କନକ ବ୍ୟୁରୋ : ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜୟ ପାଇଁ ସବୁ ଦଳ ପ୍ରାଣ ମୂର୍ଚ୍ଛା ଉଦ୍ୟମ ଜାରିରଖିଥିବା ବେଳେ ମୁନିଗୁଡା ଖ ଜିଲ୍ଲା ପରିଷଦ ଆସନ ଦଖଲ କରିବାକୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ହେଭିୱେଟ ନେତା । ପ୍ରଚାର ଲଢେଇରେ ଓଡ଼ିଶା ମନ୍ତ୍ରୀ ବନାମ ଛତିଶଗଡ଼ ମନ୍ତ୍ରୀ । ଗୋଟିଏ ଦିନରେ ମୁନିଗୁଡ଼ାରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରାକା ଦଳୀୟ ପ୍ରାର୍ଥୀଙ୍କ ସହ ସାହିସାହି ବୁଲି ଭୋଟ ଭିକ୍ଷା କରିଥିବା ବେଳେ କଂଗ୍ରେସ ଆଉ ପାଦେ ଆଗକୁ ଯାଇ କଂଗ୍ରେସର ଷ୍ଟାର ପ୍ରଚାରକ ରୂପେ ପଡୋଶୀ ରାଜ୍ୟ ଛତିଶଗଡ଼ର ଶିଳ୍ପ ଓ ଅବକାରୀ ମନ୍ତ୍ରୀ କୱାସି ଲଖମାଙ୍କୁ ନେଇ ରୋଡ ସୋ ଓ ସାଧାରଣ ସଭା କରିଛି ।

Advertisment

ସେପଟେ ବିଜେପି ପ୍ରାର୍ଥୀ, ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ ସହ ବରିଷ୍ଠ ନେତାଙ୍କୁ ଧରି ଗାଁ ଗାଁ ବୁଲି ଭୋଟରଙ୍କ ଆଶିର୍ବାଦ ଭିକ୍ଷା କରୁଛନ୍ତି । ଗତଥର ଏହି ଆସନରୁ ବିଜେପି ପ୍ରାର୍ଥୀ ରାମଚନ୍ଦ୍ର ବେହେରା, ବିଜେଡି ପ୍ରାର୍ଥୀ ଠାରୁ ୧୬ଶହରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ହେଲେ ସାଧାରଣ ନିର୍ବାଚନରେ ବିଜେଡି ଅଧିକ ଭୋଟ ପାଇଥିବାରୁ ଏହି ଜିଲ୍ଲା ପରିଷଦ ଆସନ ହାତେଇବା ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଅପରପକ୍ଷେ କେବେ ଜିତିନଥିବା କଂଗ୍ରେସ ଏହି ଜିଲ୍ଲା ପରିଷଦ ଆସନ ଦଖଲ କରି ଇତିହାସ ସୃଷ୍ଟି କରିବାକୁ ପଡୋଶୀ ରାଜ୍ୟର ମନ୍ତ୍ରୀଙ୍କୁ ପଂଚାୟତ ନିର୍ବାଚନ ପ୍ରଚାରକୁ ଆଣିଛି ।

ପଂଚାୟତ ଫାଇଟରେ ବାଜି ମାତ କରିବାକୁ ସବୁ ଦଳ କଳବଳ କୌଶଳ ଲଗାଇ ଦେଇଛନ୍ତି । ଏହି କ୍ରମରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ବି ଜୋର ସୋରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ସୁନ୍ଦରଗଡ ଜିଲ୍ଲା କୁତ୍ରା ଅଂଚଳରେ ବାଇକ୍ ରାଲି କରି ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଗୀତା ମହାନନ୍ଦିଆଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । କର୍ମୀଙ୍କ ସହ ବାଇକ୍ ରାଲିରେ ଗାଁ ଗାଁ ବୁଲି ପ୍ରଚାର ଚଳାଇଛନ୍ତି ଜୁଏଲ ଓରାମ୍ ।