କନକ ବ୍ୟୁରୋ: ରାଜନୈତିକ ପାଣିପାଗକୁ ଦେଖି ଅନୁମାନ କରାଯାଉଛି ୨୦୨୨ ଆରମ୍ଭରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇପାରେ । କାହିଁକି ନା, ୨ ଦିନ ହେଲା ବିଜେଡି ସୁପ୍ରିମୋ ଦଳର ବିଧାୟକ ଓ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ନେଇ ମାରାଥନ ବୈଠକ କରୁଛନ୍ତି । ଆଉ ସୂଚନା ଅନୁସାରେ ନେତାଙ୍କୁ ତୃଣମୂଳ ସ୍ତରରେ ପ୍ରସ୍ତୁତ ହେବା ପାଇଁ କହିଛନ୍ତି ସୁପ୍ରିମୋ ।
ତେବେ ପଞ୍ଚାୟତ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା । କାରଣ, ଆସନ ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ପଞ୍ଚାୟତିରାଜ ବିଭାଗ ଆଗକୁ ବଢାଇନଥିଲା । ଏନେଇ ରାଜ୍ୟ ନିର୍ବାଚନ କମିଶନ, ବିଭାଗକୁ ୩ ଥର ମଧ୍ୟ ଚିଠି ଲେଖିଥିଲେ ବି, କୌଣସି ଜବାବ ମିଳୁନଥିଲା । ହେଲେ ଦୁଇ ଦିନ ତଳେ ହଠାତ୍ ସକ୍ରିୟ ହୋଇ ଏହି ଚିଠିର ଜବାବ ରଖିଛି ପଞ୍ଚାୟତିରାଜ ବିଭାଗ ।
ଫେବୃଆରୀ ମାସ ୨୦୨୨ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରୁଛି । ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ନେଇ ବିଜେଡି ଆଗୁଆ ପ୍ରସ୍ତୁତି କରୁଥିବା ଚର୍ଚ୍ଚା ହେଉଛି । ପ୍ରଥମେ ଜିଲ୍ଲା ସ୍ତରରେ ପର୍ଯ୍ୟବେକ୍ଷକ ବଦଳିଲେ, ନୂଆ କାର୍ଯ୍ୟାଳୟ ପାଇଁ ଭିତିପ୍ରସ୍ତର ସ୍ଥାପନ ସହ ନେତା, ମନ୍ତ୍ରୀ, ବିଧାୟକଙ୍କ ସହ ନବୀନଙ୍କ ଆଲୋଚନା ଏସବୁର ଏକ ସଂକେତ ଦେଉଛି । କୁହାଯାଉଛି, ବିଜେଡି ଭିତରେ ଭିତରେ ତାର ପ୍ରସ୍ତୁତି ଚଲାଇଛି, ଆଉ ଉପରକୁ ବାର୍ତ୍ତା ଦିଆଯାଉଛି, ଯେ କରୋନା ସମୟ ଥିବାରୁ ନିର୍ବାଚନକୁ ଗୁରୁତ୍ୱ ଦିଆଯାଉ ନାହିଁ । ଆଉ ସଠିକ ସମୟରେ କାର୍ଡ ଖୋଲି ବିରୋଧୀଙ୍କୁ ଚେକ୍ ଦେବାକୁ ରଣନୀତି କରୁଛି ଦଳ ।
ପୂର୍ବରୁ ଅର୍ବାନ ଇଲେକ୍ସନ କରିବା ପାଇଁ ଆଗ୍ରହ ନଦେଖାଇବା କାରଣରୁ ଦଳ ଉପରେ ଅନେକ ପ୍ରଶ୍ନବାଚୀ ତିଆରି ହୋଇଛି । ପୈାରସଂସ୍ଥାରେ ପ୍ରଶାସକଙ୍କ ଦ୍ୱାରା ବ୍ୟବସ୍ଥାକୁ ଚଲାଇବାକୁ ଅନେକ ନାପସନ୍ଦ କରିଛନ୍ତି । ଏପରିକି ଏହା ସୁସ୍ଥ ଗଣତନ୍ତ୍ରର ପ୍ରକ୍ରିୟା ନୁହେଁ ବୋଲି ଲୋକ ଖୋଲାଖୋଲି ମତ ରଖୁଛନ୍ତି । ଏଭଳି ସ୍ଥଳେ ପଞ୍ଚାୟତ ନିର୍ବାଚନ ପାଇଁ ଯଦି ପଦକ୍ଷେପ ନିଆନଯାଏ, ତେବେ ଏହା ବୁମେରାଂ ହୋଇପାରେ ।
ଉଭୟ ପଞ୍ଚାୟତ ଓ ସହର ନିର୍ବାଚନରେ ୬୪ ପ୍ରତିଶତ ଆସନ ସଂରକ୍ଷଣ ରହିବା ନେଇ ହିଁ ମୂଳ ବିବାଦ ରହିଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ୫୦ ପ୍ରତିଶତ ଭିତରେ ସଂରକ୍ଷଣ ରହିବ । ତେଣୁ ପଞ୍ଚାୟତିରାଜ ବିଭାଗ ଖୁବଶୀଘ୍ର ୩ଟି ଆଇନର ସଂଶୋଧନ କରି ପଞ୍ଚାୟତ ନିର୍ବାଚନ ପାଇଁ ବାଟ କଢେଇପାରନ୍ତି ବୋଲି ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/vlcsnap-2021-07-14-19h50m23s136.png)