ପାନ୍-ଆଧାର ଲିଙ୍କ୍ ଅବଧି ୩ ମାସ ବଢିଲା । ସେପ୍ଟେମ୍ବର ୩୦ ମଧ୍ୟରେ ପାନ୍ ସହ କରନ୍ତୁ ଆଧାର ଲିଙ୍କ୍, ନହେଲେ ଗଣିବାକୁ ପଡିପାରେ ଜରିମାନା ।
କନକ ବ୍ୟୁରୋ : କେନ୍ଦ୍ର ସରକାର ପୁଣି ଥରେ ପାନ୍ ସହ ଆଧାର ଲିଙ୍କ୍ କରିବାର ଅବଧିକୁ ବଢ଼ାଇଛନ୍ତି। ଏହି ମହଲତକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ପାନ୍ ସହ ଆଧାର ଲିଙ୍କ୍ କରିବାର ଶେଷ ତାରିଖ ଜୁନ୍ ୩୦ ଥିଲା। କରୋନା ମହାମାରୀର ଦ୍ୱିତୀୟ ଲହର ପାଇଁ ସୃଷ୍ଟି ହୋଇଥିବା ବିଭ୍ରାଟକୁ ନଜରରେ ରଖି ପୁଣି ଥରେ ଏହି ମହଲତ ବୃଦ୍ଧି କରାଯାଇଛି। ମହାମାରୀ ପ୍ରଭାବ ପାଇଁ ଏହି ସମୟ ସୀମା ତିନି ଥର ବଢ଼ିସାଲାଣି। ପ୍ରଥମେ ୨୦୨୦ ମାର୍ଚ୍ଚ ୩୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ, ଏହା ପରେ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଓ ପୁଣି ଥରେ ତାହାକୁ ୨୦୨୧ ଜୁନ୍ ୩୦ ପର୍ଯ୍ୟନ୍ତବୃଦ୍ଧି କରାଯାଇଥିଲା। ମହାମାରୀ ପ୍ରଭାବ ପାଇଁ ଚତୁର୍ଥ ଥର ଲାଗି ଏହି ସମୟ ସୀମା ବଢ଼ିଛି। ଯେଉଁ ଟିକସଦାତାମାନେ ନିଜ ପାନ୍ ସହ ଆଧାର ଲିଙ୍କ୍ କରାଇନାହାନ୍ତି ସେମାନଙ୍କ ପାଇଁ ଏହା ଆଶ୍ବସ୍ତିଭରା ଖବର।
Kanak News is now on WhatsApp
Join and get latest news updates delivered to you via WhatsApp
ଟିକସଦାତାମାନେ ମନେ ରଖିବା ଦରକାର ଯେ ଯଦି ନିର୍ଧାରିତ ସମୟ ଭିତରେ ପାନ୍ ସହ ଆଧାର ଲିଙ୍କ୍ ନହେବ ତେବେ କେବଳ ପାନ୍ ଅଚଳ ହେବ ନାହିଁ, ଏହି ଭୁଲ ପାଇଁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ମଧ୍ୟ ପଡ଼ିବ। ଏଭଳି ମାମଲାରେ ଜରିମାନା ଲଗାଇବା ପାଇଁ ଆୟକର ନିୟମ, ୧୯୬୧ରେ ଧାରା ୨୩୪ (ଏଚ୍) ସାମିଲ କରାଯାଇଛି। ୨୦୨୧ ଅର୍ଥ ବିଲ୍ ମଞ୍ଜୁର କରିବା ସମୟରେ ସରକାର ଏହି ନୂଆ ଧାରା ଯୋଡ଼ିଛନ୍ତି। ଯଦି ପାନ୍ ନିଷ୍କ୍ରିୟ ହୋଇଯିବ ତେବେ ଯେଉଁ ସବୁ ଆର୍ଥିକ କାରବାର ଲାଗି ପାନ୍ ବାଧ୍ୟତାମୂଳକ କରାଯାଇଛି ସେହି ସବୁ କାମ କରିବାରେ ଟିକସଦାତା ଜଣକ ଅସୁବିଧା ସାମ୍ନା କରିବେ। ନିଷ୍କ୍ରିୟ ହୋଇଥିବା ପାନ୍ ସହ ଆଧାର କାର୍ଡ ଲିଙ୍କ୍ କରିବା ପରେ ତାହା ପୁଣି ସକ୍ରିୟ ହୋଇପାରିବ। ଅନେକ ପ୍ରକାର ଆର୍ଥିକ କାରବାର ପାଇଁ ସରକାର ଆଧାରକୁ ବାଧ୍ୟତାମୂଳକ କରିଛନ୍ତି। ଆୟକର ରିଟର୍ଣ୍ଣ ଦାଖଲ କରିବା, ବ୍ୟାଙ୍କ ଖାତା ଖୋଲିବା, ଫିକ୍ସ ଡିପୋଜିଟ୍ ଖାତା ଖୋଲିବା ଆଦି ପାଇଁ ପାନକୁ ବାଧ୍ୟତାମୂଳକ କରାଯାଇଛି।
ଟିକସଦାତାମାନେ ୫୬୭୬୭୮ କିମ୍ବା ୫୬୧୬୧କୁ ଏସଏମଏସ୍ ପଠାଇ କିମ୍ବା ଇ-ଫାଇଲିଂ ୱେବସାଇଟରେ କିମ୍ବା ଯେ କୌଣସି ପାନ୍ ସେବା କେନ୍ଦ୍ର ମାଧ୍ୟମରେ ପାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ୍ କରିପାରିବେ।