କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ଓଡିଶାରେ ପଡିବ ପଞ୍ଚାୟତ ପାଇଁ ଭୋଟ୍ । ଗାଁ ରାଜନୀତିର ମୁଖିଆ ବାଛିବାକୁ ଆରମ୍ଭ ହେବ ପର୍ବ । ଆଉ ଏହି ତ୍ରୀସ୍ତରୀୟ ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି ପ୍ରଚାର ବି ଜୋରଦାର ହେଉଛି । ଲୋକଙ୍କ ପାଖକୁ ପ୍ରାର୍ଥୀ ଗଦାଗଦା ପ୍ରତିଶ୍ରୁତି ନେଇ ଯାଉଥିବା ବେଳେ ପ୍ରଚାରର ନୂଆ ନୂଆ ଷ୍ଟାଇଲ୍ ଆପଣାଉଛନ୍ତି ନେତା । ଯାହାର ବିଭିନ୍ନ ଖବର ସବୁଦିନ ସାରା ଓଡିଶାରୁ ଆସିବାରେ ଲାଗିଛି । ଆଉ ୟାରି ଭିତରେ ପ୍ରଚାରର ନୂଆ ଟ୍ରେଣ୍ଡ ପାଲଟିଛି ମାସ୍କ । ନିର୍ବାଚନୀ ମାସ୍କ, ଭିନ୍ନ ଭିନ୍ନ ପ୍ରାର୍ଥୀଙ୍କ ଚିହ୍ନ ଥିବା ମାସ୍କ...
ଯେତେବେଳେ ସଂକ୍ରମଣ ରୋକିବା ପାଇଁ, ମହାମାରୀ ମୁକାବିଲା କରିବା ପାଇଁ ମାସ୍କକୁ ମହାସ୍ତ୍ର ବୋଲି ଧରାଯାଉଛି । ଘରୁ ବାହାରିଲେ ହେଉ କି ଗହଳି ସ୍ଥାନରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ଠିକ୍ ସେତେବେଳେ ପଞ୍ଚାୟତ ମୈଦାନରେ ମାସ୍କକୁ ପ୍ରଚାରର ମାଧ୍ୟମ ଭାବେ ଧରାଯାଇଛି । କରୋନା କଟକଣା ଅନୁସାରେ ନିର୍ବାଚନ ଏବଂ ନିର୍ବାଚନୀ ପ୍ରଚାର ପାଇଁ ନିର୍ଦ୍ଦେଶାବଳୀ ରହିଥିବା ବେଳେ ବୁଥ ଏବଂ ଅନ୍ୟ ସମୟରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଆଉ ଏହି ସମୟରେ ପ୍ରାର୍ଥୀଙ୍କ ଚିହ୍ନ ଥିବା ମାସ୍କର ଚାହିଦା ଅଧିକ ରହିଛି । ପ୍ରାର୍ଥୀମାନେ ନିଜ ଚିହ୍ନ ଅନୁସାରେ ମାସ୍କ ତିଆରି ପାଇଁ ଅର୍ଡର ଦେଉଥିବା ବେଳେ ସମର୍ଥକଙ୍କୁ ନିଜ ଚିହ୍ନ ଜଣାଇଦେବାକୁ ପଞ୍ଚାୟତ ପ୍ରଚାରରେ ମାସ୍କକୁ ବ୍ୟବହାର କରାଯାଉଛି ।
ତେବେ ସାଲେପୁର ବଜାରରେ ବିକ୍ରି ହେଉଛି ଏମିତି ରଙ୍ଗ ବେରଙ୍ଗର ନିର୍ବାଚନୀ ମାସ୍କ । ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନ ଛପା ଯାଇଥିବା ଏହି ଦୋକାନରେ ଟଙ୍ଗା ହୋଇଛି ଆଉ ଲୋକେ ଆଗ୍ରହର ସହ ଏକାକୁ କିଣୁଛନ୍ତି । ମାଛ, ସୂର୍ଯ୍ୟ, କେଟିଲି, ଖୋଲାବହି, ଷ୍ଟୁଲ, ବସ୍, ଶଗଡ, ତାଲାଚାବି ଥିବା ମାସ୍କ ଦୋକାନରେ ମିଳୁଥିବା ବେଳେ ଦଳୀୟ ଚିହ୍ନ ଶଙ୍ଖ, ପଦ୍ମ, ହାତର ବି ଚିହ୍ନ ଥିବା ମାସ୍କ ମିଳିଛୁ । ଯାହାକୁ କିଣିବାକୁ ପ୍ରାର୍ଥୀଙ୍କ ସମ୍ପର୍କୀୟ ଏବଂ ସମର୍ଥକ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳୁଛି ।
ୱାର୍ଡ ମେମ୍ବରଙ୍କ ଚିହ୍ନ ଠାରୁ ଜିଲ୍ଲା ପରିଷଦ ଯାଏଁ ସବୁକିଛି ବରାଦ ମୁତାବକ ତିଆରି କରାଯାଏ । ବଜାରର ମାସ୍କ ପରି ଏ ନିର୍ବାଚନୀ ମାସ୍କର ମଧ୍ୟ କମ ଦାମରେ ମିଳୁଛି । ଗୋଟିଏ ମାସ୍କର ଦାମ ମାତ୍ର ୨୦ ଟଙ୍କା ଲେଖା ବିକ୍ରି ହେଉଥିବା ବେଳ ଇତି ମଧ୍ୟରେ ୪୦ରୁ ୫୦ ହଜାର ମାସ୍କ ବିକ୍ରି ସରିଥିବା ଜଣାପଡିଛି । ପଞ୍ଚାୟତ ପ୍ରଚାରର ଏ ମାସ୍କ ଷ୍ଟାଇଲ୍ ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି ।