କନକ ବ୍ୟୁରୋ: ଆସିବାରେ ଲାଗିଛି ପଞ୍ଚାୟତ ଫଳାଫଳ । ତୃତୀୟ ଦିନର ଗଣତି ଭିତରେ ଟ୍ରେଣ୍ଡରେ ଏକତରଫା ଭଳି ଆଗେଇ ଚାଲିଛି ବିଜେଡି । ଓଡ଼ିଶାର ବିଭି୍ନ ଜିଲ୍ଲା ପରିଷଦ ଜୋନକୁ ଦଖଲ କରି ବିଜୟ ବାନା ଉଡାଇ ଚାଲିଛି ବିଜେଡି । ପଶ୍ଚିମ ଓଡ଼ିଶାରେ ବି ଦବଦବା ଜାହିର କରି ଚାଲିଛି ଶାସକ ଦଳ । ଏଭଳି ଫଳାଫଳକୁ ନେଇ ବିଜେଡି ନେତା କଳିକେଶ ସିଂଦେଓ ନିଜ ମତ ପ୍ରକାଶ କରିଛନ୍ତି । କଳିକେଶ କହିଛନ୍ତି, ବଲାଙ୍ଗୀର ଲୋକ ବହୁତ ସରଳ । ଏଠି ଗୁଣ୍ଡାରାଜ କିମ୍ବା ଦୁର୍ନୀତିକୁ ପ୍ରସୟ ଦିଅନ୍ତିନି ଆମ ଲୋକ । ବିଜେଡି ଜିତୁଛି ମାନେ ଏଠି ଆମ ଦଳ ଗୁଣ୍ଡାଗର୍ଦ୍ଦି କରୁନି କିମ୍ବା ଦୁର୍ନୀତିକୁ ପ୍ରସୟ ଦେଉନି । ସେଥିପାଇଁ ଦଳ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିଛି ।

Advertisment

ଅନ୍ୟପଟେ ବଲାଙ୍ଗୀର ଜିଲ୍ଲାରେ ବିଜେଡି ବିଜୟର ଶ୍ରେୟ କେବଳ ଆମ ନେତା ନବୀନ ପଟ୍ଟନାୟକଙ୍କୁ ହିଁ ଯିବ । ମୋତେ ଦିନେ ବିଜୁ ବାବୁ କହିଥିଲେ, ରାଜନୀତିରେ ହାର୍ ଜିତ୍ ଲାଗି ରହିଥାଏ କିନ୍ତୁ ତମେ ରାଜନୀତି ଲୋକଙ୍କ ସେବା ପାଇଁ କର । ତାହାକୁ ଅକ୍ଷର ଅକ୍ଷରେ ପାଳନ କରୁଛି ମୁଁ । ଆଗାମୀ ୨୦୨୪ରେ ବଲାଙ୍ଗୀରରେ ବିଜେଡି ସାଂସଦ ସିଟ୍ ହାତେଇବ । ବିଜେଡିର ବିଧାନସଭା ସିଟ୍ ସଂଖ୍ୟା ମଧ୍ୟ ବଢ଼ିବ ବୋଲି ଦମ୍ଭୋକ୍ତି ବାଢିଛନ୍ତି କଳିକେଶ ସିଂଦେଓ ।

ମୁଁ ଯେଉଁ ପଦରେ ବି ରୁହେ, ମୋର ଦାୟିତ୍ୱ ମୋ ଜିଲ୍ଲାବାସୀଙ୍କ ସେବା କରିବା । କେବଳ ଜଣେ ବିଜେଡି କର୍ମୀ ଭଳି କରୁଛି ଆଉ କରିବି ବୋଲି କଳିକେଶ ସିଂଦେଓ କହିଛନ୍ତି । ଏହାବାଦ୍ ବଲାଙ୍ଗୀର ବିଜେଡିରେ ଟୁକୁନି ସାହୁ ଓ କଳିକେଶଙ୍କ ଭିତରେ କିଛି ଠିକ୍ ନଥିବା ନେଇ ମୁହଁ ଖୋଲିଛନ୍ତି କଳିକେଶ । ଆଉ କହିଛନ୍ତି, ସବୁ ରାଜନୈତିକ ଦଳରେ କିଛି ନା କିଛି ମତଭେଦ ରହିଥାଏ । ବୁଝାମଣାରେ ତ୍ରୁଟି ବି ହୁଏ କିନ୍ତୁ ତାହା ଦଳକୁ ଦୁର୍ବଳ କେବେ କରେନି । ବଲାଙ୍ଗୀରରେ ଟୁକୁନି ସାହୁ କିମ୍ବା କଳିକେଶ କ୍ୟାମ୍ପ୍ କିଛି ନାହିଁ । ଏଠି ଗୋଟିଏ କ୍ୟାମ୍ପ ସେ ହେଉଛି ବିଜେଡି କ୍ୟାମ୍ପ୍ ।