କଂଗ୍ରେସ ହାତ ଛାଡିଲେ ପ୍ରଦୀପ ମାଝୀ । ପଢନ୍ତୁ, ଇସ୍ତଫା ପରେ କଣ କହିଲେ ପଞ୍ଚାନନ୍ କାନୁନଗୋ?

227

କନକ ବ୍ୟୁରୋ: କଂଗ୍ରେସ ହାତ ଛାଡିଛନ୍ତି ରାଜ୍ୟର ଟାଣୁଆ ଯୁବନେତା ତଥା କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଦୀପ ମାଝୀ । ଆଜି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ତେବେ ତାଙ୍କର ଇସ୍ତଫା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ତାଙ୍କ କହିବା ମୁତାବକ, ଦକ୍ଷିଣ ଓଡିଶାରେ କଂଗ୍ରେସ ନେତାଙ୍କ ଭଲ ଲୋକସମ୍ପର୍କ ରହିଛି । ହେଲେ ଦଳୀୟ ଭିତ୍ତିରେ କଂଗ୍ରେସ ଏହି କ୍ଷେତ୍ରରେ ବେଶ ସୁଦୃଢ । ପ୍ରଦୀପଙ୍କ ଇସ୍ତଫା ପରେ ମଧ୍ୟ ସେଠାରେ ସେଭଳି କିଛି ପ୍ରଭାବ ଦେଖିବାକୁ ମିଳିବନି ବୋଲି ପଞ୍ଚାନନ କହିଛନ୍ତି ।

ଅନ୍ୟପଟେ ଗତ କିଛି ଦିନ ହେଲା ପ୍ରଦୀପଙ୍କ ଇସ୍ତଫା ନେଇ ଚର୍ଚ୍ଚା ହେଉଥିଲା । ହେଲେ ସେ କଥାକୁ ପଞ୍ଚାନନ ବିଶ୍ୱାସ କରୁନଥିଲେ । ହେଲେ ଆଜି ପ୍ରଦୀପ ମାଝୀ ଇସ୍ତଫା ଦେଇଛନ୍ତି । ଦଳର ଖରାପ ପରିସ୍ଥିତିରେ ବହୁତ କମ ଲୋକ ଦଳରେ ରହିଥାନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ୍ କାନୁନଗୋ ।

ତେବେ ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ସେ କେଉଁ ଦଳରେ ସାମିଲ ହେବେ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି କଂଗ୍ରେସର ହାତ ଛାଡିଥିବା ଏହି ପୂୂୂର୍ବତନ ସାଂସଦ ବିଜେଡିରେ ଯୋଗ ଦେଇପାରନ୍ତି । ନବରଙ୍ଗପୁରରେ ଆୟୋଜିତ ହେବାକୁୁ ଥିବା ଏକ ବିରାଟ ସମାବେଶରେ ପ୍ରଦୀପ ମାଝୀ ନିଜ ସମର୍ଥକଙ୍କୁ ନେଇ ଶଙ୍ଖ ଫୁଙ୍କିବେ । ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏହା ଏକ ବଡ ଝଟକା ବୋଲି କୁହାଯାଉଛି ।

ପ୍ରଦୀପ ମାଝୀ ନବରଙ୍ଗପୁର ଲୋକସଭା ଆସନରୁ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ରାଜ୍ୟର ଜଣେ ଯୁବ ନେତା ହୋଇଥିଲେ ବି ଦିଲ୍ଲୀରେ ତାଙ୍କର ଭଲ ଦବଦବା ଥିଲା । ଏହାପରେ କିନ୍ତୁ ସେ ଦୁଇଥର ସାଂସଦ ପ୍ରାର୍ଥୀ ହୋଇ ନିର୍ବାଚନରେ ପରାଜୟ ଭୋଗିଛନ୍ତି । ଯେଉଁ କାରଣରୁ ସେ ଶେଷରେ ଦଳକୁ ବାଏ ବାଏ କହିଥିବା ଜଣାପଡୁଛି । ଅନ୍ୟପଟେ ତାଙ୍କ ବାପା ଭଗବାନ ମାଝୀ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଅନୁଗତ ଥିଲେ । ୧୯୯୨ରୁ ୯୪ ମସିହା ଯାଏଁ ପ୍ରଦୀପଙ୍କ ବାପା ଝରିଗାଁ ବ୍ଲକର ଚେୟାରମ୍ୟାନ୍ ଥିଲେ । ଏହାପରେ ସେ ରାଜ୍ୟସଭା ସାଂସଦ ହୋଇଥିଲେ । ତେଣୁ କଂଗ୍ରେସ ହାତ ଛାଡିବା ପରେ ପ୍ରଦୀପ ମାଝୀ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।