୨୦୧୭ ତୁଳନାରେ କମିଲା ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ କୋଟା । ୧୨୫ଟି ସିଟ୍ ହରାଇଲେ ପଛୁଆ ବର୍ଗ ।

138

କନକ ବ୍ୟୁରୋ : ଗତକାଲି ପଂଚାୟତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି, ଓବିସିଙ୍କୁ କାହିଁକି ୨୭ପ୍ରତିଶତ କୋଟା ଦେଲେ ନାହିଁ ସରକାର । ସେପଟେ ବିଜେଡି କହିଛି, ପ୍ରାର୍ଥୀ ଦେବା ସମୟରେ ଦଳ ଏହି ଦିଗରେ ବିଚାର କରିବ । ଓବିସି କୋଟା ପ୍ରସଙ୍ଗ ଓଡ଼ିଶାରେ ଏବେ ଚର୍ଚ୍ଚାକୁ ଆସିଛି । ତାର କାରଣ ହେଉଛି ଏହି ବର୍ଗ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

କମିଲା ପଛୁଆବର୍ଗଙ୍କ ପଞ୍ଚାୟତ କୋଟା । ବିରୋଧୀ କହିଲେ, ୨୭%ର ପ୍ରତିଶ୍ରୁତି କୁଆଡେ ଗଲା ? ପଞ୍ଚାୟତ ନିର୍ବାଚନ ନେଇ ସରଗରମ ହେଲାଣି ରାଜ୍ୟ ରାଜନୀତି । ଚୂଡାନ୍ତ ସଂରକ୍ଷଣ ତାଲିକା ଜାରି ହୋଇସାରିଛି । ଅନୁସୁଚିତ ଜାତି, ଜନଜାତି, ପଛୁଆବର୍ଗ ଓ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ସରକାର । କିନ୍ତୁ ୨୦୧୭ ତୁଳନାରେ ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ କୋଟା କମିଛି । ପ୍ରକାଶ ପାଇଥିବା ଚୂଡାନ୍ତ ଜିଲ୍ଲା ପରିଷଦ ତାଲିକାରେ ପାଖାପାଖି ୧୨ ପ୍ରତିଶତ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ କରାଯାଇଛି ।

୩୦ ଜିଲ୍ଲାରୁ ୧୪ଟି ଜିଲ୍ଲା ସୁନ୍ଦରଗଡ, ସମ୍ବଲପୁର, ରାୟଗଡା, ନୂଆପଡା, ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ଝାରସୁଗୁଡା, ଗଜପତି, ଦେବଗଡ ଏହି ସବୁ ଜିଲ୍ଲାରେ ଓବିସିଙ୍କ ପାଇଁ କୌଣସି ଜିଲ୍ଲା ପରିଷଦ ଜୋନ୍ ସଂରକ୍ଷଣ ନାହିଁ । ୮୫୩ଟି ଜିଲ୍ଲା ପରିଷଦ ଜୋନରୁ ୧୦୪ଟି ଜୋନରେ କେବଳ ଓବିସିଙ୍କ ପାଇଁ ସଂରକ୍ଷଣ ରହିଛି । ସେଥିର ପଛୁଆ ବର୍ଗ ପୁରୁଷଙ୍କ ପାଇଁ ୪୯ ଓ ମହିଳାଙ୍କ ପାଇଁ ୫୫ ରହିଛି । ଯାହା ୨୦୧୭ ଜିଲ୍ଲା ପରିଷଦ ନିର୍ବାଚନ ତୁଳନାରେ ୧୨୫ଟି ସିଟ୍ ହରାଇଛନ୍ତି ପଛୁଆ ବର୍ଗ ।

ଓବିସି କୋଟା ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେହେତୁ ଓଡିଶାରେ ଏହି ବର୍ଗରେ ପ୍ରାୟ ୫୦ ପ୍ରତିଶତ ଭୋଟର ଅଛନ୍ତି । ଆଉ ଏହି ଭୋଟର, ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନିଅନ୍ତି । ସେଥିପାଇଁ ରାଜ୍ୟରେ ଗୋଟିଏ ବର୍ଷ ହେଲାଣି ଓବିସିକୁ ନେଇ ଜୋରଦାର ରାଜନୀତି ଚାଲିଛି । ପଂଚାୟତ ସଂରକ୍ଷଣରେ ପଛୁଆ ବର୍ଗର ସଂରକ୍ଷଣ ସ୍ଥାନ କମିଥିଲା ବେଳେ କିନ୍ତୁ ନିର୍ବାଚନରେ କେଉଁ ଦଳ ପଛୁଆ ବର୍ଗଙ୍କୁ କେତେ ପ୍ରାର୍ଥୀ କରୁଛି ତା ଉପରେ ରହିଛି ନଜର ।