ପଂଚାୟତ ନିର୍ବାଚନ : ବିଜେଡି ଓ ବିଜେପିକୁ ଚିନ୍ତା ଏକାଧିକ ଆଶାୟୀ; କଂଗ୍ରେସକୁ ଅଭାବ କ୍ୟାଣ୍ଡିଡେଟ୍ !

କଂଗ୍ରେସର ଅଭିଯୋଗ, ଟଙ୍କାର ଲୋଭ ଦେଖାଇ ପ୍ରାର୍ଥୀଙ୍କୁ ହାତେଇ ନେଉଛନ୍ତି ଉଭୟ ଦଳ

159

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ । ଶେଷ ମୁହୁର୍ତ୍ତରେ ନାମାଙ୍କନ ଭରିବାକୁ ରିଟନିଂ ଅଫିସରଙ୍କ ପାଖରେ ପ୍ରାର୍ଥୀମାନଙ୍କ ଭିଡ଼ ଜମିଛି । ଆଉ ଏତିକି ବେଳେ କଂଗ୍ରେସ କହିଛି ଦଳକୁ ଘାରିଛି ପ୍ରାର୍ଥୀ ସଂକଟ । କିଛି ଦିନ ତଳେ ଦଳର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ବିଜେଡି ଓ ବିଜେପିର ଟଙ୍କା ଦେଖି ୨ ଦଳ ପ୍ରତି ପ୍ରାର୍ଥୀଙ୍କ ଆକର୍ଷଣ ବଢ଼ୁଛି ।

ଫଳରେ କଂଗ୍ରେସରେ ପ୍ରାର୍ଥୀଙ୍କ ଅଭାବ ଦେଖା ଦେଉଛି । ଏଥିରେ ଆଂଶିକ ସତ୍ୟତା ଥିବା କହିଛନ୍ତି ପିସିସି ସଭାପତି ନରିଂଜନ ପଟ୍ଟନାୟକ । ଲଗାତର ଖରାପ ପ୍ରଦର୍ଶନ କରିଆସୁଥିବା କଂଗ୍ରେସ ଦଳରେ ପ୍ରାର୍ଥୀ ସଂକଟ ଚଳିତ ପଂଚାୟତ ନିର୍ବାଚନରେ ସବୁଠାରୁ ବଡ଼ ସମସ୍ୟା ହୋଇଛି । ସେପଟେ ବିଜେଡ଼ି ଓ ବିଜେପି ପାଇଁ ଅଡ଼ୁଆ ସୃଷ୍ଟି କରିଛି ଏକାଧିକ ଆଶାୟୀଙ୍କ ସଂଖ୍ୟା । ଅସନ୍ତୁଷ୍ଟଙ୍କୁ ମନାଇ ପ୍ରାର୍ଥୀ ତାଲିକା ଚୁଡ଼ାନ୍ତ କରୁଛନ୍ତି ଦଳର ତୁଙ୍ଗ ନେତା ।

ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ପ୍ରାର୍ଥୀପତ୍ର ଦାଖଲ ଆଜି ସରିବ । ଏଣୁ ପ୍ରାର୍ଥୀମାନେ ନାମଙ୍କନ ଦାଖଲ ସମୟରେ ପୂର୍ବରୁ ଜାରି ଗାଇଡଲାଇନ ପାଳନ କରିବାକୁ କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ସେପଟେ ଶେଷ ଦିନରେ ପ୍ରାର୍ଥୀ ପତ୍ର ଦାଖଲ ପୂର୍ବ ୪ ଦିନ ଅପେକ୍ଷା ବଢିବା ସମ୍ଭାବନା ରହିଛି । ଗତଚାରି ଦିନ ଭିତରେ ରାଜ୍ୟରେ ମୋଟ ୧ ଲକ୍ଷ ୩୩ ହଜାର ୫୮୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଲେଣିି । ସେଥି ମଧ୍ୟରୁ ଜିଲ୍ଲାପରିଷଦ ପାଇଁ ୧୭ ୩୦ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।

ସେହିପରି ସମିତି ସଭ୍ୟ ପାଇଁ ୧୫ ହଦାର ୫୮୩ ଜଣ ପ୍ରାର୍ଥୀ, ସରପଂଚ ପଦବୀ ପାଇଁ ୨୦ ହଜାର ୪୫୭ ଜଣ ପ୍ରାର୍ଥୀ ଏବଂ ୱାର୍ଡସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ୯୫ ହଜାର ୮୧୪ ଜଣ ପ୍ରାର୍ଥୀ । ଆସନ୍ତାକାଲି ଅର୍ଥାତ୍ ଜାନୁୟାରୀ ୨୨ରେ ପ୍ରାର୍ଥୀ ପତ୍ର ଯାଂଚ ଓ ୨୫ତାରିଖ ଭିତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ଜାନୁୟାରୀ ୨୫ ତାରିଖ ସଂଧ୍ୟାରେ ପ୍ରକାଶ ପାଇବ । ଚଳିତଥର ୫ଟି ପର୍ଯ୍ୟାୟରେ ମତଦାନ ହେବ । ଫେବୃଆରୀ ୧୬, ୧୮, ୨୦, ୨୨ ଏବଂ ୨୪ରେ ଭୋଟ୍ ପଡିବ । ଫେବୃୟାରୀ ୨୬ରୁ ୨୮ ତାରିଖ ଭିତରେ ଭୋଟଗଣତି ହେବ ଓ ଫଳାଫଳ ପ୍ରକାଶିତ ହେବ ।