ପାନର ନାଁ ଫାଷ୍ଟ ନାଇଟ୍ । ଦାମ୍ ୨୫୦୦ ଟଙ୍କା… କିଣିବାକୁ ଲାଗୁଛି ଲୋକଙ୍କ ଭିଡ…

503

କନକ ବ୍ୟୁରୋ: ଗଳି ଗଳିରେ, ଛକ ଛକରେ, ଗାଁ ଗଣ୍ଡାରୁ ସହର ବଜାର, କଲେଜ ଛକରୁ କଚେରୀ, ରେଳଷ୍ଟେସନରୁ ବସଷ୍ଟାଣ୍ଡ… ସବୁଠି ସବୁସ୍ଥାନରେ , ଲାଗି ଲାଗି ହେଉ କି କିଛି ଦୂରତା ଭିତରେ ଆପଣ ଗୋଟେ କି ଦୁଇଟି ପାନ ଦୋକାନ ପାଇବେ । କିଏ ଖାଲି ପାନ ଦୋକାନ କରି ବସିଥାଏ ତ କିଏ ପାନ ସହ ଭେରାଇଟ ଷ୍ଟୋର ବି କରିଥାଏ । କିନ୍ତୁ ପାନ ମିଳେ, ସବୁଠି… ସହରରେ ଚା, କଫି ପାଇଁ କାଫେ ଖୋଲାହୋଇଛି କିନ୍ତୁ ପାନ ପାଇଁ କାଫେ କଥାଟା ଟିକେ ନୂଆ ନୂଆ ଲାଗୁଛି । ଆଜ୍ଞା ହଁ, ପାନ୍ କାଫେ… ଯେଉଁଠି ମିଳିବ ଖାଲି ପାନ ଆଉ ପାନ, ଭଳିକି ଭଳି ପାନ, ବିଭିନ୍ନ ସ୍ୱାଦର ପାନ । ଭିନ୍ନ ଭିନ୍ନ ଦରର ପାନ… ଆମେ ଖାଲି ରଜ ପାନ ଜାଣିଛୁ କିନ୍ତୁ ପାନ୍ କାଫେରେ ମିଳିବ ଆପଣଙ୍କ ମନ ପସନ୍ଦର ପାନ । ସିଲଭର ସିଟି କଟକରେ ଖୋଲିଛି ଏମିତି ଏକ ପାନ୍ କାଫେ ।

 

ଏହି କାଫେରେ ୬୦ ପ୍ରକାରର ପାନ ମିଳେ । ୧୦୦ ଅଧିକ ପ୍ରକାରର ମସଲା ପକାଇ ପାନ ତିଆରି କରାଯାଏ । ଆଇସକ୍ରିମ ପାନ, ଚକଲେଟ ପାନ, କମଳା ପାନ, ମ୍ୟାଙ୍ଗୋ ପାନ, କକୋନଟ ଚକୋ ପାନ, ପାଇନଆପଲ ପାନ, ଗୁଆଭା ଚକୋ ପାନ ଆଦି ରହିଛି । ୧୦୦ ଟଙ୍କା ଭିତରେ ଏହିସବୁ ପାନର ଦାମ ରହିଥିବା ବେଳେ ଲୋକେ ଖାଲି ରଜ ସମୟରେ ନୁହେଁ ବରଂ ଯେକୌଣସି ସମୟରେ ସ୍ୱାଦିଷ୍ଟ ପାନ ଖାଇପାରିବେ ।

ବନାରସି ପାନର ଦାମ ୨୫୧ ଟଙ୍କା ଥିବା ବେଳେ ସ୍ପେଶାଲ ପାନର ଦାମ ୫୦୧ । ହୀରା ପାନର ଦାମ ୧୧୦୦ ଏବଂ ସବୁଠୁ ଦାମିକା ପାନର ଦାମ ରହିଛି ୨୫୦୦ ଟଙ୍କା । ଯାହାର ନାଁ ରହିଛି, ଫାଷ୍ଟ ନାଇଟ ପାନ । ଗୋଲ୍ଡେନ୍ ବାଉଲରେ ଏହି ଫାଷ୍ଟ ନାଇଟ୍ ପାନର ପ୍ୟାକେଜିଂ ଦିଆଯାଉଛି, ଯାହା ଦେଖିବାକୁ ବେଶ ଆକର୍ଷଣୀୟ। ସାଧାରଣତଃ ଏହି ପାନର ଡିମାଣ୍ଡ ମ୍ୟାରେଜ୍ ସିଜିନରେ ଥାଏ । କାହାକୁ ଗିଫ୍ଟ କରିବା ହେଉ ଅବା ସ୍ବାମୀ ସ୍ତ୍ରୀ ଉଭୟ ଉଭୟଙ୍କୁ ଫାଷ୍ଟ ନାଇଟ ଗିଫ୍ଟ କରିଥାନ୍ତି । ତେବେ ଆପଣ ଚାହିଁଲେ ପାନକୁ ଖାଲି କାଫେ ଯାଇ ଖାଇବେ ତା ନୁହେଁ ପାନର ହୋମ୍ ଡେଲିଭରି ବି ହେଉଛି । ଏହି ପାନକୁ ଆପଣ ନେଇ ଘରେ ମଧ୍ୟ ଆରାମରେ ୩ ରୁ ୪ ଦିନ ରଖିପାରିବେ ଯାହା ଫ୍ରେସ୍ ରହିବ ଟେଷ୍ଟି ବି ଲାଗିବ ।