ନିର୍ବାଚନ ୧୯୯୭ରେ ଏହା କଂଗ୍ରେସ ସପକ୍ଷରେ ଯାଇଥିଲା । ପ୍ରଥମ ଅଧ୍ୟକ୍ଷା ଭାବେ ପ୍ରଫୁଲ୍ଲି ପାତ୍ର ୨୦୦୨ ପର୍ଯ୍ୟନ୍ତ ଅକ୍ତିଆର କରିଥିଲେ । ପରେ ୨୦୦୨ରେ ଅନୁଷ୍ଠିତ ଦି୍ୱତୀୟ ନିର୍ବାଚନରେ ଦେବଗଡ ଜିଲ୍ଲାପରିଷଦ ବିଜେପି ଖାତାକୁ ଯାଇଥିଲା । ଆଉ ଅଧ୍ୟକ୍ଷ ଭାବେ ରଂଜିତ ପଟେଲ ୨୦୦୭ ପର୍ଯ୍ୟନ୍ତ ରହିଥିଲେ ।

ସେହିପରି ୨୦୦୭ରେ ଅନୁଷ୍ଠିତ ତୃତୀୟ ନିର୍ବାଚନରେ ଦେବଗଡ ଜିଲ୍ଲାପରିଷଦ ପୁଣିଥରେ ବିଜେପି ହାତକୁ ଯାଇଥିବା ବେଳେ ଅଧ୍ୟକ୍ଷ ଭାବେ ଇଂ ବିଦ୍ୟାଧର ପ୍ରଧାନ ଗାଦିସୀନ ହୋଇଥିଲେ । କିନ୍ତୁ ୨୦୧୨ରେ ବଦଳିଥିଲା ରାଜନୀତିର ରଣନୀତି । ଚତୁର୍ଥ ଥର ନିର୍ବାଚନରେ ବିଜେଡି ସମସ୍ତ ୭ଟି ଜିଲ୍ଲାପରିଷଦ ଆସନ ଦଖଲ କରି ପତିଆରା ଜାହିର କରିଥିବାବେଳେ ୨୦୧୭ ପର୍ଯ୍ୟନ୍ତ ଅଧ୍ୟକ୍ଷାଭାବେ ସୁଷମା ବେହେରା ବସିଥିଲେ । କିନ୍ତୁ ୨୦୧୭ରେ ପୁଣି ନିଜ ଗଡକୁ ଫେରାଇ ଆଣିବା ପାଇଁ ବଳ କଷିିଥିଲା ବିଜେପି । ତେଣୁକରି ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ୭ ଜିଲ୍ଲା ପରିଷଦ ଆସନରୁ ବିଜେପି ୬ଟି ଆସନରେ ବିଜୟୀ ହୋଇ ଜିଲ୍ଲା ପରିଷଦ ଦଖଲ କରିଥିବା ବେଳେ ଅଧ୍ୟକ୍ଷା ଭାବେ ସୁଧାମୟୀ ପଟେଲ ନିର୍ବାଚିତ ହୋଇଥିଲେ । ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜୟ ଧାରା ବଜାୟ ରଖିବାକୁ ବିଜେପି ଉଦ୍ୟମ ଜାରି ରଖିଛି । ବିଜେପି ନେତା ତଥା ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଯୋଜନା କୁ ବିଫଳ ଯୋଜନା ଦର୍ଶାଇବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ବିଭିନ୍ନ ଯୋଜନା ଲୋକେ ଗ୍ରହଣ କରୁଥିବା କହିଛନ୍ତି । ତେଣୁ ବିଜେପି ସମସ୍ତ ୭ଟି ଜିଲ୍ଲାପରିଷଦ ଆସନରେ ବିଜୟୀ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଦେବଗଡ଼କୁ ‘ଗେରୁଆ ଗଡ଼’ କରିବାକୁ ବିଜେପି ସଜବାଜ ହେଉଥିବା ବେଳେ ବିଜେଡି ୨୦୧୨ର ଫଳାଫଳକୁ ରିପିଟ୍ କରିବା ପାଇଁ ଅଣ୍ଟା ଭିଡ଼ିଛି । ଏନେଇ ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ବିଜେଡି ଏଥର ବାଜି ମାରିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି । ଜିଲ୍ଲାରେ କ୍ଷମତାସୀନ ଥିବା ବିଜେପି ବିଧାୟକ ଓ ସାଂସଦଙ୍କ ଜନବିରୋଧି ନୀତି ଓ ଭୋଟ୍ ବେଳେ ଦେଇଥିବା ମିଥ୍ୟା ପ୍ରତିଶୃତିକୁ ଲୋକଙ୍କୁ ଜଣାଇବା ସହ ରାଜ୍ୟ ସରକାରଙ୍କ ସଫଳତାକୁ ପହଞ୍ଚାଉଛନ୍ତି । ତେଣୁ ଏଥର ବିଜେପି ଧରାଶାୟୀ ହେବ ବୋଲି ଜିଲ୍ଲା ବିଜେଡି ସଭାପତି କହିଛନ୍ତି । ଏପଟେ କଂଗ୍ରେସ ମଧ୍ୟ ‘ପଦ୍ମ’କୁ ପଛରେ ପକାଇ, ‘ଶଙ୍ଖ’କୁ ଫୁଙ୍କିବାକୁ ଦେବନି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି । ବିଜେଡି ଓ ବିଜେପି ଅର୍ଥ ବଳରେ ନିର୍ବାଚନ ବୈତରଣୀ ପାର ହେଉଥିବା କହି କଂଗ୍ରେସ ଲୋକଙ୍କ ଦଳ ପ୍ରତିଥିବା ଭରସା ଓ ବିଶ୍ୱାସକୁ ନେଇ ବିଜୟ ହେବ । ଆଉ ଏନେଇ ଦମ୍ଭୋକ୍ତି ବାଢ଼ିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ଉମା ଶଙ୍କର ସାହୁ ।

