ଝାରସୁଗୁଡ଼ା ରାଜନୀତିରେ ଝଡ଼, ତିନି ଦଳକୁ ଅଡୁଆ କରିପାରେ ଅନ୍ତଃକନ୍ଦଳ?

Advertisment
ଝାରସୁଗୁଡ଼ା ରାଜନୀତିରେ ଝଡ଼, ତିନି ଦଳକୁ ଅଡୁଆ କରିପାରେ ଅନ୍ତଃକନ୍ଦଳ?

କନକ ବ୍ୟୁରୋ: ବ୍ୟାଟେଲ ଗ୍ରାଉଣ୍ଡ ଫିଟ୍, ଏବେ ଖାଲି ୨୫କୁ ଅପେକ୍ଷା । କାରଣ ଆସନ୍ତା ମଙ୍ଗଳବାର ଆସିବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । କିନ୍ତୁ ପଞ୍ଚାୟତ ଫାଇଟରେ ବିଭିନ୍ନ ଦଳକୁ କାଳ ଦଳୀୟ ଅନ୍ତଃକନ୍ଦଳ । ଯେମିତି କି ଝାରସୁଗୁଡ଼ା ଏକଦା କଂଗ୍ରେସର ଦୁର୍ଗ ଥିଲା । ଜିଲ୍ଲାରେ ଥିବା ଦୁଇଟି ବିଧାନସଭା ଆସନ ଅଧିକାଂଶ ଥର କଂଗ୍ରେସର ଦଖଲରେ ରହିଥିବାବେଳେ ୧୯୯୭ରେ ଜିଲ୍ଲା ପରିଷଦ ଗଠନ ହେବା ପରଠାରୁ ୨୦୧୭ ପର୍ଯ୍ୟନ୍ତ ଏଠାରେ କଂଗ୍ରେସ ଅପରାଜେୟ ରହୁଥିଲା । ୨୦୧୭ରେ ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଆସନରୁ ୮ଟି କଂଗ୍ରେସ ବିଜୟୀ ହୋଇଥିବା ବେଳେ ଦଳ ପକ୍ଷରୁ ଲକ୍ଷ୍ମୀ ନାରାୟଣ ପଟେଲ ଅଧ୍ୟକ୍ଷ ହୋଇଥିଲେ କିନ୍ତୁ ବିଧାୟକ ନବକିଶୋର ଦାସ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସହିତ ସମସ୍ତ ୮ ଜଣ ସଦସ୍ୟ ବିଜୁ ପରିବାର ରେଯୋଗଦେବା ‘ହାତ’କୁ ଦୁର୍ବଳ କରିଦେଲା । ଫଳରେ ଏହା କଂଗ୍ରେସ ଗଡ଼ରୁ ବିଜେଡି ଗଡ଼ରେ ପରିଣତ ହୋଇଗଲା । ସେବେଠାରୁ କଂଗ୍ରେସ ଅସ୍ତିତ୍ୱ ପାଇବାକୁ ସଂଘର୍ଷ କରୁଛି । ଅନ୍ୟପଟେ ବୋଝ ଉପରେ ନଳିତା ବିଡ଼ା ଭଳି ଅନ୍ତଃକନ୍ଦଳ ଦଳକୁ ଆହୁରି ବ୍ୟାକ୍ ଫୁଟକୁ ଠେଲି ଦେଉଛି ।

ସେପଟେ ଝାରସୁଗୁଡ଼ା ଜିଲ୍ଲାରେ ବିଜେପିର ପ୍ରମୁଖ ନେତାଙ୍କ ଭିତରେ ଅନ୍ତଃକନ୍ଦଳ ଲାଗିରହିଛି ।ବିବାଦ ଏତେ ଘନେଇଛି ଯେ ଖୋଦ୍ ସାଂସଦ ସୁରେଶ ପୂଜାରୀ ଅନ୍ତଃକନ୍ଦଳକୁ ବାସନ ବାଜିବା ସହ ତୁଳନା କରିସାରିଛନ୍ତି । ବିଗତ ଦିନରେ ଝାରସୁଗୁଡ଼ାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାଂସଦ ଏମିତି ବି କହିଥିଲେ ‘ଅନ୍ତଃକନ୍ଦଳକ ନେଇ ଭାରତୀୟ ଜନତା ପାର୍ଟି ସଫଳତାର ସହ ଅତୀତରେ ଲଢ଼ିଛି । ଘରେ ପରିବାର ସଂଖ୍ୟାବଢ଼ିଲେ ବାସନ କୁସନ ବାଜେ’ । ତେଣୁ ଏହାକୁ କେମିତି ଆମ ଘର ଭିତରେ ବୁଝାମଣା କରାଯିବ ତାହା ଦଳୀୟ ବ୍ୟାପାର । ତେବେ ପଞ୍ଚାୟତ ମତଦାନ ପୂର୍ବରୁ ‘ପଦ୍ମ’ ଦଳରେ ଘାଣ୍ଟି ହେଉଥିବା ପଙ୍କକୁ କେମିତି ସଫା କରିବେ ଶୀର୍ଷ ନେତା ତାହା ଏବେ ବି ପ୍ରଶ୍ନବାଚୀ?

