କନକ ବ୍ୟୁରୋ: ମୁଁ ଦେହରୁ ଦିବ୍ୟାଙ୍ଗ ସତ ହେଲେ ମନରୁ ନୁହେଁ । ମୁଁ ଜୀବନ ଯୁଦ୍ଧରେ ହାରିନି, ନିର୍ବାଚନ ଯୁଦ୍ଧରେ ବି ହାରିବି ନାହିଁ । ଯେତେ କଷ୍ଟ ହେଉ, ଯେତେ ସମସ୍ୟା ଆସୁ ଆପଣଙ୍କ ସେବା ପାଇଁ ମୁଁ ସଙ୍ଘର୍ଷ କରିବି । ଦୁର୍ଗମ ଅଞ୍ଚଳରେ ସୁବିଧା ପହଞ୍ଚାଇବାକୁ, ଦୁଃଖ ଦୂର କରିବାକୁ ବ୍ୟବସ୍ଥା ସହ ଲଢେଇ କରିବି... ମତେ ବିଶ୍ୱାସ କରନ୍ତୁ ମୁଁ ଆପଣଙ୍କ ସୁଖ, ଦୁଃଖରେ ସାରଥୀ ସାଜିବି...

Advertisment

ଦୁର୍ଗମ ଅଞ୍ଚଳରେ ଯେତେବେଳେ ସମସ୍ୟା ଦୂର ହୋଇ ପାରୁନି । ହଜାର ହଜାର ଯୋଜନା ଥାଇ ବି ଆଦିବାସୀ ଇଲାକାରେ ସରକାରୀ ସୁବିଧା ପହଞ୍ଚି ପାରୁନି । ଠିକ୍ ସେତେବେଳେ ନିଜ ଅଞ୍ଚଳର ବିକାଶ ପାଇଁ ନିଜ ଅଞ୍ଚଳବାସୀଙ୍କ ଦୁଃଖ ଦୂର କରିବା ପାଇଁ ନିଜେ ଅଣ୍ଟା ଭିଡିଛନ୍ତି ଦିବ୍ୟାଙ୍ଗ ଯୁବକ । ପୂର୍ବରୁ ଘର ଘର ବୁଲି ଲୋକଙ୍କ ସେବା କରନ୍ତି ଏଥର କିନ୍ତୁ ସେବାକୁ ଅଧିକ ତ୍ୱରାନ୍ୱିତ କରିବାକୁ ସେ ସରପଞ୍ଚ ପ୍ରାର୍ଥୀ ସାଜିଛନ୍ତି । ଜଣେ ଦିବ୍ୟାଙ୍ଗ ହୋଇ ବି ସେ ହାର୍ ମାନି ନାହାନ୍ତି ।

ହାତରେ ଗୋଟିଏ ବାଡି, ଆଉ ଗୋଟିଏ ଗୋଡ ସାହାଯ୍ୟରେ ଗାଁ ଗାଁ ବୁଲି ଲୋକଙ୍କୁ ଭୋଟ ମାଗୁଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ । ରାୟଗଡା ହଲୁଆ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି ନାଗାର୍ଜୁନ ବିଡିଆ । ବୟସ ୨୫ ବର୍ଷ । ନାଗାର୍ଜୁନ ଜନ୍ମରୁ ଦିବ୍ୟାଙ୍ଗ । ତାଙ୍କର ଡାହାଣ ଗୋଡ ପୋଲିଓ ଆକ୍ରାନ୍ତ । ତେଣୁ ସେ ଖଣ୍ଡିଏ ବାଡି ସାହାଯ୍ୟରେ ଚାଲି ପାରନ୍ତି , ବୁଲି ପାରନ୍ତି । ଆଉ ଏହି ଖଣ୍ଡିଏ ବାଡି ସାହାଯ୍ୟରେ ହିଁ ସେ ଏଥର ନିର୍ବାଚନ ଲଢିବାକୁ ସାହସ ଜୁଟାଇଛନ୍ତି । ଆମ ଆଦମୀ ପାର୍ଟି ସମର୍ଥନରେ ସେ ସରପଞ୍ଚ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ।
ତେବେ ସେ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ମନରେ ଅଗାଢ ଆଶା ଓ ଲୋକଙ୍କ ପାଇଁ କିଛି କରିବାର ପ୍ରୟାସ ନେଇ ନିର୍ବାଚନରେ ଲଢୁଥିବା ବେଳେ ଗୋଟିଏ ଗୋଡରେ ଘର ଘର ବୁଲି ପ୍ରଚାରକୁ ଜୋରଦାର କରିଛନ୍ତି । ଲୋକଙ୍କୁ ନିଜ ଚିହ୍ନ ଦେଖାଇ ତାଙ୍କୁ ଜିତାଇବାକୁ ଅନୁରୋଧ କରୁଛନ୍ତି ।

ହାଲୁଆ ପଞ୍ଚାୟତର ଅନେକ ଗାଁ ଅଛି ଯେଉଁଠି ସ୍ୱାଧୀନତାର ୭୫ ବର୍ଷ ପରେ ବି ମୌଳିକ ସୁବିଧା ପହଞ୍ଚି ନାହିଁ । ଯେଉଁମାନେ ଅବହେଳିତ, ସରକାରୀ ସୁବିଧାରୁ ବଞ୍ଚିତ ସେମାନଙ୍କୁ ସେମାନଙ୍କ ହକ ଫେରାଇ ଦେବାକୁ ଏଥର ଦୁର୍ଗମ ଅଞ୍ଚଳର ପ୍ରାର୍ଥୀ ବନିଛନ୍ତି ନାଗାର୍ଜୁନ । ତେବେ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ମନସ୍ଥ କରିଥିବା ଦିବ୍ୟାଙ୍ଗ ପ୍ରାର୍ଥୀ ନାଗାର୍ଜୁନ ଯେତେ କଷ୍ଟ ହଉ ପଛେ ମୁଁ ପଛଘୁଞ୍ଚା ଦେବି ନାହିଁ ବୋଲି କହିଛନ୍ତି । ତେବେ ଦେଖିବାର ବାକି ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଏ ସ୍ୱପ୍ନ କେତେ ସତ ହେଉଛି ।