ପଞ୍ଚାୟତ ନିର୍ବାଚନ ଲାଗି ଆଜିଠୁ ପ୍ରାର୍ଥିପତ୍ର ଦାଖଲ : ୨୨ରେ ମନୋନୟନ ପତ୍ର ଯାଞ୍ଚ, ୨୫ ତାରିଖ ସୁଦ୍ଧା କରିପାରିବେ ପ୍ରାର୍ଥପତ୍ର ପ୍ରତ୍ୟାହାର

ଦଳର ପ୍ରାର୍ଥୀପତ୍ର ତାଲିକାକୁ ଅପେକ୍ଷା କରିଛନ୍ତି ଆଶାୟୀ ପ୍ରାର୍ଥୀ

218

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଦାଖଲ ହେବ ନାମାଙ୍କନ ପତ୍ର । ଆଜି ପାଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ୨୧ ଯାଏ ଚାଲିବ । ତେବେ ୨୨ରେ ମନୋନୟନ ପତ୍ର ଯାଞ୍ଚ ହେବ । ୨୫ ତାରିଖ ମଧ୍ୟରେ ପ୍ରାର୍ଥୀ ଚାହିଁଲେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଆଶାୟୀ ପ୍ରାର୍ଥୀମାନେ ସମସ୍ତ ଦସ୍ତାବିଜକୁ କିନ୍ତୁ ପ୍ରସ୍ତୁତ କରି ରଖିଛନ୍ତି । କେବଳ ଦଳର ପ୍ରାର୍ଥୀପତ୍ର ତାଲିକା ପ୍ରକାଶକୁ ଅପେକ୍ଷା କରିଛନ୍ତି ଆଶାୟୀ ପ୍ରାର୍ଥୀ । ଚଳିତଥର କୋଭିଡ କଟକଣାରେ ପଞ୍ଚାୟତ ନିର୍ବାଚନ ହେଉଛି ।

ସଂକ୍ରମଣର ଭୟାବହତାକୁ ଦେଖି ରାଜ୍ୟ ନିର୍ବାଚନ କମିଶନ ବଡ ବଡ ରାଲି ଏବଂ ସମାବେଶ ଉପରେ ରୋକ୍ ଲଗାଇଛନ୍ତି । ପ୍ରାର୍ଥୀମାନେ ଏବେ ଗାଁକୁ ଗାଁ ଆଉ ଘରକୁ ବୁଲି ପ୍ରଚାର କରୁଛନ୍ତି । ଚଳିତଥର ୫ଟି ପର୍ଯ୍ୟାୟରେ ମତଦାନ ହେବ । ଏଥିପାଇଁ ଫେବୃଆରୀ ୧୬, ୧୮, ୨୦, ୨୨ ଏବଂ ୨୪ରେ ଭୋଟ୍ ପଡିବ । ୱାର୍ଡ ‌ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପାଇଁ ବ୍ଲକ୍ କାର୍ଯ୍ୟାଳୟରେ ଏବଂ ଜିଲ୍ଲା ପରିଷଦ ସଭ୍ୟମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ। ଏଥର ୯୧,୯୧୩ ୱାର୍ଡମେମ୍ବର, ୬୭୯୪ ସରପଞ୍ଚ, ୬୭୯୩ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ହେଉଛି।