କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ବିଜେଡି ନିଜର ଆଦିପତ୍ୟ ଦୀର୍ଘ ୨୨ ବର୍ଷ ଧରି ପ୍ରଦର୍ଶନ କରି ଆସୁଛି । ବିଜେଡି ଆରମ୍ଭ ସମୟରେ ରାଜ୍ୟରେ କଂଗ୍ରେସ ପ୍ରମୁଖ ଦଳ ଭାବେ ଆଧିପତ୍ୟ ବିସ୍ତାର କରିଥିଲା । ପରବର୍ତ୍ତୀ ସମୟରେ କଂଗ୍ରେସ ଧୀରେ ଧୀରେ ଦୁର୍ବଳ ହୋଇଛି ଓ ୨୦୧୪ ମସିହାରେ କଂଗ୍ରେସ ଲୋକସଭା ଆସନର ଶୂନକୁ ଓ ବିଧାୟକ ସଂଖ୍ୟା ୨୭ରୁ ୧୬କୁ ଖସିଥିଲା । ୨୦୧୭ ମସିହାରେ ପ୍ରଥମ ଥର ପାଇଁ କଂଗ୍ରେସ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲା ।

Advertisment

ଗତ ୨୦୧୯ ସାଧାରଣ ନିର୍ବାଚନ କାଳରେ କଂଗ୍ରେସ କୋରାପସ୍ୱଙ୍କ ଲୋକସଭା ସହ ମାତ୍ର ୯ଟି ବିଧାନସଭା ଆସନ ହାତେଇ ପାରିଥିଲା । ଗଣତି ଚାଲିଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏତେଟା ଭଲ ପ୍ରଦର୍ଶନ କରିନାହିଁ । ମାତ୍ର ମୁଖ୍ୟ ବିରୋଧୀ ଦଳ ବିଜେପିର ଅତି ଶୋଚନୀୟ ପ୍ରଦର୍ଶନ କଂଗ୍ରେସକୁ ରାଜ୍ୟ ରାଜନୀତିର ବିତର୍କକୁ ଆଣିଛି । ପ୍ରଥମ ଦିନରେ ବିଜେପି ୧୫ଟି ଆଶନ ହାତେଇଥିଲା । ଏହାପଛକୁ କଂଗ୍ରେସ ମାତ୍ର ଗୋଟିଏ ଆସନ ପଛରେ ରହିଥିଲା । କଂଗ୍ରେସ ପ୍ରାର୍ଥୀ ୧୪ଜିଲ୍ଲା ପରିଷଦ ହାତେଇବାରେ ସକ୍ଷମ ହୋଇଥିଲେ । ଶେଷ ଖବର ସୁଦ୍ଧା ଦ୍ୱିତୀୟ ଦିନରେ କଂଗ୍ରେସ ଆଶାଠାରୁ ଅଧିକ ଭଲ କରିଛି । ତେଣୁ ମୁଖ୍ୟ ବିରୋଧୀ ଦଳ ବିଜେପି ଗ୍ରହଣୀୟ ନହେବା କଂଗ୍ରେସ ପାଇଁ ସୁଯୋଗ ଆଣିଦେଇଥିବା ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି ।

ରାଜ୍ୟ ରାଜନୀତିକୁ ବହୁଳ ଭାବେ ପ୍ରଭାବିତ କରୁଥିବା ଉପକୂଳରେ କଂଗ୍ରେସ କିନ୍ତୁ ସମ୍ମାନଜନକ ପ୍ରଦର୍ଶନ କରିପାରିନାହିଁ । ଅବିଭକ୍ତ ପୁରୀ, କଟକ, ଢେଙ୍କାନାଳ ଆଦିରେ ଏଯାବତ୍ ଗୋଟିଏ ହେଲେ ଜିଲ୍ଲା ପରିଷଦ ଜୋନ୍ ଜିତି ପାରିନାହିଁ । ଉପକୂଳରେ ବିଜେଡି ଉଭୟ କଂଗ୍ରେସ ଉଭୟ କଂଗ୍ରେସ ଏବଂ ବିଜେପିକୁ ପଛକୁ ଠେଲି ଦେଇଛି । ଯାହା ସାରା ରାଜ୍ୟରେ ଦଳ ସପକ୍ଷ ବାତାବରଣ ସୃଷ୍ଟିରେ ସହାୟକ ହୋଇପାରୁ ନାହିଁ । ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦଳର ସାଂସଦ ସପ୍ତଗିରି ଉଲ୍ଲାକା ଏବଂ ଜୟପୁର ବିଧାୟକ ତାରା ବାହିନୀପତି ଅନେକାଂଶରେ ସକ୍ରିୟ । ପୂର୍ବରୁ ଜିଲ୍ଲାରେ ପାରମ୍ପରିକ ଭୋଟ ଏବଂ ପୂର୍ବ ନିର୍ବାଚନରେ ମିଳିଥିବା ସଫଳତାକୁ ବଜାୟ ରଖିବାରେ ଦଳ ସକ୍ଷମ ହୋଇପାରିଛି ।

ଚଳିତ ଥର ପଞ୍ଚାୟତ ଫଇସଲାରେ ବଡ ପରିବର୍ତ୍ତନ ହେଲା ପରି ସମ୍ଭାବନା ରହିଛି । କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିବ ବୋଲି ଆଶା ରଖିଛି । କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ମଧ୍ୟ ନିଜ ପ୍ରତିକ୍ରିୟାରେ କହିଥିଲେ ବିଜେଡି ନଂ ୱାନ୍ ସ୍ଥିତି ବଜାୟ ରଖିବ । କଂଗ୍ରେସ ଦ୍ୱିତୀୟ ଓ ବିଜେପି ତୃୀତୟ ସ୍ଥାନକୁ ଖସି ଆସିବ । ତାଙ୍କ କଥା ଆଉ ସତ ହୋଇଯିବନି ତ ! ଆଜି ଗଣତି ଶେଷ ସୁଦ୍ଧା ସ୍ପଷ୍ଟ ହୋଇଯିବ ବିଜେପି ଓ କଂଗ୍ରେସ କେଉଁ ସ୍ଥାନରେ ରହୁଛନ୍ତି । ବିଜେଡି ବଡ ବିଜୟ ଆଡକୁ ଆଗେଇ ଚାଲିଛି ।