କନକ ବ୍ୟୁରୋ: କାହାର ହେବ ପାଳଲହଡ଼ା ଆସନ । ପାଳଲହଡ଼ା ବିଧାନସଭା କ୍ଷେତ୍ର ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କ˚ଗ୍ରେସର ଟିକେଟ ଆଶାୟୀମାନେ କସରତ ଆରମ୍ଭ କରି ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ବିଜେଡିରେ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । କାରଣ ପାଳଲହଡ଼ା ହେଉଛି ଧର୍ମେନ୍ଦ୍ରଙ୍କ ନିଜ ନିର୍ବାଚନମଣ୍ଡଳୀ । ୨୦୦୦ ନିର୍ବାଚନରେ ସେ ଏଠାରୁ ନିର୍ବାଚିତ ହୋଇ ପ୍ରଥମ ଥର ବିଧାନସଭାକୁ ଯାଇଥିଲେ । ତେଣୁ ଚଳିତଥର ଧର୍ମେନ୍ଦ୍ରଙ୍କ ନିଷ୍ପତି ବିଜେଡି ଓ କଂଗ୍ରେସର ତୀକ୍ଷ୍ଣ ନଜର ରହିଛି ।
ପୂର୍ବର ଦୁଇଟି ନିର୍ବାଚନକୁ ତର୍ଜମା କଲେ ଜଣାପଡ଼େ ଯେ, ୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରବିନାରାୟଣ ପାଣିଙ୍କଠାରୁ ଧର୍ମେନ୍ଦ୍ର ପ୍ରଧାନ ପରାଜିତ ହୋଇଥିଲେ । ପାଳଲହଡ଼ା ବ୍ଲକର ୨୬ଟି ଓ କଣିହାଁ ବ୍ଲକର ୧୯ଟି ପଞ୍ଚାୟତକୁ ନେଇ ଗଠିତ ପାଳଲହଡ଼ା ବିଧାନସଭା କ୍ଷେତ୍ରରେ ୨୦୧୪ ନିର୍ବାଚନରେ ବିଜେପିର ତିନିଥରିଆ ତାଳଚେର ବିଧାୟକ ମହେଶ ସାହୁ ବିଜେଡି ଟିକେଟରେ ପାଳଲହଡ଼ା ନିର୍ବାଚନ ମଇଦାନକୁ ଓହ୍ଲାଇ ବିଜୟ ତିଳକ ପିନ୍ଧିଥିଲେ ।
ଆଗାମୀ ନିର୍ବାଚନରେ ମଧ୍ୟ ବର୍ତ୍ତମାନର ବିଧାୟକ ମହେଶ ସାହୁଙ୍କୁ ପୁନର୍ବାର ବିଜେଡି ଏଠାରୁ ପ୍ରାର୍ଥୀ କରିବ ବୋଲି କୁହାଯାଉଛି । ନିକଟରେ କେତେକ ଦଳୀୟ ନେତା ତାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଦେଖାଯାଇଥିଲା । ତେବେ ଭାଇରାଲ ହୋଇଥିବା ଏକ ଅଡ଼ିଓ କ୍ଲିପରେ ଅନୁଗୁଳ ଜିଲ୍ଲାର ୫ଜଣ ବିଧାୟକଙ୍କ ମଧ୍ୟରୁ ଟିକେଟ ପାଇବା କ୍ଷେତ୍ରରେ କେବଳ ମହେଶଙ୍କ ସ୍ଥିତି ସୁଦୃଢ଼ ଥିବା ଦର୍ଶାଯାଇଥିଲା। ପୂବର୍ତନ ବିଧାୟକ ରବିନାରାୟଣ ପାଣି, ଜଗମୋହନ ପ୍ରଧାନ, ସୁଦର୍ଶନ ବେହେରା, ସନ୍ଦୀପ ପ୍ରଧାନଙ୍କ ସମେତ ରେଙ୍ଗାଳି ବିସ୍ଥାପିତ ପ୍ରଜାସଂଘର ଉପଦେଷ୍ଟା ଡ. ସନ୍ତୋଷ ଦେହୁରୀ ମଧ୍ୟ ବିଜେଡି ଟିକେଟ ପାଇଁ ଲବି ଚଳାଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ବିଜେଡି ସୁପ୍ରିମୋ କାହାକୁ ଯୋଗ୍ୟ ପ୍ରାର୍ଥୀ ଭାବେ ବାଛିବେ ତାହା ଉପରୁ ପରଦା ଏଯାବତ୍ ଉଠିପାରି ନାହିଁ ।
