ସଲାସୁତୁରା କରି ମଇଦାନରୁ ଓହରିଗଲେ ପ୍ରାର୍ଥୀ ! ନେତାଙ୍କ ଉପରେ ସନ୍ଦେହ କଲେ ଜନତା ।

113

କନକ ବ୍ୟୁରୋ : ସରପଞ୍ଚ ପଦ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଆରମ୍ଭ ହୋଇଛି ବିବାଦ । ବରଗଡ ରେମନ୍ତା ପଞ୍ଚାୟତରେ ୫ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି ୪ ପ୍ରାର୍ଥୀ । ଫଳରେ ଆଉ ଜଣେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସଲାସୁତୁରା କରି ପ୍ରାର୍ଥିପତ୍ର ପ୍ରତ୍ୟାହାର ଅଭିଯୋଗ କରି ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଧାରଣା ଦେଇଛନ୍ତି ପଞ୍ଚାୟତବାସୀ । ସେପଟେ କାଲିମେଳା ଜିଲ୍ଲା ପରିଷଦ ଦୁଇ ନମ୍ବର ଜୋନ ପ୍ରାର୍ଥୀପତ୍ର ପତ୍ୟାହାର ଘଟଣାରେ ଗୃହରକ୍ଷୀଙ୍କ ବିରୋଧରେ ଏତଲା ହୋଇଛି ।

ସଲାସୁତୁରା କରି ମଇଦାନରୁ ଓହରିଗଲେ ପ୍ରାର୍ଥୀ ! ମୌଳିକ ଅଧିକାରରୁ ବଞ୍ଚିତ ଗ୍ରାମବାସୀ । ପ୍ରତିବାଦରେ ଶୋଭାଯାତ୍ରା, ଧାରଣା । ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ପ୍ରଚାର ଜମି ଆସୁଥିବାବେଳେ ବରଗଡ ବରପାଲି ବ୍ଳକ ରେମନ୍ତା ପଞ୍ଚାୟତରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ସରପଞ୍ଚ ପଦ ପାଇଁ ୫ଜଣ ନାମାଙ୍କନ ଦାଖଲ କରିଥିବାବେଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି ୪ ପ୍ରାର୍ଥୀ । ଆଉ ଜଣେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏହା ଜଣାପଡିବା ପରେ ତାତି ଉଠିଛନ୍ତି ଗ୍ରାମବାସୀ । ଟଙ୍କା ନେଇ ନାମାଙ୍କନ ପ୍ରତ୍ୟାହାର କରିଥିବା ଅଭିଯୋଗ ହୋଇଛି । ଭୋଟଦାନ ଭଳି ମୌଳିକ ଅଧିକାରରୁ ବଞ୍ଚିତ ହେବା ପ୍ରତିବାଦରେ ଶୋଭଯାତ୍ରା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଧାରଣା ଦେଇଛନ୍ତି ।

ଅନ୍ୟପଟେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବା ପ୍ରାର୍ଥୀ ଟଙ୍କା ନେବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଚର୍ଚ୍ଚାରେ କାଲିମେଳା ଜିଲ୍ଲା ପରିଷଦ ଦୁଇ ନମ୍ବର ଜୋନ । ପ୍ରାର୍ଥୀପତ୍ର ପତ୍ୟାହାର ଘଟଣାରେ ଗୃହରକ୍ଷୀଙ୍କ ବିରୋଧରେ ଏତଲା କାଲିମେଳା ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ସୁଧିର ସ୍ୱାଇଁ ଜୋନ-୨ ବିଜେପି ପ୍ରାର୍ଥୀ ରିନା କୱାସୀ ଓ ତାଙ୍କ ବାପାଙ୍କୁ ୧୦ ଲକ୍ଷ ଟଙ୍କାର ଲୋଭ ଦେଖାଇ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଇଥିବା ଅଭିଯୋଗ କରିଥିଲେ ରିନାଙ୍କ ଭାଇ ଭିମା କୱାସୀ । ଏନେଇ ଖବର ପ୍ରସାରଣ ପରେ ସୁଧୀରଙ୍କ ନାଁରେ କାଲିମେଳା ଥାନାରେ ମାଲକାନଗିରି ବିଜେପି ପକ୍ଷରୁ ଏତଲା ଦିଆଯାଇଛି । ସୁଧୀରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ କାଲିମେଳା ଜୋନ-୨ରେ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି ହୋଇଛି ।

ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅନୁସୁଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଆଉ ୨ ନମ୍ବର ଜୋନ ଅନୁସୂଚିତ ଜନଜାତି ମହିଳା ସଂରକ୍ଷିତ ଆସନ ହୋଇଥିବାରୁ ଏହା ଉପରେ ରହିଛି ସମସ୍ତ ରାଜନୈତିକ ଦଳର ନଜର ।