ଗାତ ଭିତରେ ଖସିପଡିଥିଲା ବଣୁଆ ହାତୀ : ଜେସିବି ଲଗାଇ ଗାତରୁ ହାତୀକୁ ଉଦ୍ଧାର କଲା ବନ ବିଭାଗ

53

କନକ ବ୍ୟୁରୋ : ଜଙ୍ଗଲର ଏକ ଗାତ ଭିତରେ ଖସିପଡିଥିବା ବଣୁଆ ହାତୀକୁ ଉଦ୍ଧାର କଲା ବନ ବିଭାଗ । ଗ୍ରାମବାସୀଙ୍କ ସହାୟତାରେ ଜେସିବି ଲଗାଇ ଗାତରୁ ହାତୀକୁ ଉଦ୍ଧାର କରିଛନ୍ତି ପାଲଲହଡା ବ୍ଲକ ଖମାର ରେଂଜର ବନକର୍ମଚାରୀ । ପାଲଲହଡା ବ୍ଲକ ଖମାର ରେଞ୍ଜ ଶଙ୍ଖମୁର ପଂଚାୟତର ବେଶଳିୟା ଜଙ୍ଗଲର ଏକ ଗାତରେ ଖସି ପଡିଥିଲା ହାତୀ । ଖାଲ ଭିତରେ ପାଣି ଜମି ଥିବାରୁ ବହୁ ଚେଷ୍ଟା ସତ୍ୱେ ଉପରକୁ ହାତୀ ଆସିନପାରି ଗର୍ଜନ କରୁଥିଲା ।

ପାଟ୍ରୋଲିଂ କରୁଥିବା ଖମାର ବନ ବିଭାଗ କର୍ମଚାରୀ ଏହି ଖବର ପାଇ ରାତିରେ ଜଙ୍ଗଲ ଭିତରକୁ ଯାଇ ଫସିଥିବା ହାତୀକୁ ଠାବ କରିଥିଲେ । ସକାଳେ ଗ୍ରାମବାସୀଙ୍କ ସହାୟତାରେ ଏକ ଜେସିବି ମେସିନ ଜରିଆରେ ଗାତରୁ ହାତୀକୁ ଉଦ୍ଧାର କରିଥିଲେ । ସେପଟେ ଉଦ୍ଧାର ପରେ ଜଙ୍ଗଲକୁ ପଲାଉଥିବା ହାତୀ ଶଙ୍ଖାମୁର ଗାଁ ପାଖ ଜଙ୍ଗଲରେ ମହୁଲ ଗୋଟାଉଥିବା ଦୁଇ ଭାଇ ଭଉଣୀଙ୍କ ଆକ୍ରମଣ କରିଥିବା ଖବର ମିଳିଛି । ଆହତ ଅବସ୍ଥାରେ ଦୁଇ ଭାଇ ଭଉଣୀଙ୍କୁ ଖମାରର ଏକ ଘରୋଇ ନର୍ସିଂ ହୋମରେ ଭର୍ତି କରାଯାଇଛି ।