ପଞ୍ଚାୟତ ନିର୍ବାଚନ ପାଇଁ ବଢିଲା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା : ଗାଡ଼ି ବି ଅଧିକ ବ୍ୟବହାର କରିପାରିବେ, ମତଦାନ ସମୟ ସକାଳ ୭ରୁ ୧ଟା

Advertisment
ପଞ୍ଚାୟତ ନିର୍ବାଚନ ପାଇଁ ବଢିଲା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା : ଗାଡ଼ି ବି ଅଧିକ ବ୍ୟବହାର କରିପାରିବେ, ମତଦାନ ସମୟ ସକାଳ ୭ରୁ ୧ଟା

କନକ ବ୍ୟୁରୋ : ବଢ଼ିଲା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ବଢ଼ାଇଛନ୍ତି ରାଜ୍ୟ ନିର୍ବାଚନ କମିସନ୍ । ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ଏଣିକି ନିର୍ବାଚନରେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ପୂର୍ବରୁ ଏହା ମାତ୍ର ୮୦ ହଜାର ଟଙ୍କା ରହିଥିଲା । ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ଦିଆଯାଇଛି । ପୂର୍ବରୁ ଏହି ସୀମା ୨ ଲକ୍ଷ ଟଙ୍କା ରହିଥିଲା । ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ବଢ଼ାଇବା ପାଇଁ ସର୍ବଦଳୀୟ ବୈଠକରେ ଦାବି ହୋଇଥିଲା । ଏହାକୁ ଗ୍ରହଣ କରି ନିର୍ବାଚନ ଖର୍ଚ୍ଚ ସ୍ଥିର କରିଛନ୍ତି ରାଜ୍ୟ ନିର୍ବାଚନ କମିସନ ।

ସେହିପରି ଜଣେ ପ୍ରାର୍ଥୀ ପ୍ରଚାର କାମରେ କେତେ ଗାଡ଼ି ବ୍ୟବହାର କରିପାରିବେ, ତାହା ମଧ୍ୟ ସ୍ଥିର କରାଯାଇଛି । ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ନିର୍ବାଚନ ପ୍ରଚାରରେ ସର୍ବାଧିକ ୫ଟି ଜିପ୍ ବା କାର୍‌ ଓ ୧୦ଟି ମୋଟର ସାଇକେଲ୍‌ ବ୍ୟବହାର କରିପାରିବେ। ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚ ପ୍ରାର୍ଥୀ ସର୍ବାଧିକ ୨ଟି ଜିପ୍ ବା କାର୍‌ ଓ ୫ଟି ମୋଟର ସାଇକେଲ୍‌ ବ୍ୟବହାର କରିପାରିବେ । ଗାଡ଼ି ଓ ମୋଟର ସା‌ଇକେଲ ଧାର୍ଯ୍ୟ ସୀମା ମଧ୍ୟରେ ଅଟୋରିକ୍ସା ମଧ୍ୟ ବ୍ୟବହାର କରାଯାଇପାରିବ । ମୋଟର୍‌ ଯାନ ବ୍ୟବହାର ଦିନ ଠାରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଯାନର ପ୍ରକାର, ପଞ୍ଜୀକରଣ ନମ୍ବର ଓ ଗାଡ଼ି ମାଲିକଙ୍କ ନାମ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବେ। ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚ ପ୍ରାର୍ଥୀ ଗାଡ଼ି ସମ୍ପର୍କିତ ଏହି ତଥ୍ୟ ବିଡିଓଙ୍କୁ ଲିଖିତ ଭାବେ ଦେବେ ।

ଏହି ତଥ୍ୟର ତିନିଟି ନକଲ ଦାଖଲ କରାଯିବ । ତଥ୍ୟର ଗୋଟିଏ ନକଲ ଉପଜିଲ୍ଲାପାଳ/ବିଡିଓ ନିକଟସ୍ଥ ଆର୍‌ଟିଓଙ୍କୁ ଦେବେ ଓ ଅନ୍ୟଟି ନିଜ ପାଖରେ ରଖିବେ। ତୃତୀୟ ନକଲରେ ଉପଜିଲ୍ଲାପାଳ/ବିଡିଓ କିମ୍ବା ତାଙ୍କ କ୍ଷମତାସମ୍ପନ୍ନ ଅଧିକାରୀ ସ୍ବାକ୍ଷର ଓ ଅଫିସ ମୋହର ଲଗାଇ ପ୍ରାର୍ଥୀଙ୍କୁ ଫେରାଇ ଦେବେ । କୌଣସି ସମୟରେ ନିର୍ବାଚନ ଅଧିକାରୀ କିମ୍ବା ତାଙ୍କ ଦ୍ବାରା କ୍ଷମତାସମ୍ପନ୍ନ ଅଧିକାରୀ ଏହି ତଥ୍ୟ ଆବଶ୍ୟକ କଲେ, ପ୍ରାର୍ଥୀ ତଦାରଖ ନିମନ୍ତେ ତାହା ଉପସ୍ଥାପନ କରିବେ ।

ମୋଟର ଯାନ ସଂକ୍ରାନ୍ତୀୟ ସମସ୍ତ ଖର୍ଚ୍ଚ ନିର୍ବାଚନ ଖର୍ଚ୍ଚ ସୀମା ମଧ୍ୟରେ ସୀମିତ ରହିବ। ପ୍ରଚାର କାର୍ଯ୍ୟରେ ବ୍ୟବହୃତ ମୋଟର ଯାନ ଭୋଟ୍‌ ଆରମ୍ଭ ହେବାର ୩୬ ଘଣ୍ଟା ପୂର୍ବରୁ ମୁକ୍ତ କରାଯାଇ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦିଆଯିବ। ପଞ୍ଚାୟତ ନିର୍ବାଚନରେ ମତଦାନ ସମୟ ମଧ୍ୟ ଏକ ଘଣ୍ଟା ବୃଦ୍ଧି କରାଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏ ମତଦାନ ଚାଲିବ। ପୂର୍ବରୁ ୧୨ଟା ‌ବେଳେ ମତଦାନ ‌ଶେଷ ହେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe