କନକ ବ୍ୟୁରୋ : ଆଦିବାସୀ ଅଧ୍ୟୁସିତ ସୁନ୍ଦରଗଡ ଜିଲ୍ଲାର କୋଟିପତି ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା । ବିଜେଡି, ବିଜେପି ଓ ଜେଏମଏମର ୩ ଜିଲ୍ଲା ପରିଷଦ ପ୍ରାର୍ଥୀ କୋଟିପତି । ସତ୍ୟପାଠରେ ଦେଇଥିବା ତଥ୍ୟରୁ ଏହା ଜଣାପଡିଛି । ଏମାନେ ହେଉଛନ୍ତି ସୁନ୍ଦରଗଡ (କ) ଜିଲ୍ଲା ପରିଷଦ ଜୋନ୍ ପାଇଁ ବିଜେପି ପ୍ରାର୍ଥୀ ପ୍ରବୀଣ କୁମାର ନାୟକ, କୋଇଡା (ଖ) ଜିଲ୍ଲା ପରିଷଦ ଜୋନରୁ ବିଜେଡି ପ୍ରାର୍ଥୀ ଅଶୋକ କୁମାର ନାୟକ ଓ ବିଶ୍ରା (ଖ) ଜିଲ୍ଲାପରିଷଦ ପାଇଁ ଜେଏମଏମ ପ୍ରାର୍ଥୀ ଲେଥା ତିର୍କୀ ।

Advertisment

ବିଜେପି ପ୍ରାର୍ଥୀ ପ୍ରବୀଣ ଓ ତାଙ୍କ ସଂପର୍କୀୟଙ୍କ ନାଁରେ ମୋଟ୍ ୨ କୋଟି ୯୫ ଲକ୍ଷ ୭୦ ହଜାର ୯୭୩ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତି ରହିଛି । ତାଙ୍କ ନାଁରେ ୨୦ ଲକ୍ଷ ଟଙ୍କାର ଜମି ରହିଛି । ପତ୍ନୀଙ୍କ ନାଁରେ ୪ ଲକ୍ଷ ଓ ନିଜ ନାଁରେ ଦେଢଲକ୍ଷ ଟଙ୍କାର ସୁନା ଗହଣା ରହିଛି । ବିଭିନ୍ନ ବ୍ୟାଙ୍କରରେ ପତ୍ନୀ ଓ ତାଙ୍କ ନାଁରେ ୧୬ ଲକ୍ଷ ୧୮ ହଜାର ୪୫୨ ଟଙ୍କାର ଜମା ରହିଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି ।

ସେହିପରି ଅନ୍ୟ କୋଟିପତି ବିଜେଡି ପ୍ରାର୍ଥୀ ଅଶୋକ କୁମାର ନାୟକଙ୍କ ସ୍ଥାବର, ଅସ୍ଥାବର ସଂପତିର ମୂଲ୍ୟ ୩ କୋଟି ୭୫ ଲକ୍ଷ ଟଙ୍କା । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ତାଙ୍କର ୧ କୋଟି ୧୦ ଲକ୍ଷ ୪୦ ହଜାର ଟଙ୍କାର ଏକ ପ୍ଲଟ ରହିଛି । ସେହିପରି ୨ କୋଟି ୧ ଲକ୍ଷ ୫ ହଜାର ଟଙ୍କାର ବିଭିନ୍ନ ଗାଡି ଥିବା ସତ୍ୟପାଠରେ ଦର୍ଶାଇଛନ୍ତି ।

ଜିଲ୍ଲାର ଆଉଜଣେ କୋଟିପତି ପ୍ରାର୍ଥୀ ହେଲେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଜିଲ୍ଲା ପରିଷଦ ପ୍ରାର୍ଥୀ ଲେଥା ତିର୍କୀ । ତାଙ୍କ ପାଖରେ ରହିଛି ୨୫ କୋଟି ୨୮ ଲକ୍ଷ ୧୮ ହଜାର ଟଙ୍କାର ସ୍ଥାବର, ଅସ୍ଥାବର ସଂପତି । ଜାମସେରାରେ ୧ କୋଟି ଓ ଜଗଦାରେ ୨୪ କୋଟି ଟଙ୍କାର ଜମି ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଏହି ଜେଏମଏମ ପ୍ରାର୍ଥୀ । ସାରାଜିଲ୍ଲାରେ ଏବେ ଏହି ତିନି କୋଟିପତି ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି ।