ପଞ୍ଚାୟତ ନିର୍ବାଚନ: ବିଭିନ୍ନ ସ୍ଥାନରେ ବୁଥ ଜବରଦଖଲ କଲେ ଦୁବୃର୍ତ୍ତ । ପଢନ୍ତୁ, କେଉଁଠୁ ଆସିଲା ହିଂସାର ଖବର?

246

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହିଂସାକାଣ୍ଡର ଖବର ଆସିଛି । କେଉଁଠି ବୁଥ କ୍ୟାପଚରିଂ ଉଦ୍ୟମ ତ କେଉଁଠି ଭୋଟ ବାକ୍ସ ଲୁଟ୍ । ସମ୍ବଲପୁର ଘିଚାମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରେ ଗୁଳି ମାଡ ହୋଇଛି । ଏହାଛଡା ବିଭିନ୍ ସ୍ଥାନରେ ବିଜେଡି –ବିଜେପି କର୍ମୀଙ୍କ ସଂଘର୍ଷ ଯୋଗୁଁ ଢେଙ୍କାନାଳ, ଯାଜପୁର, ପୁରୀ ଜିଲ୍ଲାରେ ମତଦାନ ବାଧାପ୍ରାପ୍ତ ହୋଇଛି ।

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ ସରିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଛି ହିଂସାର ଖବର । କେଉଁଠି ପ୍ରାର୍ଥୀଙ୍କ ଘରକୁ ଆକ୍ରମଣ ହୋଇଛି କେଉଁଠି ଭୋଟଦାନ କେନ୍ଦ୍ରରେ ଅନିୟମିତତା ହୋଇଥିବା ଖବର ସାମ୍ନାକୁ ଆସିଛି । ଯାଜପୁର ବ୍ଲକ ରୁଦ୍ରପୁର ପଞ୍ଚାୟତର ୫ ନମ୍ବର ୱାର୍ଡରେ କିଛି ଲୋକ ବୁଥରେ ପଶି ବୁଥ ଜବରଦଖଲ କରିବାର ଚିତ୍ର ଏବେ ଭାଇରାଲ ହୋଇଛି । ଘଟଣା ପରେ ଗଣ୍ଡଗୋଳ ହେବାରୁ ୩ ଜଣ ଆହତ ହୋଇଛନ୍ତି । ସେଠାରେ ନିର୍ବାଚନ ବାତିଲ ହୋଇଥିବାବେଳେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ମତଦାନ ବେଳେ ବୁଥରେ ଭଙ୍ଗାରୁଜା । ବାଲାଟ ପେପର ନେଇଯାଇ ବୁଥକୁ ବନ୍ଦ ରଖିଲେ ଦୁର୍ବୃତ୍ତ । ଯାଜପୁର ଜିଲ୍ଲା ସୁଜନପୁର ପଞ୍ଚାୟତ ଦୁର୍ଗାପୁର ଅଙ୍ଗନୱାଡି କେନ୍ଦ୍ରର ୧ ନମ୍ବର ବୁଥରେ ହୋଇଛି ଏଭଳି ଘଟଣା । ବୁଥରେ ଅଜଣା ଲୋକ ଆସି ମାରପିଟ୍ କରିବା ସହ କବାଟ ଭାଙ୍ଗି ଦେଇଛନ୍ତି । କେବଳ ସେତିକି ନୁହେଁ ଦୁର୍ବୃତ ବାଲାଟ ପେପର ଓ ଷ୍ଟାମ୍ପ ବି ନେଇଯାଇଛନ୍ତି । ଢେଙ୍କାନାଳ ନିହାଲପ୍ରସାଦ ପଞ୍ଚାୟତ ପ୍ରିଜାଇଡିଂ ଅଫିସରଙ୍କୁ ମାଡ ମାରି ଲହୁଲୁହାଣ କରି ଭୋଟବାକ୍ସ ଲୁଟି ନେଇଛନ୍ତି ଦୃର୍ବୃତ୍ତ । ପଞ୍ଚାୟତର ୧୧ ନମ୍ବର ବୁଥରେ ଘଟିଛି ଅଘଟଣ । ଏକାସଙ୍ଗରେ ୩୦ରୁ ଅଧିକ ଲୋକ ବୁଥରେ ପଶି ମାଡ ମାରିଥିବା ଅଭିଯୋଗ ହୋଇଛି । ଏଥିରେ ସଂପୃକ୍ତ ଅଧିକାରୀଙ୍କ ମୁଣ୍ଡରେ ଆଘାତ ଲାଗିଛି ।

ଅନ୍ୟପଟେ ଭୋଟଦେବାକୁ ନେଇ ବୌଦ୍ଧ ଜିଲ୍ଲା ହାତୀପାଲି ଗାଁରେ ନିର୍ବାଚନୀ ହିଂସା । ଗାଁର ଗୋବିନ୍ଦ ମହାପାତ୍ରଙ୍କ ଘର ଉପରକୁ ଆକ୍ରମଣ ହୋଇଛି । ତାଙ୍କ ଘରର କବାଟ ଓ ଆଜ୍ବେସଟସ୍ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଗାଁର କିଛି ଲୋକ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯଦି ଭୋଟ୍ ଦେବାକୁ ଯିବ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି କିଛି ଲୋକ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଜୟପୁର ବୋରିଗୁମ୍ମାରେ ରାଜନୈତିକ ହିଂସା । ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ବିଜେପି କର୍ମୀଙ୍କ ଆକ୍ରମଣରେ ମନ୍ତ୍ରୀଙ୍କ ପ୍ରତିନିଧି ନରେନ୍ଦ୍ର ବିଶୋଇ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି । ମତଦାନ ବେଳେ ମନ୍ତ୍ରୀଙ୍କ ପ୍ରତିନିଧି ସସହାଣ୍ଡି ପଂଚାୟତରେ ବୁଥ୍ ବୁଲିବାକୁ ଯାଇଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା ।

ସେହିପରି ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳିମାଡ଼ । ସମ୍ବଲପୁର ରେଙ୍ଗାଲି ବ୍ଳକ ଠେଲକୋଲୋଇ ଥାନା ଘିଚାମୁରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଲଳିତ ସାହୁଙ୍କ ଘର ଉପରକୁ ଗୁଳି ମାଡ଼ ହୋଇଛି । ଲଳିତ ସାହୁଙ୍କ ଘର କବାଟରେ ଗୁଳି ବାଜିଛି । ଗତକାଲି ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି । ଠେଲକୋଲେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୁରୀ ଜିଲ୍ଲା ଗୋପ ବ୍ଳକରେ ରାଜନୈତିକ ହିଂସା । ନୂଆଖୋଲମରା ପଞ୍ଚାୟତରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ । ସେ ଘରକୁ ଫେରୁଥିବା ବେଳେ ୧୦ରୁ ୧୫ ଜଣ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

ସାଲେପୁର ଶିଶୁଆ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ତଥା ବିଜେଡି ନେତା ଓ ଆତ୍ମା ବ୍ଲକ ସଭାପତି ଦିଲ୍ଲୀପ ଦାଶଙ୍କ ଘର ଉପରକୁ ବୋମାମାଡ଼ । ଝରକାରେ ମାଡ ହୋଇ ଘର ଭିତରେ ବୋମା ବିସ୍ଫୋରଣ ହେବାରୁ ଦିଲ୍ଲୀପଙ୍କ ଶିକ୍ଷୟିତ୍ରୀ ପତ୍ନୀ ନିରୁପମା ପତି ଗୁରୁତର ଆହତ ହୋଇଛନ୍ତି । ରାଜନୈତିକ ଶତ୍ରୁତାରୁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଘଟଣା ପରେ ଗାଁରେ ଉତେଜନା ପ୍ରକାଶ ପାଇଛି ।