ତେବେ ଜିଲ୍ଲାର ୩ଟି ବ୍ଲକ ରେ ଫେବୃୟାରୀ ୧୬,୧୮ ଓ ୨୦ ତାରିଖରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ୭ଟି ଜିଲ୍ଲା ପରିଷଦ ଆସନ ,୭୦ ସରପଞ୍ଚ,୭୦ ସମିତି ସଭ୍ୟ ଓ ୮୩୬ ଜଣ ୱାର୍ଡ ମେମ୍ବର ପଦବୀ ପାଇଁ ୨ଲକ୍ଷ ୨୩ହଜାର ୨୦୩ ଜଣ ମତଦାତା ତାଙ୍କର ମତାଧିକାର ସାବ୍ୟସ୍ଥ କରିବେ । ଆସନ୍ତା ଫେବୃୟାରୀ ୧୬ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ରିଆମାଳ ବ୍ଲକର ୨୬ଟି ପଂଚାୟତରେ ୨ଟି ଜିଲ୍ଲା ପରିଷଦ ,୨୬ଟି ଲେଖାଏଁ ସରପଂଚ ଓ ସମିତି ସଭ୍ୟ ଏବଂ ୩୧୨ଟି ୱାର୍ଡ ମେମ୍ବର ପଦବୀ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ । ସେହିପରି ୧୮ ତାରିଖ ଦିନ ଦ୍ୱିତୀୟ ପର୍ଯ୍ୟାୟରେ ବାରକୋଟ ବ୍ଲକର ୨୪ଟି ପଂଚାୟତରେ ୩ଟି ଜିଲ୍ଲା ପରିଷଦ ,୨୪ଟି ଲେଖାଏଁ ସରପଞ୍ଚ ଓ ସମିତି ଏବଂ ୨୯୬ଟି ୱାର୍ଡ ମେମ୍ବର ପଦବୀ ପାଇଁ ଭୋଟ୍ ପଡ଼ିବ । ଆଉ ୨୦ ତାରିଖ ଦିନ ତୃତୀୟ ପର୍ଯ୍ୟାୟରେ ତିଲେଇବଣୀ ବ୍ଲକର ୧୫ ଟି ପଞ୍ଚାୟତରେ ୨ଟି ଜିଲ୍ଲାପରିଷଦ ୧୫ ଟିଲେଖାଏଁ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୧୭୩ ଟି ୱାର୍ଡ ମେମ୍ବର ପଦବୀ ପାଇଁ ମତାଧିକାର ସାବ୍ୟସ୍ତ କରିବେ ଭୋଟର ।

ସବୁଠାରୁ ରୋଚକ ବିଷୟ ହେଉଛି ଯେ, ନୋ ନେଟୱାର୍କ ନୋ ଭୋଟ୍ ପାଇଁ ତିଲେଇବଣୀ ବ୍ଲକର ଝରାଗୋଗୁଆ, ଗଣ୍ଡମ, ପାରପୋଷି, ଝାରମୁଣ୍ଡା ଓ ଡିମିରିକୁଦା ଆଦି ପଞ୍ଚାୟତର ୫ ସରପଞ୍ଚ, ସମିତି ସଭ୍ୟ ଓ ୫୫ଜଣ ୱାର୍ଡ ମେମ୍ବର ପାଇଁ ନାମାଙ୍କନ ହୋଇନଥିବାରୁ ଏହିସବୁ ପଞ୍ଚାୟତରେ ନିର୍ଦ୍ଧାରିତ ତାରିଖରେ ଭୋଟ ଗ୍ରହଣ କରାଯିବ ନାହିଁ । ତେଣୁ ଏହା କାହାକୁ ଫାଇଦା ଦେବ ତାହା ଏବେଠୁ ଆକଳନ କରିବା ମୁସ୍କିଲ । ଦେଖିବା ପଞ୍ଚାୟତ ଫାଇଟରେ ଦେବଗଡ଼ ପୁଣି ‘ଗେରୁଆ ଗଡ଼’ ବନି ରହୁଛି ନା ବିରୋଧଙ୍କ ଗୁଗୁଲୀରେ ବୋଲ୍ଡ ହେବାକୁ ଯାଉଛି? ଦୁର୍ବଳ ଥିବା ‘ହାତ’ ପୁଣି ବଳ ଜୁଟାଇ ଲଢ଼େଇ କରିବାକୁ ସକ୍ଷମ ହେବ ତ? ଏସବୁର ଅଙ୍କକଷା ଏବେ ପଲିଟିକ୍ସର ପଣ୍ଡିତମାନେ ଆରମ୍ଭ କରିଦେଲେଣି ।