ରାତିରେ ମହମହ ବାସୁଥିଲା, ସକାଳୁ ମାଟିରେ ମିଶିଗଲା ! ଅସ୍ତରଙ୍ଗରେ ପାନ ଚାଷୀଙ୍କ ଅମଳ ଉଜାଡି ଦେଲା ଅଦିନିଆ ଝଡ ତୋଫାନ

35

କନକ ବ୍ୟୁରୋ : ଗତ ଦୁଇଦିନ ଧରି କାଳବୈଶାଖୀ ଅସ୍ତରଂଗରେ ପାନଚାଷୀଙ୍କ ଫସଲ ଉଜାଡିଦେଇଛି । କାଳବୈଶାଖୀ ବର୍ଷା ଓ ପବନରେ ନଷ୍ଟ ହୋଇଯାଇଛି ପାନବରଜ । ଧାର କରଜ କରି ଚାଷୀ, ପାନବରଜ କରିଥିଲା । ହେଲେ ଶେଷ ପର୍ଯ୍ୟାୟରେ ସବୁ ମାଟିରେ ମିଶିଯାଇଛି ।

କାଳ ସାଜିଲା କାଳବୈଶାଖୀ । ଉଜୁଡିଗଲା ପାନବରଜ । ରାତିରେ ମହ ମହ ବାସୁଥିବା ସବୁଜ ପାନବରଜ ରାତି ପାହିଲା ବେଳକୁ ମାଟିରେ ମିଶିଯାଇଛି । ଉଜୁଡି ଯାଇଛି ଚାଷୀର ସ୍ୱପ୍ନ । କାଳବୈଶାଖୀ ବର୍ଷା ଓ ଝଡ ତୋଫାନରେ ଫସଲ ଉପରେ ମାଡି ବସିଛି ପାନ ଦଲମ । ମାଟିରେ ଶୋଇ ରହିଛି ଚାଷୀର ସୁନାର ଫସଲ ।

ଡହ ଡହ ଖରାରୁ ପାନ ପତ୍ରକୁ ବଂଚାଇବାକୁ ତିଆରି ହୋଇଥିଲା ଦଲମ । ଧାର କରଜ କରି ଫସଲରେ ପାଣି ଓ କୀଟନାଶକ ଦେଇଥିଲା ଚାଷୀ । ପାନ ବରଜରେ କଅଁଳ ପତ୍ର ମହକି ଉଠୁଥିଲା । ଶେଷ ପର୍ଯ୍ୟାୟରେ ଥିଲା ଫସଲ । ଆଉ ଦିନ କେଇଟା ପରେ ପତ୍ର ତୋଳି ବିକ୍ରି କରିଥାନ୍ତା । ହେଲେ କାଳବୈଶାଖୀ ସବୁ ଛାରଖାର କରିଦେଇଛି ।ପ୍ରକୃତିର କରାଳ ରୂପ ଚାଷୀ ଉପରେ ଦାଉ ସାଜିଛି । ଶେଷ ପର୍ଯ୍ୟାୟରେ ଶେଷ ହୋଇଯାଇଛି ଚାଷୀର ରୋଜଗାର । ଏବେ ଉଜୁଡା ଦଲମକୁ କିଭଳି ସଜାଡିବ, ସେହି ଚିନ୍ତାରେ ଚାଷୀ ।