ବସନ୍ତର ଛୁଆଁରେ ଫଗୁଣ ଛାତିରେ ଫୁଟିଛି ପଳାଶ ଫୁଲ । ଦେହେ ନାହିଁ ବାସ, ହେଲେ ବାଣ୍ଟୁଥାଏ ହସ ।

345

କନକ ବ୍ୟୁରୋ: ବାଟରେ ଗଲା ବେଳେ ଏ ଫୁଲ ଉପରେ ଆପଣଙ୍କ ଆଖି ପଡିଥିବ । ରାସ୍ତାରେ ଚାଲି ଚାଲି ଯିବା ବେଳେ ବି ବାଟସାରା ବିଞ୍ଚି ହୋଇ ପଡିଥିବା ଫୁଲର ପାଖୁଡା ଉପରେ ଆପଣଙ୍କ ପାଦ ପଡିଥିବ । ନୀଳ ଆକାଶରେ ସତେ କିଏ ନାଲି ଲାଇଟ ଟାଙ୍ଗିଦେଲା ପରି ଦିଶୁଥିବା ଏ ଲାଲ ଟୁକୁଟୁକୁ ଫୁଲକୁ ଦେଖି ଆପଣ କେଇ କ୍ଷଣ ପାଇଁ କେବେ ନା କେବେ କିଛି ଭାବିଥିବେ, ହସିଥିବେ ଆଉ ପରେ ପୁଣି ଭୁଲି ଯାଇଥିବେ । କାରଣ ଜୀବନ ସହ ଯିଏ ଜଡିତ ନୁହେଁ ମଣିଷ ତାକୁ ଭୁଲିଯାଏ । ଏହା ମଣିଷର ସହଜାତ ପ୍ରବୃତି । ଆଉ ପଳାଶ ସେମିତି ଏକ ଫୁଲ ଯିଏ ଭିଡ ଭିତରେ ବି ଅଲୋଡା, ଅସ୍ପୃର୍ଶ୍ୟ, ଅଣଦେଖା ଓ ନିସଙ୍ଗତାର ଜୀବନ କାଟୁଥାଏ ।

ସବୁ ଋତୁର ସ୍ପର୍ଶରେ ନିଜକୁ ବିଭିନ୍ନ ରୂପରେ ସଜେଇଥାଏ ପ୍ରକୃତିରାଣୀ । ସାତଋତୁରେ ସାତ ରଙ୍ଗ ମାଖୁଥିବା ପ୍ରକୃତି ଋତୁରାଜ ବସନ୍ତର ସ୍ପର୍ଶରେ ଅଧିକ ପୁଲକିତ ହୁଏ । ଆଉ ଫଗୁଣରେ ଫୁଟିଥିବା ଫୁଲ ପଳାଶ ମଣିଷକୁ ବିମୋହିତ କରେ । ପଳାଶ- ପ୍ରେମ ପାଇଁ ଉଦିଷ୍ଟ ଫୁଲ ନୁହେଁ କି ପ୍ରଭୁଙ୍କ ପୂଜାରେ ଲାଗି ହେଉଥିବା ସଦ୍ୟ ପ୍ରଷ୍ଫୁଟିତ ପୁଷ୍ପ ନୁହେଁ । ନା କାହାକୁ ଉପହାରରେ ଦେଇହୁଏ ନା ସାଜସଜ୍ଜାରେ ଲଗାଯାଏ । ବାସ୍ନାହୀନ ଫୁଲଟିଏ କିନ୍ତୁ ନିଜ ରୂପ-ରଙ୍ଗ ଓ ସୌନ୍ଦର୍ଯ୍ୟର ଯାଦୁରେ ଅନ୍ୟକୁ ରୋମାଞ୍ଚିତ କରେ । ପଲକେ ଅଟକାଇ ପ୍ରୀତିର ପହିଲି ଚୁମ୍ବନ ଦିଏ ।
ଶୀତର ଶାସ୍ତି ପାଇ ପୃଥିବୀରୁ ପଳାତକ ସାଜିଥିବା ପଳାଶ, ପୁଣି ଫଗୁଣର ପହିଲି ପର୍ବରେ ପ୍ରାଣ ଫେରିପାଏ । ବସନ୍ତର ପ୍ରଥମ ଛୁଆଁରେ ଜୀବନ୍ୟାସ ପାଇ ଫେନ୍ଥା ପେନ୍ଥା ହୋଇ ଫୁଟେ । ଆଉ ତା ଛନଛନ ଯୌବନରେ ମୃଦୁ ମଳୟର ମହୁମାଛି ପରି ଘୁରିବୁଲୁଥାଏ ।

ଶୁଆ ଥଣ୍ଟ ପରି ଦିଶୁଥିବା ଏ ଫୁଲକୁ ଫ୍ଲେମ୍ ଅଫ୍ ଦ ଫରେଷ୍ଟ ବି କୁହାଯାଏ । ଯାହା ବିରହ, ବିଦ୍ରୋହ ବହ୍ନିର ପ୍ରତୀକ ସାଜେ । ଆକାଶ ତଳେ ଏକାଏକା ଏକଲାପଣକୁ ଭୋଗୁଥିବା ପଳାଶ ଯେତେ ଅଲୋଡା ହେଲେ ବି ଫି ବର୍ଷ ଆସେ, ଫୁଟେ ଆଉ ପ୍ରେମର ରଙ୍ଗ ବୁଣି ମାଟିକୁ ଅବିରର ପାଟ ପିନ୍ଧାଏ । ଲେଖକର ଲେଖନୀରେ ଏକ ଆଭିଜାତ୍ୟର ପୁଷ୍ପ ଭାବେ ଗଣା ହେଉଥିବା ପଳାଶ ଚୈତ୍ର ମଙ୍ଗଳବାରରେ ମାଆ ମଙ୍ଗଳାଙ୍କ ପାଖରେ ଲାଗିହୁଏ ।

ଯଦି ପଳାଶ – ଅସ୍ପୃର୍ଶ୍ୟ, ତେବେ ତାକୁ ଫୁଲ କାହିଁକି କହିବା ? କଣ୍ଟାଥିବା ଗୋଲାପ ବଦଳରେ କଣ୍ଟାହୀନ ପଳାଶକୁ କାହିଁକି ପ୍ରେମର ଉପହାର ଭାବି ନଦେବା? ତା ରୂପ ଦେଖି ଯଦି ଆମେ ରାସ୍ତାରେ ଘଡିଏ ଅଟକି ଯାଉଛେ, ଫଟୋ ଉଠାଉଛେ, ସେଲ୍ଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରୁଛେ । ତେବେ କାହିଁକି ଫୁଲକୁ ଅଣଦେଖା କରିବା ? ପଳାଶ ବି ଫୁଲଟିଏ… ପରିଚୟ ପାଇଁ ହକ୍ ମାଗୁଥିବା ନିରବ ବିଦ୍ରୋହୀଟିଏ…