ପୁଣି ଅସଲ ଚେହେରା ଦେଖାଇଲା ପାକିସ୍ତାନ । ସାମ୍ବାଦିକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀକୁ ଜେଲରୁ ମୁକ୍ତ କରି ବିଶ୍ୱ ଦରବାରରେ ନିନ୍ଦିତ

110

କନକ ବ୍ୟୁରୋ : କିଛି ନା କିଛି ଅମାନବୀୟ କାର୍ଯ୍ୟକରି ବାରମ୍ବାର ବିଶ୍ୱଦରବାରରେ ନିନ୍ଦିତ ହେଉଛି ପାକିସ୍ତାନ । ଏଭଳି କାର୍ଯ୍ୟ ମଧ୍ୟରେ ସବୁବେଳେ ପାକିସ୍ତାନ ଉପରେ ଅଭିଯୋଗ ରହୁଛି କି ସେ ଆତଙ୍କବାଦୀଙ୍କୁ ସହାୟତା ଯୋଗାଉଛି । ଏହାର ବି ପ୍ରମାଣ ଦେଇଛି ପାକିସ୍ତାନ । ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନରେ ପୁଣି ଜଣେ କୁଖ୍ୟାତ ଆତଙ୍କବାଦୀ ମୁକ୍ତ କରିଛି । ଜେଲରୁ ଖଲାସ ହୋଇଛି ଆମେରିକା ସାମ୍ବାଦିକଙ୍କ ହତ୍ୟାକାରୀ ତଥା ଭାରତର ମୋଷ୍ଟ ୱାଂଟେଡ ଆତଙ୍କବାଦୀ ଓମାର ସଇଦ ଶେଖ ।

୨୦୦୨ରେ ଆମେରିକା ସାମ୍ବାଦିକ ଡାନିଏଲ ପର୍ଲଙ୍କୁ ଅପହରଣ କରିନେଇଥିଲେ ଆତଙ୍କବାଦୀ । ତାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ଅତି ନୃଶଂସ ଭାବେ ହତ୍ୟା କରିଥିଲେ ପାକିସ୍ତାନୀ ଆତଙ୍କବାଦୀ । ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଓମାର ସଇଦ ଶେଖକୁ ଗିରଫ କରିଥିଲା ପାକିସ୍ତାନ ପୋଲିସ । ତାକୁ ୨୦୦୭ରେ ଫାଶୀ ଦଣ୍ଡାଦେଶ କରାଯାଇଥିଲା । ହେଲେ ଏବେ ତାକୁ ସିନ୍ଧ ପ୍ରଦେଶର ଏକ କୋର୍ଟ କେବଳ ଅପହରଣ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଯେଉଁଥିପାଇଁ ସର୍ବାଧିକ ୭ ବର୍ଷ ଜେଲ ଦଣ୍ଡାଦେଶ ରହିଛି । ଏହି ସଜା ସେ କାଟି ସାରିଥିବାରୁ ତାକୁ ଜେଲରୁ ମୁକ୍ତ କରିବା ପାଇଁ କହିଛନ୍ତି କୋର୍ଟ । ୧୯୯୯ କାନ୍ଦାହାର ବିମାନ ଅପହରଣ ସମୟରେ ଏହି କୁଖ୍ୟାତ ଆତଙ୍କବାଦୀକୁ ଛାଡିଥିଲା ଭରତ । ତେଣୁ ଜେଲରୁ ମୁକୁଳିବା ପରେ ଏହି ମୋଷ୍ଟ ୱାଂଟେଡ ଆତଙ୍କବାଦୀ, ଏବେ ଭାରତ ବିରୋଧୀ ଆତଙ୍କବାଦ କାର୍ଯ୍ୟକଳାପରେ ମାତିଯିବ । ତାକୁ ଜେଲରୁ ମୁକ୍ତ କରିବା ପ୍ରସଙ୍ଗରେ କଡା ଆପତି କରିଛି ନୂଆଦିଲ୍ଲୀ । ସେହପରି ପାକିସ୍ତାନର ଏହି ପଦକ୍ଷେପକୁ ନେଇ ଭୀଷଣ କ୍ଷୁବ୍ଧ ହୋଇଛି ଆମେରିକା । ଜଣେ ଆମେରିକୀୟଙ୍କୁ ହତ୍ୟା କରିଥିବାରୁ ତା ଉପରେ ନଜର ରଖାଯାଇଥିବା କହିଛନ୍ତି ୱାସିଂଟନ୍ । ଏପରିକି ଡାନିଏଲ ପର୍ଲଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ଆମେରିକା ଚେତାଇ ଦେଇଛି ।