ଗତ ପଞ୍ଚାୟତ ନିର୍ବାଚନରେ ପାଳଲହଡ଼ା ବିଧାନସଭା କ୍ଷେତ୍ରର ୫ଟି ଜିଲ୍ଲା ପରିଷଦ ଜୋନରୁ ୪ଟି ବିଜେପି ଖାତାକୁ ଯାଇଥିବା ବେଳେ ୨ଟି ପଞ୍ଚାୟତ ସମିତି ଅଧୢକ୍ଷ ପଦ ମଧ୍ୟ ବିଜେପି ଅକ୍ତିଆର କରିଛି । ତେବେ ପାଳଲହଡ଼ା ବିଧାନସଭା ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଏଥର ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚା ଜୋର୍ ଧରିଛି। କିନ୍ତୁ ଧର୍ମେନ୍ଦ୍ର ନିଜେ ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି । ଯଦି ଧର୍ମେନ୍ଦ୍ର ଏଠାରୁ ପ୍ରାର୍ଥୀ ହୁଅନ୍ତି, ତାହେଲେ ଲଢ଼େଇ ଟିକିଏ ଅଲଗା ହେବ । ଏବଂ ଅନ୍ୟ ଦଳ ମଧ୍ୟ ହେଭିୱେଟ ନେତାଙ୍କୁ ପ୍ରାର୍ଥୀ କରାଇବେ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି । ଯଦି ଧର୍ମେନ୍ଦ୍ର ଏଠାରୁ ପ୍ରାର୍ଥୀ ନହୁନ୍ତି ତେବେ ପାଳଲହଡ଼ା ପ˚ଚାୟତ ସମିତି ଅଧ୍ୟକ୍ଷ ମୁକେଶ କୁମାର ପାଳ ଓ ଅଶୋକ ମହାନ୍ତି ବିଜେପି ଟିକେଟ ପାଇଁ ଆଶାୟୀ ରହିଛନ୍ତି।
ସେପଟେ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ସ୍କ୍ରିନିଂ ପରେ ସୁବୋଧ ପାଣି ଓ ସୁବ୍ରତ ଗଡ଼ନାୟକଙ୍କ ନାମ ଏଆଇସିସିକୁ ସୁପାରିସ କରିଥିବା ଭାଇରାଲ ପ୍ରାର୍ଥୀ ତାଲିକାରେ ଦେଖିବାକୁ ମିଳିଥିଲା । ତେବେ ବରିଷ୍ଠ କଂଗ୍ରେସ ନେତା ଫକୀର ମୋହନ ସାମଲ ଟିକେଟ ପାଇଁ ଆଶାବାଦୀ ରହିଛନ୍ତି। ସବୁଠାରୁ ରୋଚକ ବିଷୟ ହେଲା ଯେ, ଉଭୟ ପୁରୁଣା ଓ ନୂଆ ପାଳଲହଡ଼ା ବିଧାନସଭା କ୍ଷେତ୍ରରେ ମୋଟାମୋଟି ଭାବେ ବାହାର ଅଂଚଳର ନେତା ପ୍ରାର୍ଥୀ ହୋଇ ନିର୍ବାଚିତ ହେଉଛନ୍ତି । ତେଣୁ ଆଗାମୀ ନିର୍ବାଚନରେ ତିନି ପ୍ରମୁଖ ଦଳ ମଧ୍ୟରୁ ଯେଉଁ ଦଳ ଏହି ମାଟିର ପୁଅକୁ ଟିକେଟ ଦେବ, ସେହି ଦଳର ପଲା ଭାରି ରହିବ ବୋଲି ଚର୍ଚ୍ଚା ଚାଲିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/PALAHADA.jpg)