ପଞ୍ଚାୟତ ନିର୍ବାଚନ : ପ୍ରଥମଥର ୩ଟି ପର୍ଯ୍ୟାୟରେ ହେବ ଭୋଟ ଗଣତି । ଜାଣନ୍ତୁ କେବେ ହେବ ଭୋଟ ଗଣତି?

258

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ବାଜିଛି ବିଗୁଲ । ରାଜ୍ୟରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ୩ଟି ପର୍ଯ୍ୟାୟରେ ଭୋଟଗଣତି ଓ ଫଳାଫଳ ପ୍ରକାଶ ପାଇବ । ଆସନ୍ତା ଫେବ୍ରୁଆରୀ ୧୬ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ୨୪ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ହେବ । ପ୍ରତ୍ୟେକ ପର୍ଯ୍ୟାୟ ନିର୍ବାଚନ ମଧ୍ୟରେ ଗୋଟିଏ ଦିନ ବ୍ୟବଧାନ ରହିବ । ତେଣୁ ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ରେ ନିର୍ବାଚନ ହେବ । ସେହିଭଳି ଚଳିତ ଥର ରାଜ୍ୟର ସମସ୍ତ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଭୋଟଗଣତି ହେବ । ତେବେ ଚଳିତଥର ପ୍ରଥମଥର ପାଇଁ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଆସନ୍ତା ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ ।

ପ୍ରତ୍ୟେକ ଦିନ ଗୋଟିଏ ବ୍ଲକରେ ଗୋଟିଏ ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି କରାଯିବ । ସେହି ଜିଲ୍ଲା ପରିଷଦ ଜୋନରେ ଯେତେ ସରପଞ୍ଚ ଓ ସମିତି ସଭ୍ୟ ଥିବେ ସେମାନଙ୍କର ମଧ୍ୟ ଭୋଟଗଣତି ସେହିଦିନ ହେବ । ଭୋଟ ଗଣତିକୁ ସରଳ ଓ ସହଜ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ କୋଭିଡ କଟକଣା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ।

ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ୧୭ ଜାନୁଆରୀରୁ ୨୧ ଜାନୁଆରୀ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ ।୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ କରାଯିବ, ୨୫ ଜାନୁଆରୀ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହି ୨୫ ଜାନୁଆରୀ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହେବା ପରେ ବ୍ଲକସ୍ତରରେ ଭୋଟ ଗଣତି ହେବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ।