ପାନ ଖିଆଙ୍କୁ ବଡଦେଉଳ ମନା । ଧରାପଡିଲେ ଦେବେ ଜରିମାନା, ଆସନ୍ତା ୧ ତାରିଖରୁ ଲାଗୁ ହେବ ନୂଆ ନିୟମ ।

244

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିଚାଳନା ବୈଠକରେ ବଡ ନିଷ୍ପତି । ଆସନ୍ତା ପହିଲାରୁ ଶ୍ରୀମନ୍ଦିରକୁ ପାନ ଓ ଗୁଟଖା ପ୍ରବେଶ ନିଷିଦ୍ଧ କରାଯାଇଛି । କୌଣସି ସେବାୟତ କିମ୍ବା ଭକ୍ତ ମନ୍ଦିର ମଧ୍ୟକୁ ପାନ ଓ ଗୁଟଖା ନେଇ ପାରିବେ ନାହିଁ । ଏନେଇ ପରିଚାଳନା ବୈଠକରେ ନିଷ୍ପତି ନିଆଯାଇଛି । ପାନ ଓ ଗୁଟଖା ପ୍ରବେଶ ନିଷିଦ୍ଧ ନେଇ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୂଚନା ଫଳକ ମଧ୍ୟ ଲଗାଯିବ । ତେବେ ଏହାପରେ ମଧ୍ୟ ଯଦି କୌଣସି ଭକ୍ତ ଓ ସେବାୟତ ଗୁଟଖା ଓ ପାନ ନେଇ ମନ୍ଦିର ମଧ୍ୟକୁ ପ୍ରବେଶ କରନ୍ତି ତେବେ ସେମାନଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯିବ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ଏହାଛଡା ପରିଚାଳନା ବୈଠକରେ ଚଳିତ ରଥଯାତ୍ର୍ରାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିଥିବାରୁ ରାଜ୍ୟ ସରକାର, ସେବାୟତ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଦିଆଯାଇଛି । ତେବେ ସ୍ନାନପୂର୍ଣ୍ଣିମା ଠାରୁ ନିଳାଦ୍ରୀବିଜେ ମଧ୍ୟରେ ଯେଉଁ ଅଳ୍ପ କିଛି ବିଶୃଙ୍ଖଳା ଦେଖିବାକୁ ମିଳିଥିଲା ତାହାର ସମୀକ୍ଷା ପାଇଁ ଏକ ସବକମିଟି ଗଠନ କରାଯାଇଛି । ଏପରିକି ଏଥିରେ ସମ୍ପୃକ୍ତ ଥିବା ୨୫ ଜଣଙ୍କୁ ନୋଟିସ ଜାରି କରାଯାଇଛି ।

ସେହିଭଳି ମହାପ୍ରଭୁଙ୍କ କୌଣସି ନୀତିରେ ବିଶୃଙ୍ଖଳା ବରଦାସ୍ତ କରାଯିବନି ବୋଲି ପରିଚାଳନା ବୈଠକରେ ସ୍ପଷ୍ଟ କରାଯାଇଛି । ଏହାବାଦ୍ ରଥଯାତ୍ରା ସମୟରେ ଶ୍ରୀମନ୍ଦିରକୁ ଫୁଲରେ ସଜ୍ଜିତ କରିଥିବା ଦିଲ୍ଲୀର କେକେ ଶର୍ମାଙ୍କୁ ସମ୍ମାନିତ କରାଯିବା ନେଇ ବୈଠକରେ ନିଷ୍ପତି ନିଆଯାଇଛି । ଏହାପୂର୍ବରୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବିଭିନ୍ନ ନିୟମ ଲାଗୁ କରାଯାଇଛି । ଧାଡି ଦର୍ଶନ, ସେବାୟତଙ୍କ ଦାନ, ଦକ୍ଷିଣା ଉପରେ କଟକଣା ଲଗାଇଥିଲା ପ୍ରଶାସନ ।