ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତିବାଦ ରାଜନୀତି । ବିରୋଧୀଙ୍କ ପରେ ରାସ୍ତାକୁ ଓହ୍ଲାଇଲା ବିଜେଡି, ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିବାଦ ଆଡକୁ ଟାଣିଲା କଂଗ୍ରେସ ।

137

କନକ ବ୍ୟୁରୋ : ଲଢେଇ ଚାଲିଛି ରାଜରାସ୍ତା ବନାମ ହାଣ୍ଡିଶାଳ । ମମିତା ମେହେର ମାମଲାରେ ବିଜେପି ଆନ୍ଦୋଳନକୁ ତୀବ୍ର କରିଥିବା ବେଳେ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ଶାସକ ଦଳ । ପଞ୍ଚାୟତ ନର୍ବାଚନ ପୂର୍ବରୁ ଚାଲିଥିବା ଏହି ବଳ କଷାକଷି ଲୋକଙ୍କୁ ନିଜ ପଟକୁ ଆକର୍ଷିତ କରିବା ଓ ଶକ୍ତି ପ୍ରଦର୍ଶନ କରିବାର ଏକ ମାଧ୍ୟମ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସେପଟେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଜରିଆରେ ମମିତା ମେହେରଙ୍କ ବାପାମାଆଙ୍କ ଭିଡିଓ ଉପରେ ପ୍ରଶ୍ନ ଉଠାଇଛି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତିବାଦ ରାଜନୀତି । ବିରୋଧୀଙ୍କ ପରେ ରାସ୍ତାକୁ ଓହ୍ଲାଇଲା ବିଜେଡି । ଆଗକୁ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ । ଏହା ପୂର୍ବରୁ ଜୋର ହେଉଛି ପ୍ରତିବାଦ ରାଜନୀତି । ମମିତା ମେହେର ପ୍ରସଙ୍ଗରେ ବିରୋଧୀ ପ୍ରତିବାଦ ଜାରି ରଖିଥିବାବେଳେ, ଦରଦାମକୁ ପ୍ରସଙ୍ଗ କରି ରାସ୍ତାକୁ ଓହ୍ଲାଇଛି ବିଜେଡି ।

ଦରଦାମ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ବିଶେଷ କରି ପ୍ରତ୍ୟକ ପରିବାରର ହାଣ୍ଡିଶାଳ ଉପରେ ସିଧାସଳଖ ପ୍ରଭାବ ପକାଇଥିବା ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଟକ ଆରଡିସି ଅଫିସ ସମେତ ଭୁବନେଶ୍ୱରର ତିନୋଟି ସ୍ଥାନରେ ପ୍ରତିବାଦ କରିଛନ୍ତି ବିଜୁ ଯୁବ, ଛାତ୍ର ଓ ମହିଳା ମୋର୍ଚ୍ଚା କର୍ମୀ । ଚୁଲି ଜାଳି ରୋଷେଇ କରି ପ୍ରତିବାଦ ଜଣାଇଛନ୍ତି । ଅନ୍ୟପଟେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ମମିତାଙ୍କ ପରିବାରକୁ ନ୍ୟାୟ ଦାବିରେ ପ୍ରତିବାଦ କରିଛି ବିଜେପି । ନବୀନ ନିବାସ ଘେରାଉ କରିବାକୁ ରାଜମହଲ ଛକରୁ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ ବିଜେପି କର୍ମୀ । ଶିଶୁ ଭବନ ଛକରେ ପୋଲିସ ସେମାନଙ୍କୁ ଅଟକାଇବାରୁ ଧସ୍ତାଧସ୍ତି ହୋଇଥିଲା ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ କଂଗ୍ରେସର ପ୍ରଶ୍ନ । କେଉଁଠୁ ଆଣିଲେ ମମିତାଙ୍କ ବାପା-ମାଆଙ୍କ ଭିଡିଓ ? ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରି ଆସୁଥିବା କଂଗ୍ରେସ, ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିବାଦ ଭିତରକୁ ଟାଣିଛି । ମନ୍ତ୍ରୀ ଟୁଇଟ୍ କରିଥିବା ମମିତାଙ୍କ ବାପା-ମାଆଙ୍କ ଭିଡିଓ କେଉଁଠୁ ଓ କିପରି ଆଣି ପୋଷ୍ଟ କଲେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏଥିସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି ଏସପି, ବଲାଙ୍ଗିର ଏସପି ଓ ଉତ୍ତରାଞ୍ଚଳ ଡିଆଇଜିଙ୍କ ପଲିଗ୍ରାଫ୍ ଟେଷ୍ଟ କରିବାକୁ ଦଳ ଦାବି କରିଛି ।

ଆଗାମି ଦିନରେ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏହି ପ୍ରତିବାଦ ରାଜନୀତି ଆହୁରି ଜୋରଦାର ହେବ ବୋଲି ଅନୁମାନ କରାଯାଉଛି । ଏହା କର୍ମୀଙ୍କୁ ଏକଜୁଟ୍ କରି ରଖିବାର ଏକ ପ୍ରକାର ମାଧ୍ୟମ ବୋଲି ବୋଧହୁଏ ଧରି ନେଇଛନ୍ତି ପ୍ରମୁଖ ରାଜନୈତିକ ଦଳ ।