ଆଜିଠୁ ଆରମ୍ଭ ପଞ୍ଚୁକ ବ୍ରତ : ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ପ୍ରଥମ ଦିନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଲକ୍ଷ୍ମିନାରାୟଣ ବେଶ; ବଡ ଦାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି , ୨୦ ପ୍ଲାଟୁନ ଫୋର୍ସ ମୂତୟନ 

165

କନକ ବ୍ୟୁରୋ : ଆଜି ଆରମ୍ଭ କାର୍ତ୍ତିକ ମାସର ପଞ୍ଚୁକ ବ୍ରତ । ପଞ୍ଚୁକ ବ୍ରତର ପ୍ରଥମ ଦିନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଲକ୍ଷ୍ମିନାରାୟଣ ବେଶ  । କିନ୍ତୁ ଶ୍ରୀମନ୍ଦିରରେ ଆଜି ଦର୍ଶନ କରିପାରିବେନି ଭକ୍ତ । ମାର୍ଗଦର୍ଶିକା ଅନୁଯାୟୀ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲେ ବି ପତିତପାବନ ଦର୍ଶନ ପାଇଁ ସିଂହଦ୍ୱାର ଓ ବଡଦାଣ୍ଡରେ ଗହଳି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ବଡଦାଣ୍ଡରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ଚଳିତ ମାସ ୧୬ ତାରିଖରେ ବାଙ୍କଚୂଡ଼ ତଥା ବାମନ ବେଶ ଓ ଗରୁଡ଼ ନୀତି, ୧୭ ତାରିଖରେ ଡାଳିକିଆ ତଥା ତ୍ରିବିକ୍ରମ ବେଶ, ୧୮ ତାରିଖରେ ଲକ୍ଷ୍ମୀନୃସିଂହ ବେ‌ଶ ଏବଂ ୧୯ ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ । ପଞ୍ଚକ ପାଞ୍ଚ ଦିନ ନିଷ୍ଠାର ସହ ବ୍ରତ ପାଳନ କଲେ ଅଜସ୍ର ପୁଣ୍ୟ ଅର୍ଜନର ବିଶ୍ବାସ ରହିଛି । ଅନାଦି କାଳରୁ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନର ମହାତ୍ମ୍ୟ ରହିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ବ୍ୟାପକ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ପୁରୀ ଏସ୍‌ପି କେ ବିଶାଲ ସିଂହ କହିଛନ୍ତି, ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ବ୍ୟବସ୍ଥା ବୃଦ୍ଧି କରାଯାଇଛି ।

ଏଥିପାଇଁ ମରିଚି କୋଟ ଛକଠାରୁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ୨୦ ପ୍ଲାଟୁନ ପୁଲିସ୍‌ ନିୟୋଜିତ ହେବେ । ୩ ଜଣ ଅତିରିକ୍ତଏସ୍‌ପି, ୧୦ ଜଣ ଡିଏସ୍‌ପି, ୩୦ ଇନ୍ସପେକ୍ଟର୍‌ ମଧ୍ୟ ନିୟୋଜିତ ହେବେ। ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିଭଳି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।