କନକ ବ୍ୟୁରୋ : ଯଦି ଆପଣ ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ କରିନାହାଁନ୍ତି ତେବେ ତେବେ ଶୀଘ୍ର କରାଇନିଅନ୍ତୁ । କାରଣ ଆପଣଙ୍କ ହାତରେ ଆଉ ରହିଲା ଅଳ୍ପ କେଇଟା ଦିନ । ଜୁନ ୩୦ ତାରିଖକୁ ଆଧାର ସହ ପାନ୍ କାର୍ଡ ଲିଙ୍କ କରିବାର ଶେଷ ତାରିଖ ରଖାଯାଇଛି । ଯଦି ଏହି ନିର୍ଦ୍ଦାରିତ ତାରିଖ ଭିତରେ ଆପଣ ଆପଣଙ୍କ ପାନକାର୍ଡକୁ ଆଧାର ସହ ଲିଙ୍କ ନକରନ୍ତି ତେବେ ଆପଣଙ୍କ ପାନକାର୍ଡ ଅଚଳ ହୋଇଯିବ । ଆଉ ଏହି ପାନକାର୍ଡକୁ ବ୍ୟବହାର କଲେ ଆପଣଙ୍କୁ ୧ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ।

Advertisment

ପାନ୍ ସହ ଆଧାର ଲିଙ୍କ କରିବାର ଶେଷ ତାରିଖ ୫ ବର୍ଷ ମଧ୍ୟରେ ୧୫ ଥର ଘୁଞ୍ଚାଯାଇଛି । ୨୦୧୭ ମସିହା ଜୁଲାଇ ୧ ତାରିଖରେ ପ୍ରଥମେ ଧାର୍ଯ୍ୟ କରାଯାଇଥିଲା ଯେ ପାନ୍ ସହ ଆଧାର ଲିଙ୍କ ଜରୁରୀ ବୋଲି । ଏହାପରେ ଏହି ତାରିଖ ଘୁଞ୍ଚି ଘୁଞ୍ଚି ୨୦୨୩ ଜୁନ ୩୦ ତାରିଖକୁ ଆସିଛି । ତେବେ ଏହି ତାରିଖରେ ଆଉ ପରିବର୍ତ୍ତନ ହୋଇନପାରେ ବୋଲି କୁହାଯାଇଛି । ତେଣୁ ଏହି ସମୟ ଭିତରେ ପାନ୍ ସହ ଆଧାର ଲିଙ୍କ କରାଇ ନିଅନ୍ତୁ ।

ଇନକମ ଟ୍ୟାକ୍ସର ଧାରା ୧୯୬୧ ଅନୁସାରେ ପାନକାର୍ଡକୁ ଆଧାରକାର୍ଡରେ ଲିଙ୍କ କରିବା ବାଧ୍ୟତାମୂଳକ ଅଟେ । ଏମିତି ନକଲେ ଆପଣଙ୍କୁ ଜରିମାନା ଦେବାକୁ ହେବ । ପାନ୍-ଆଧାର ଲିଙ୍କ ବିନା ଆପଣଙ୍କ ଅନେକ କାମ ଅଟକିଯାଇପାରେ । ତେଣୁ ଡେରି ନକରି କେଇମିନିଟ ଭିତରେ ଆପଣ ସହଜରେ ଆପଣଙ୍କ ପାନକାର୍ଡକୁ ଆଧାର ସହ ଲିଙ୍କ କରିପାରିବେ । ଏଥିପାଇଁ ଅନଲାଇନ ଅପ୍ସନ ଅଛି ଯେଉଁଠି କିଛି ଷ୍ଟେପ ଫଲୋ କରି ଆପଣ ଏହା କରିପାରିବେ ।

-ଅନଲାଇନରେ ପାନକାର୍ଡ ସହ ଆଧାର ଲିଙ୍କ ପାଇଁ ପ୍ରଥମେ ଆପଣଙ୍କୁ ଇନକମ ଟ୍ୟାକ୍ସର ଇ-ଫିଲିଙ୍ଗ ୱେବସାଇଟକୁ ଯିବାକୁ ହେବ ।
-ଫର୍ମରେ ନିଜର ଆଧାର ଓ ପ୍ୟାନ ନମ୍ବର ଦେବାକୁ ହେବ
-ପରେ ଆପଣଙ୍କ ନାଁ ପୂରଣ କରିବେ, ଯାହା ଆଧାରକାର୍ଡରେ ଉଲ୍ଲେଖ ଥିବ ।
-ଆପଣଙ୍କ ଆଧାରକାର୍ଡରେ ଯଦି କେବଳ ଜନ୍ମବର୍ଷ ଉଲ୍ଲେଖ ଥିବ ତେବେ ଆପଣ ‘ଆଇ ହାଭ ଓନଲି ଇୟର ଅଫ ବାର୍ଥ ଇନ ଆଧାର କାର୍ଡ’ କୁ ସିଲେକ୍ଟ କରିବେ ।
-ଏହାପରେ ଭେରିଫାଇ ପାଇଁ ଫଟୋରେ ଦିଆଯାଇଥିବା କ୍ୟାପଚାକୁ ପୂରଣ କରିବେ ଆଉ ଲିଙ୍କ ଆଧାର ଉପରେ କ୍ଲିକ କରିବେ ।
-ଶେଷରେ ଆପଣଙ୍କ ଫୋନକୁ ମେସେଜ ଆସିବ ଯେ ଆପଣଙ୍କ ପାନକାର୍ଡ ଆଧାରକାର୍ଡ ସଫଳତାପୂର୍ଣ୍ଣ ଲିଙ୍କ ହୋଇଯାଇଛି ।

ଯଦି ଆପଣ ଆପଣଙ୍କ ପ୍ୟାନକାର୍ଡ ସହ ଆଧାର ଲିଙ୍କ ନକରନ୍ତି ତେବେ ଆପଣଙ୍କ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଯେମିତିକି ଆପଣଙ୍କ ଇନକମ ଟ୍ୟାକ୍ସ ରିଟର୍ଣ୍ଣରେ ଅସୁବିଧା ହେବ । ଯଦି ବ୍ୟାଙ୍କରୁ ଆପଣ ୫୦ ହଜାରରୁ ଅଧିକ ଟଙ୍କା ଉଠାନ୍ତି ତେବେ ପ୍ୟାନ ସହ ଆଧାର ଲିଙ୍କ ହେବା ଜରୁରୀ ପଡିଥାଏ । ତେଣୁ ଏହି ଭଳି ଭାବେ ଘରେ ବସି ଆପଣ ସହଜରେ ପାନକାର୍ଡ ସହ ଆଧାରକାର୍ଡକୁ ଲିଙ୍କ କରିପାରିବେ ।