ଅନ୍ୟପକ୍ଷେ ଶାସକ ବିଜେଡି କିନ୍ତୁ ବିଜେପି ଓ କଂଗ୍ରେସର ଗୋଷ୍ଠୀ କନ୍ଦଳ ଫାଇଦା ଉଠାଇବାକୁ ଗୋଡ଼ କାଢ଼ି ବସିଥିବା ପଲିଟିକ୍ସର ପଣ୍ଡିତମାନେ ଅଙ୍କ କଷୁଛନ୍ତି । କାରଣ ୨୦୧୭ ନିର୍ବାଚନରେ ରାଜ୍ୟରେ ବିଜେଡି ଓ ବିଜେପିର ଦବଦବା ଭିତରେ ବି ସେତେ ବେଳର କଂଗ୍ରେସ ବିଧାୟକ ନବ କିଶୋର ଦାସ ନିଜ ସାମର୍ଥ୍ୟରେ ଝାରସୁଗୁଡ଼ାରୁ ୯ରୁ ୮ ଜିଲ୍ଲାପରିଷଦ ଆସନରେ କଂଗ୍ରେସକୁ ବିଜୟୀ କରାଇଥିଲେ । ଗତ ଥର ପ୍ରତିକୂଳ ପରିସ୍ଥିତି ସତ୍ୱେ ଆଶାତୀତ ସଫଳତା ହାସଲ କରିଥିବା ନବ ଏବେ ବିଜେଡିର ବରିଷ୍ଠନେତା ଏବଂ ମନ୍ତ୍ରୀ ପଦରେ ଥିବାରୁ ୯ଟି ଆସନ ଦଖଲ କରିବେ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି । କିନ୍ତୁ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏବେ ଝାରସୁଗୁଡ଼ା ବିଜେଡିରେ ମଧ୍ୟ ସମସ୍ୟା ଦେଖାଦେଇପାରେ ବୋଲି ରାଜନୈତିକ ବିଶ୍ଲେଷକ ମାନେ ମତ ପ୍ରକାଶ କରିଛନ୍ତି । କାରଣ ବିଜୁବାବୁଙ୍କ ସମୟରୁ ଦିବଙ୍ଗତ କିଶୋର ମହାନ୍ତିଙ୍କ ସହ ଯୋଡ଼ିହୋଇଥିବା କର୍ମୀମାନେ ଏବେ କୋଣଠେସା ହୋଇ ଯାଇଛନ୍ତି । ଏସବୁ ସତ୍ୱେ ବିଜେଡି ପାଇଁ ସ୍ଥିତି ସମ୍ପୂର୍ଣ୍ଣ ନିରାପଦ ନୁହେଁ ବୋଲି ଚର୍ଚ୍ଚା ହେଉଛି । ତେଣୁ ଅନ୍ତଃକନ୍ଦଳ ଦୂରକରିବା ଦଳର ବରିଷ୍ଠ ନେତାଙ୍କ ସବୁଠୁ ବଡ଼ ଆହ୍ୱାନ ।

ତେବେ ଦୃଢ ସାଙ୍ଗଠାନିକ ସ୍ଥିତି ଭିତିରେ ଭଲ ପ୍ରଦର୍ଶନ ଆଶା ବିଜେଡି ରଖିଥିବାବେଳେ ବିଜେପି କିଛି ଚମତ୍କାର ଦେଖାଇବା ଲକ୍ଷ୍ୟରେ ରହିଛି । ସତରଞ୍ଜର ବିଗୁଲ ବାଜି ସାରିଛି ଏବେ ଖାଲି ଘମାଘୋଟ୍ ଲଢ଼େଇକୁ ଅପେକ୍ଷା । କରୋନା କଟକଣା ଯୋଗୁଁ ଜନସଭା, ରାଲି, ଶୋଭାଯାତ୍ରା ଆଦି ବାରଣ କିନ୍ତୁ ନେତୃବୃନ୍ଦ ଏବେଠାରୁ ନିଜ ନିଜସ୍ତରରେ ଲୋକଙ୍କ ନିକଟତର ହେବାକୁ କହୁଣୀରୁ ଆଣ୍ଠୁ ସବୁ ଉଦ୍ୟମ ଚଳାଇଛନ୍ତି । ଲଖନପୁର ,ଝାରସୁଗୁଡା, କୋଲାବିରା, କିର୍ମିରା ଏବଂ ଲଇକେରା ବ୍ଲକରେ ବିଭିନ୍ନ ରାଜନୌତିକ ଦଳ ସାଙ୍ଗଠାନିକ ଶକ୍ତି ବୃଦ୍ଧିଲାଗି ଅଣ୍ଟା ଭିଡ଼ିଛନ୍ତି । ଦେଖିବା ଆଗକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟ କାହା ହାତକୁ ଯାଉଛି ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe