କନକ ବ୍ୟୁରୋ : ରେଳଯାତ୍ରୀଙ୍କ ପାଇଁ ଖୁସିଖବର । ରେଳ ବିଭାଗ ପକ୍ଷରୁ ଯାତ୍ରୀଙ୍କୁ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ ଦିଆଯାଉଥିବା ବେଳେ ଖୁବଶୀଘ୍ର ରେଳ ଷ୍ଟେସନରେ ଯାତ୍ରୀଙ୍କୁ ମିଳିବ ଆଉ ଏକ ସୁବିଧା । ଖୁବଶୀଘ୍ର ରେଳ ଷ୍ଟେସନରେ ବି ପାନ କାର୍ଡ ଓ ଆଧାର କାର୍ଡ ପାଇଁ ଆବେଦନ କରିପାରିବେ ଯାତ୍ରୀ । ଆଉ ଏହି ସୁବିଧା ଯୋଗାଇ ଦେବାକୁ ରେଳ ଷ୍ଟେସନରେ କିଓସ୍କ ଲଗାଯିବ । ଯାହାର ନାଁ ରହିବ ରେଳୱାୟାର ସାଥୀ କିଓସ୍କ । ପ୍ରଥମ ପର୍ଯ୍ୟାୟରେ ଦେଶର ୨୦୦ ରେଳ ଷ୍ଟେସନରେ ଏହି ସୁବିଧା ଉପଲବ୍ଧ କରାଯିବ ।

Advertisment

କେବଳ ଏତିକି ନୁହେଁ ଯାତ୍ରୀଙ୍କୁ ବିଦ୍ୟୁତ୍ ବିଲ ପୈଠ ଓ ମୋବାଇଲ ରିଚାର୍ଜର ସୁବିଧା ମଧ୍ୟ ଏହି ସବୁ ଷ୍ଟେସନରେ ଯୋଗାଇ ଦିଆଯିବ । ଏବେ ଉତ୍ତର-ପୂର୍ବ ରେଳୱେର ୨ ଷ୍ଟେସନରେ ଏହି ସୁବିଧା ଆରମ୍ଭ ହୋଇଛି । ଖୁବଶୀଘ୍ର ଅନ୍ୟ ଷ୍ଟେସନରେ ମଧ୍ୟ ଏହି ସୁବିଧା ଉପଲବ୍ଧ କରାଯିବ ।

ଦେଶର ୨୦୦ଟି ଷ୍ଟେସନରେ ଏବେ ରେଳଟେଲ ଅଭିଯାନ ଅନୁଯାୟୀ, କମନ ସର୍ଭିସ ସେଣ୍ଟର କିଓସ୍କ ବସାଯିବ । ପ୍ରଥମ ପର୍ଯ୍ୟାୟରେ ବାରଣାସୀ ସିଟି ଓ ପ୍ରୟାଗରାଜ ରାମବାଗ ଷ୍ଟେସନରେ ଏହି କିଓସ୍କ ଲଗାଯାଇଛି । ଅନ୍ୟ ଯେଉଁ ଷ୍ଟେସନରେ ଏହି କିଓସ୍କ ବସାଯିବ ତାହାକୁ ଚିହ୍ନଟ କରାଯାଉଛି । ଏହି କିଓସ୍କରେ ଆୟକର ଦାଖଲର ମଧ୍ୟ ସୁବିଧା ରହିବ । ଏହାବାଦ୍ ଟ୍ରେନ, ବିମାନ ଓ ବସ ପାଇଁ ଟିକେଟ ମଧ୍ୟ ବୁକ୍ କରାଯାଇପାରିବ । ସେହିଭଳି ବ୍ୟାଙ୍କିଙ୍ଗ, ବୀମା ଭଳି ଅନ୍ୟାନ୍ୟ ସୁବିଧା ମଧ୍ୟ ଏହି କିଓସ୍କରେ ଉପଲବ୍ଧ ରହିବ ।