କରୋନା ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ: ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ସୂଚନା; ପରବର୍ତ୍ତି ସମୟରେ ନିଆଯିବ ନିଷ୍ପତ୍ତି

ମାର୍ଚ୍ଚ ୨୪ରେ ରାଜ୍ୟର ୨୦ଟି ଜିଲ୍ଲାରେ ହୋଇଥାନ୍ତା ଉପନିର୍ବାଚନ

294

କନକ ବ୍ୟୁରୋ: ସ୍ଥିଗିତ ହେଲା ପଂଚାୟତ ଉପ-ନିର୍ବାଚନ । ରାଜ୍ୟରେ କରୋନା ଭୂତାଣୁ ସ୍ଥିତିକୁ ଦୃଷ୍ଟିରେ ରଖି ଆଗକୁ ହେବାକୁ ଥିବା ପଂଚାୟତ ଉପ-ନିର୍ବାଚନକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ନିର୍ବାଚନ ଆୟୋଗ ଏନେଇ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି । ଆସନ୍ତା ୨୪ ମାର୍ଚ୍ଚରେ ରାଜ୍ୟର ୨୦ଟି ଜିଲ୍ଲାରେ ୨ଟି ଜିଲ୍ଲା ପରିଷଦ ସଭ୍ୟ, ୬ଟି ସରପଂଚ, ୮ଟି ସମିତି ସଭ୍ୟ ଓ ୮୪ ୱାର୍ଡ ମେମ୍ବର ପଦବୀ ପୂରଣ ପାଇଁ ହେବାକୁ ଥିବା ଉପ-ନିର୍ବାଚନ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ସେହିଭଳି କରୋନା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ପୂର୍ବରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଥିବା ବେଳେ ଏବେ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି । ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଓ ଏକାଦଶର ପରୀକ୍ଷାକୁ ସ୍ଥଗିତ ରହିବାକୁ ନିର୍ଦ୍ଦେଶ ରହିଛି । ଦ୍ୱାଦଶ ଶ୍ରେଣୀ ପାଇଁ ଚାଲୁ ରହିଥିବା ପରୀକ୍ଷା କେବଳ ଜାରି ରହିବ । ଶିକ୍ଷକମାନେ ସ୍କୁଲକୁ ନଆସିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲକୁ ନଆସିଲେ ବି ଶିକ୍ଷକମାନେ ଆଲର୍ଟ ରହିବେ ।ଜରୁରୀ ନିର୍ଦ୍ଦେଶ ପାଇଁ ଫୋନରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । । ଦଶମ ଓ ଦ୍ୱାଦଶ ପରୀକ୍ଷା ଖାତାଦେଖା ଯଥାରୀତିରେ ଚାଲିବ ବୋଲି କୁହାଯାଇଛି ।

ସେପଟେ, କରୋନା ନେଇ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ବସରେ ଓଭରଲୋଡିଂ ନକରିନେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସିଟଠୁ ଅଧିକ ଲୋକଙ୍କୁ ବସରେ ନେବାକୁ ମନା କରାଯାଇଛି । ବସର ଡ୍ରାଇଭରଙ୍କ ଠାରୁ ନେଇ ସମସ୍ତେ ମାସ୍କ ପିନ୍ଧିବେ । କର୍ମଚାରୀମାନେ ସ୍ୱଚ୍ଚତାକୁ ପ୍ରାଧାନ୍ୟ ଦେବାକୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଛି । ଏହି ସମସ୍ତ ନିୟମକୁ ମାନିବାକୁ ବାଧ୍ୟ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

କରୋନା ସତର୍କତା ପାଇଁ ଆଜି ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ବନ୍ଦ ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ । ୨୪ ଘଂଟା ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପିଜି କାଉନସିଲ୍ ଅଧ୍ୟକ୍ଷା । କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଓ ମେସ୍ ଗୁଡିକୁ ବନ୍ଦ କରିବା ନେଇ ରେସିଡେଂଟସ କମିଟି ବୈଠକରେ ନିଷ୍ପତିପରେ ଏପରି ଘୋଷଣା ହୋଇଛି । ଆଗରୁ ୧୪ ତାରିଖରୁ ଯେଉଁ ଛାତ୍ରଛାତ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାଡିବାକୁ ଚାହୁଁଛନ୍ତି ନୋଟିସ୍ ଜାରି କରାଯାଇଥିଲା । ଯେଉଁ ବିଭାଗ ଗୁଡିକର ମିଡ୍ ସେମିଷ୍ଟର ପରୀକ୍ଷା ରହିଛି ସେଗୁଡିକୁ ନେଇ ମାର୍ଚ ୩୧ ତାରିଖ ପରେ ନିଷ୍ପତି ନିଆଯିବ ବୋଲି କୁହାଯାଇଛି ।