କନକ ବ୍ୟୁରୋ : ଓଡ଼ିଶାର ପ୍ରଥମ ସହିଦ ନିରଞ୍ଜନ ଘୋଷ ତାଳଗୁଡ ପ୍ରତିଷ୍ଠାନ । ସହୀଦ ନିରଞ୍ଜନ ଘୋଷଙ୍କ ସ୍ମୃତିରେ ନୀଳକଣ୍ଠ ଦାସ ଓ ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ସାଲେପୁର ବହୁଗ୍ରାମରେ ଏହାର ନିର୍ମାଣ ହୋଇଥିଲା । ବିଶେଷକରି ମହିଳାମାନେ ଏଠାରେ କାର୍ଯ୍ୟକରି ନିଜକୁ ସ୍ୱାବଲମ୍ବି କରିପାରୁଥିଲେ । ତାଳ ଖଜୁରୀ ଗୁଡ଼, ମିଶ୍ରି, ଝାଡୁ, ବ୍ରସ୍ ସହ ନଡିଆ ଖଜୁରୀ ଗୁଡ଼ ଚକଲେଟ ଏଠାରେ ପ୍ରସ୍ତୁତ କରାଯାଉଥିଲା । ଓଡ଼ିଶା ସହ ବାହାର ରାଜ୍ୟର ମଧ୍ୟ ଏଠିକାର ସାମଗ୍ରୀର ଚାହିଦା ଥିଲା । କିନ୍ତୁ ଆଜି ଏହି ତାଳଗୁଡ ପ୍ରତିଷ୍ଠାନ ଅସ୍ତିତ୍ୱ ହରାଇ ସାରିଲାଣି । ଆଗ ଭଳି ଏହି ପ୍ରତିଷ୍ଠାନରେ ଆଉ କାମ ହେଉନାହିଁ । କେଉଁଠି କବାଟ ଉଇ ଖାଇଗଲାଣି ତ କେଉଁଠି ଘର ଭାଙ୍ଗିରୁଜି ଗଲାଣି । ଖାଲି ଫଳକୁ ଝୁଲୁଛି ନହେଲେ ସବୁ ଘରେ ତାଲା ।
ହଜାର ହଜାର କାରିଗର ଏଠାରେ ପୂର୍ବରୁ କାମ କରୁଥିଲେ । କିନ୍ତୁ ପାଉଣା ନମିଳିବା କାରଣରୁ ଧିରେ ଧିରେ କାରିଗରମାନେ ଆଉ କାମ କରିବାକୁ ଆସିଲେ ନାହିଁ । ହାତ ଗଣତି କିଛି କାରିଗର ଏଠାରେ ଏବେ ଖାଲି ଝାଡୁ ଓ ବ୍ରସ ତିଆରି କରୁଛନ୍ତି । ଦିନ ଥିଲା ଏଠାକାର ତାଳଗୁଡରେ ପ୍ରସ୍ତୁତ ଦ୍ରବ୍ୟର ଚାହିଦା ବେଶ ଅଧିକ ଥିଲା । କିନ୍ତୁ ସରକାରଙ୍କ ଆନ୍ତରିକତାର ଅଭାବ ଓ ନିଷ୍କ୍ରିୟତା ଯୋଗୁ ଏହା ଏବେ ରୁଗଣ ଅବସ୍ଥାରେ ପଡିରହିଛି । ସ୍ଥାନୀୟ ବିଧାୟକ ଏହା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।
ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ରୋଜଗାରକ୍ଷମ କରାଯାଉଛି । ଯଦି ସରକାର ଏହି ପ୍ରତିଷ୍ଠାନକୁ ପୁନର୍ବାର କାର୍ଯ୍ୟକ୍ଷମ କରନ୍ତି ତେବେ ମହିଳାମାନେ ରୋଜଗାରକ୍ଷମ ହେବା ସହ ଓଡ଼ିଶାର ପ୍ରଥମ ସହିଦଙ୍କୁ ଉଚିତ୍ ସମ୍ମାନ ମିଳିପାରନ୍ତା ।