ଭଡା ଘରେ ପଂଚାୟତ ଅଫିସ: ନୂଆ ପଂଚାୟତ ଗଠନ ୫ ବର୍ଷ ପରେ ବି ତିଆରି ହୋଇପାରିନି ନିଜସ୍ୱ ଘର

96

କନକ ବ୍ୟୁରୋ: ରାଜନୀତିର ଛକାପଞ୍ଝା ଭିତରେ ପେଶି ହେଉଛନ୍ତି ପଂଚାୟତବାସୀ । ନୂତନ କରି ଗଡ଼ି ଉଠି୍ଥିବା ପଂଚାୟତରେ ନାହିଁ ପଂଚାୟତ କାର୍ଯ୍ୟାଳୟ । ଭଡ଼ା ଘରେ ଚାଲିଛି କାର୍ଯ୍ୟାଳୟ । ଆଦିବାସୀ ପାହାଡ଼ିଆ ଇଲାକାରେ ଚାଉଳ ପାଇଁ ଆସୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଭଡ଼ା ଘର ବଦଳିଲେ କାର୍ଯ୍ୟାଳୟ ଠିକଣା ବଦଳୁଛି । ସ୍ଥାୟୀ ପଂଚାୟତ କାର୍ଯ୍ୟାଳୟ ନଥିବାରୁ କେତେବେଳେ କେଉଁଠି ପିଡିଏସ ସାମଗ୍ରୀ ଦିଆଯାଉଛି ତା’ର ଠିକଣା ନାହିଁ ।

ନଜସ୍ୱ ଘର ନଥିବାରୁ ଭଡା ଘରେ ଚାଲୁଥିବା ପଂଚାୟତଟି ହେଉଛି ଗଂଜାମ ଜିଲ୍ଲାର ଭଂଜନଗର ଗୁଣ୍ଡୁରିବାଡ଼ି ପଂଚାୟତ । ୪ଟି ରାଜସ୍ୱ ଗାଁ ଓ ୬ଟି ପଡା ଗାଁକୁ ନେଇ ୨୦୧୭ରୁ ଗୁଣ୍ଡୁରିବାଡି ପଂଚାୟତ ଗଠନ ହୋଇଛି । ଗୁଣ୍ଡୁରିବାଡ଼ି, ଖଣ୍ଡିକୋଟି, ଗୋହିରିବାଡ଼ି, ବତିଆଗାଁ, ମିଣିଆରି, ଚାଚେଂରାପଲ୍ଲୀ, ଢ଼େପାଗୁଡ଼ା, ସାତଘରିଆ, ବାଉଁଶକଟା ଓ ବିଣାଗାଁର ପ୍ରାୟ ୩ ହଜାର ଭୋଟର ଏହି ପଂଚାୟତ ଉପରେ ନିର୍ଭରଶୀଳ । ପୂର୍ବରୁ ମୁଜାଗଡ଼ ପଂଚାୟତରେ ଥିବା ପାହାଡ଼ିଆ ଗାଁକୁ ଅଲଗା କରି ନୂଆ ପଂଚାୟତ ହୋଇଛି । କିନ୍ତୁ ଆଜି ଯାଏଁ ପଂଚାୟତ ପାଇଁ କାର୍ଯ୍ୟାଳୟଟିଏ ତିଆରି ହୋଇପାରିନାହିଁ ।

ଏବେ ଏହି ପଂଚାୟତ କାର୍ଯ୍ୟାଳୟକୁ ନେଇ ବିବଦ ସୃଷ୍ଟି ହୋଇଛି । ପଂଚାୟତ କାର୍ଯ୍ୟାଳୟ କରିବା ପାଇଁ ରାସ୍ତାକଡରେ ସ୍ଥାନ ମିଳୁନାହିଁ । ଗୁଣ୍ଡୁରିବାଡ଼ି ଓ ଗୋହିରିବାଡ଼ି ମଧ୍ୟରୁ କେଉଁ ଅଚଂଳରେ କାର୍ଯ୍ୟାଳୟ ହେବ ତାକୁ ନେଇ ଦୁଇ ଗାଁ ଭିତରେ ବିବାଦ ଲାଗିଛି । ଏହାସହ ରାଜନୀତିର ପଶାପାଲିରେ ପେଶି ହେଉଛନ୍ତି ଗୁଣ୍ଡୁରିବାଡ଼ି ପଂଚାୟତବାସୀ । ଲୋକଙ୍କ ଅଭିଯୋଗ ଅନୁସାରେ, ଏଠାକାର ସରପଂଚ ବିଜେପି ସମର୍ଥିତ ହୋଇଥିବାରୁ ପଂଚାୟତ ଅଫିସ ତିଆରି କରିବା ପାଇଁ ଆନ୍ତରିକତା ଦେଖାଉନାହାନ୍ତି ରାଜ୍ୟ ସରକାର ।

ପଂଚାୟତ କାର୍ଯ୍ୟାଳୟ ଚାଲୁଥିବାରୁ ପଂଚାୟତ କାର୍ଯ୍ୟାଳୟ ଏ ଗାଁରୁ ସେ ଗାଁକୁ ସ୍ତାନାନ୍ତର ହେଉଛି । ଫଳରେ ପିଡିଏସ ସାମଗ୍ରୀ ନେବା ପାଇଁ ପଚାୟତ ଅଫିସକୁ ଆସୁଥିବା ହିତାଧିକାରୀ ହଇରାଣ ହେଉଛନ୍ତି । ପଂଚାୟତ କାର୍ଯ୍ୟାଳୟ ଖୋଜିବା ପାଇଁ ଏ ଗାଁରୁ ସେ ଗାଁକୁ ଯିବାକୁ ପଡୁଥିବା ଅଭିଯୋଗ ହୋଇଛି ।