ପଞ୍ଚାୟତ ନିର୍ବାଚନ : କର୍ମୀଙ୍କୁ ଏକାଠି ରଖିବାକୁ ମନ୍ତ୍ରୀ ଛୁଆଁଇଲେ ଅବଢ଼ା । ବାଲେଶ୍ୱରରେ ରାତିରେ ଟିକେଟ ମିଳିଲା, ସକାଳେ କଟିଗଲା

185

କନକ ବ୍ୟୁରୋ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଥିଲା ଶେଷ ତାରିଖ । ଶେଷ ଦିନରେ ନାମାଙ୍କନ କରିବା ପାଇଁ ସବୁଠି ଆଶାୟୀ ପ୍ରାର୍ଥୀଙ୍କ ଭିଡ ଦେଖିବାକୁ ମିଳିଥିଲା । ହେଲେ ଏହା ଭିତରେ ସାମନାକୁ ଆସିଥିଲା ଯିଏ ଟିକେଟ ପାଇଥିଲେ ସେମାନଙ୍କ ଖୁସି ଆଉ ଯେଉଁମାନଙ୍କ ଟିକେଟ କଟି ଯାଇଛି ସେମାନଙ୍କ କ୍ଷୋଭ ।

ବାଲେଶ୍ୱରରେ ଜଣେ ଜିଲ୍ଲାପରିଷଦ ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଥିବାବେଳେ ଶେଷ ମୁହୁର୍ତ୍ତର୍ରେ କାଟି ଦେଇଥିବା ଅଭିଯୋଗ ହୋଇଛି । ସେହିପରି ବାଲିକୁଦାରେ ମନ୍ତ୍ରୀ ରଘୁନନ୍ଦନ ଦାସ ସମସ୍ତଙ୍କୁ ସମର୍ଥନ କରିପାରିନଥିଲେ ବି ସମସ୍ତଙ୍କୁ ଏକାଠି ରଖିବାକୁ ଅବଢ଼ା ଛୁଆଁଇଥିବା ଅଭିଯୋଗ ହୋଇଛି । ଯାହା ପଞ୍ଚାୟତ ନିର୍ବାଚନକୁ ବେଶ ପ୍ରଭାବିତ କରିବ ।

ଚର୍ଚ୍ଚାରେ ମନ୍ତ୍ରୀ ରଘୁନନ୍ଦନଙ୍କ ଅବଢା ଛୁଆଁ ରାଜନୀତି

ଅବଢ଼ା ଛୁଆଇଁ କର୍ମୀଙ୍କୁ ଏକାଠି ରଖିବାକୁ ନେତାଙ୍କ ପ୍ରୟାସ

ଜଗତସିଂହପୁର ଜିଲ୍ଳା ବାଲିକୁଦା ବ୍ଲକରେ ଏକାଠି ହୋଇଥିଲେ ବିଭିନ୍ନ ପଞ୍ଚାୟତର କର୍ମୀ । ଆଉ ମନ୍ତ୍ରୀ ରଘୁନନ୍ଦନ ଦାସ ବ୍ଲକରେ ଥିବା ୩୦ଟି ପଞ୍ଚାୟତ ମଧ୍ୟରୁ ୨୮ଟି ପାଇଁ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ନାମ ଘୋଷଣା କରଥିଲେ । ତେବେ ପ୍ରାର୍ଥୀଙ୍କ ନାଁ ଘୋଷଣା ପୂର୍ବରୁ ମନ୍ତ୍ରୀ ପ୍ରଥମେ ଅବଢା କୁଡୁଆ ରଖି ଆଶୟୀମାନଙ୍କୁ ତାଙ୍କ ନିଷ୍ପତ୍ତି ମାନି ନେବାକୁ ଶପଥ କରାଇଥିଲେ ବୋଲି ଅଭିଯୋଗ ହୋଇଛି । ଯାହାକୁ ନେଇ କିଛି ଆଶାୟୀ ପ୍ରାର୍ଥୀ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ।

ରାତିରେ ଟିକେଟ ଥିଲା, ସକାଳୁ କଟିଗଲା!

ବାଲେଶ୍ୱର ଜିଲ୍ଲାର ୩୮ ନମ୍ବର ଜୋନ ପାଇଁ ବିଜେପିରୁ ଟିକେଟ ଦେବାକୁ ବିଳମ୍ବିିତ ରାତି ପର୍ଯ୍ୟନ୍ତ ପ୍ର୍ତିଶ୍ରୁତି ଦିଆଯାଇଥିଲେ ବି ଶେଷ ମୁହୂର୍ତ୍ତରେ କାଟି ଦେଇଥିବା ଅଭିଯୋଗ ହୋଇଛି । ଆଉ ଟିକେଟ ନମିଳିବାରୁ ଆଶାୟୀ ପ୍ରାର୍ଥୀ ସ୍ୱାଧୀନ ଭାବେ ନାମାଙ୍କନ କରିଛନ୍ତି ଓ ଖୋଲାଖୋଲି ଦଳ ଓ ସ୍ଥାନୀୟ ନେତାଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ।

ତେବେ ଗୋଟିଏ ଗୋଟିଏ ଆସନ ପାଇଁ ଏକାଧିକ ଆଶାୟୀ ପ୍ରାର୍ଥୀ ଥିବାରୁ ସେମାନଙ୍କୁ ସନ୍ତୁଷ୍ଟ କରିବା ଦଳୀୟ ନେତାଙ୍କ ବଡ ଚ୍ୟାଲେଞ୍ଜ ହୋଇଛି । ଯାହାଫଳରେ ଚଳିତ ବର୍ଷ ନିର୍ବାଚନରେ ଗୀତା ଛୁଆଁ, ମହାପ୍ରସାଦ ଛୁଆଁ ଭଳି ନୂଆ ନୂଆ ପରୀକ୍ଷା ନିରୀକ୍ଷା ଦେଖିବାକୁ ମିଳୁଛି । କିନ୍ତୁ ଏହି ନୂଆ ରଣକୌଶଳ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବାରେ କେତେ ସଫଳ ଦେଉଛି ତାହା ନିର୍ବାଚନ ଫଳାଫଳ ଆସିଲେ ସ୍ପଷ୍ଟ ହେବ ।