କନକ ବ୍ୟୁରୋ : କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ସୁଦ୍ଧା ଓଡ଼ିଶାର କୌଣସି ନେତାଙ୍କ ନାଁ ନାହିଁ । ଅନ୍ୟପଟେ ଆଜି କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ବସୁଛି । ସ୍କ୍ରିନିଂ କମିଟିରେ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରାଯାଇ ସିଇସିକୁ ପଠାଯିବ । ଏହାପରେ ପ୍ରାର୍ଥୀଙ୍କ ନାଁରେ ମୋହର ବାଜିବ । ତେବେ କଂଗ୍ରେସର କେଉଁ ଆସନରୁ କିଏ ପ୍ରାର୍ଥୀ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏହା ଭିତରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ବଡ ବୟାନ ଦେଇଛନ୍ତି ।

ପଞ୍ଚାନନ କହିଛନ୍ତି, ବିଜେଡି ଓ ବିଜେପିର ଅସନ୍ତୁଷ୍ଟ ନେତାଙ୍କୁ କଂଗ୍ରେସ ଅପେକ୍ଷା କରିଛି । ମେଣ୍ଟ ହେଲେ ଯେଉଁ ନେତା ବିଜେଡି-ବିଜେପି ଛାଡିବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ନେତା କଂଗ୍ରେସ ଦଳ ସହ ଯୋଗାଯୋଗରେ ଅଛନ୍ତି । ସେମାନଙ୍କ ନାଁକୁ ମଧ୍ୟ କଂଗ୍ରେସ ବିଚାରକୁ ନେଉଛି । କଂଗ୍ରେସକୁ ଆସିବାକୁ ଇଚ୍ଛୁକ ଥିବା ଅନେକ ନେତା ଟିକେଟ ଦାବିଦାର ମଧ୍ୟ । ତେଣୁ ସେମାନଙ୍କୁ ଟିକେଟ ଦେବା ପାଇଁ ଦଳ କିଛି ଆସନ ବାବଦରେ ଏଯାଏଁ ନିଷ୍ପତ୍ତି ନେଇନାହିଁ । ଦଳର ପୁରୁଣା ନେତାଙ୍କୁ ପ୍ରଥମେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ପଞ୍ଚାନନ ।

ଅନ୍ୟପଟେ ଆସନ୍ତା ୧୫ ସୁଦ୍ଧା କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ପଞ୍ଚାନନ କହିଛନ୍ତି । ଯେଉଁ ତାଲିକାରେ ୬୬ଟି ବିଧାନସଭା ଓ ୧୨ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯିବ । ଏହାସହ ୧୫ରେ କଂଗ୍ରେସର ଇସ୍ତାହାର ମଧ୍ୟ ଘୋଷଣା କରାଯିବ ।