ହରିଆଣା ପଲବଲରେ ଶିଶୁଙ୍କୁ ହେଉଛି ରହସ୍ୟମୟ ଜ୍ୱର, ଦୁଇଟି ଗାଁରେ ୨୪ ଶିଶୁଙ୍କ ମୃତ୍ୟୁ

93

କନକ ବ୍ୟୁରୋ : ହରିଆଣା ପଲବଲ ସ୍ଥିତ ହଥୀନ ଅଞ୍ଚଳରେ ରହସ୍ୟମୟ ଜ୍ୱରର ପ୍ରକୋପ ଜାରି ରହିଛି । ଏହି ଜ୍ୱରରେ ଚିଲ୍ଲୀ ଗ୍ରାମରେ ୧୧ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଛୟାଂସା ଗ୍ରାମରେ ଗତ ୧୦ ଦିନ ମଧ୍ୟରେ ୮ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ମୋଟ ଏହି ଜ୍ୱରରେ ସେହି ଅଞ୍ଚଳରେ ୨୪ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ପଲବଲ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ପ୍ରଚେଷ୍ଟା ପରେ ବି ଜଣାପଡିନାହିଁ କି କେଉଁ ଭୂତାଣୁ ପ୍ରଭାବରେ ଏହି ଜ୍ୱର ହେଉଛି ।

ସୂଚନା ମୁତାବକ ହଥୀନ କ୍ଷେତ୍ରରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଗ୍ରାମବାସୀ ଚିକିତ୍ସା ପାଇଁ ପହଂଚିପାରୁ ନାହାଁନ୍ତି । କାରଣ ଏହା ଗ୍ରାମଠାରୁ ଅନେକ ଦୂରରେ ରହିଛି ଓ ଏଠାରେ ପହଂଚିବାକୁ ହେଲେ ଅନେକ ରାସ୍ତା ପାଣି ପାର କରି ଯିବାକୁ ପଡିବ ।

ସ୍ଥାନୀୟ ଅଞ୍ଚଳରେ ଏଭଳି ଜ୍ୱର ଓ ଶିଶୁଙ୍କ ମୃତ୍ୟୁକୁ ନେଇ ଲୋକମାନେ ଭୟଭିତ ହୋଇପଡିଛନ୍ତି । ସ୍ଥାନୀୟ ଲୋକମାନେ କହିଛନ୍ତି କି ଶିଶୁମାନଙ୍କୁ ଏହି ଜ୍ୱର ହେବାର ୨/୩ ଦିନ ମଧ୍ୟରେ ସେମାନଙ୍କର ମୃତ୍ୟୁ ହେଉଛି । ମେଡିକାଲ ନେଲେ ବି ସେଠାରେ ଏହି ଜ୍ୱର ନେଇ କିଛି ସଠିକ ସୂଚନା ମିଳୁନାହିଁ । ଡାକ୍ତରମାନେ ଆନୁମାନିକ ଚିକିତ୍ସା କରୁଛନ୍ତି ।

ଅନ୍ୟପଟେ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଏନେଇ କାର୍ଯ୍ୟାନୁଷ୍ଠାନ ନାମରେ କେବଳ ଯାଂଚ ଚଳାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ କିଛି ପୀଡିତ ଶିଶୁଙ୍କର ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।