INDIA ଲେଖାଥିବା ଜର୍ସି ପିନ୍ଧି ଟି-୨୦ ବିଶ୍ୱକପ ଖେଳିବ ପାକିସ୍ତାନ ଟିମ୍ । ନୂଆ ଜର୍ସିର ଭିଡ଼ିଓ ଛାଡିଲା ପାକିସ୍ତାନ ।

1,676

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ଟି-୨୦ ବିଶ୍ୱକପ । କରୋନା କାରଣରୁ ଏହି ଟୁର୍ଣ୍ଣାମେଣ୍ଟ ଭାରତ ବଦଳରେ ୟୁଏଇ ଓ ଓମାନରେ ହେଉଛି । କିନ୍ତୁ ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିଛି ବିସିସିଆଇ । ଏହି ଟୁର୍ଣ୍ଣାମେଣ୍ଟରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚକୁ ସମସ୍ତେ ଚାହିଁ ରହିଛନ୍ତି । ଉଭୟ ଟିମ୍ ନୂଆ ଜର୍ସି ସହ ମୈଦାନକୁ ଓହ୍ଳାଇବେ । ପୂର୍ବରୁ ଭାରତ ନିଜର ଜର୍ସିର ଭିଡ଼ିଓ ସେୟାର କରିଥିବା ବେଳେ ଏବେ ପାକିସ୍ତାନ ମଧ୍ୟ ନିଜ ନୂଆ ଜର୍ସିର ଭିଡ଼ିଓ ସେୟାର କରିଛନ୍ତି । କିନ୍ତୁ ଏହି ଭିଡ଼ିଓରେ ପାକିସ୍ତାନ ନିଜର ପୂର୍ବ ଭୁଲକୁ ସୁଧାରିଛି । ଅଥାର୍ତ ନୂଆ ଜର୍ସିରେ ଆୟୋଜକ ଭାବେ ଇଣ୍ଡିଆ ନାଁ ରହିଛି । ପୂର୍ବରୁ ପାକିସ୍ତାନ ଜର୍ସିରେ ଆୟୋଜକ ସ୍ଥାନରେ ୟୁଏଇ ଲେଖାଯାଇଥିଲା ।

ଆଇସିସି ନିୟମ ମୁତାବକ, ଆଇସିସି ବ୍ୟାନର ତଳେ ଖେଳାଯାଉଥିବା ସମସ୍ତ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଟିମ୍ ନିଜ ଜର୍ସିର ଡାହାଣ ପାଶ୍ୱର୍ରେ ଟୁର୍ଣ୍ଣାମେଣ୍ଟର ନାଁ ସହ ଆୟୋଜକ ଦେଶର ନାଁ ଲେଖିବାକୁ ବାଧ୍ୟ । ଚଳିତ ଟି-୨୦ ବିଶ୍ୱକପର ଆୟୋଜକ ଭାରତ ହୋଇଥିବାରୁ ପ୍ରତ୍ୟେକ ଦଳର ଜର୍ସିରେ ଆୟୋଜକ ସ୍ଥାନରେ ଭାରତ ନାଁ ଲେଖିରହିବା ଅନିବାର୍ଯ୍ୟ ।

ଏହାପୂର୍ବରୁ ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ଟି-୨୦ ବିଶ୍ୱକପ ପାଇଁ ନୂଆ ଜର୍ସିରେ ଦେଖିବାକୁୂ ମିଳିଥିଲା । କିନ୍ତୁ ଏହି ଜର୍ସିରେ ଆୟୋଜକ ଭାବେ ଭାରତ ବଦଳରେ ୟୁଏଇ ନାଁ ଲେଖାଯାଇଥିଲା । କିନ୍ତୁ ଅନ୍ୟ ଦଳର ଜର୍ସିରେ ଆୟୋଜକ ଭାବେ ଭାରତ ନାଁ ଲେଖାଯାଇଥିଲା । ତେଣୁ ସୋସିଆଲ ମିଡ଼ିଆରେ ପାକିସ୍ତାନ ବୋର୍ଡକୁ ଟ୍ରୋଲ କରାଯିବା ପରେ ନୂଆ ଜର୍ସିରେ ଇଣ୍ଡିଆ ଲେଖିଛି ପିସିବି ।

ଚଳିତ ଟି-୨୦ ବିଶ୍ୱକପରେ ଆସନ୍ତା ୨୪ରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ସହ ଉଭୟ ଦଳ ଟି-୨୦ ବିଶ୍ୱକପରେ ଅଭିଯାନ ଆରମ୍ଭ କରିବେ । ତେବେ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରି ଆସିଛି ଭାରତ । ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ଟି-୨୦ ବିଶ୍ୱକପର ୫ଟି ମୁକାବିଲାରେ ଭାରତ ବାଜି ମାରିଛି । ତେଣୁ ଏହି ଟ୍ରେଣ୍ଡ ବଜାୟ ରଖିବାକୁ ଚାହିଁବ ଭାରତ । ଶେଷଥର ପାଇଁ ୨୦୧୯ ଦିନିକିଆ ବିଶ୍ୱକପରେ ମୁହାଁମୁହିଁ ହୋଇଥିଲେ ଉଭୟ ଦଳ । ସେତେବେଳେ ପାକିସ୍ତାନକୁ ୮୯ ରନରେ ମାତ୍ ଦେଇ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଅପରାଜେୟ ରେକର୍ଡ କାଏମ ରଖିଥିଲା ଭାରତ । ତେଣୁ ଦୀର୍ଘ ୨ ବର୍ଷ ପରେ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ଏକ ହାଇଭୋଲଟେଜ ମୁକାବିଲା ଦେଖିବାକୁ ଚାହିଁ ରହିଛନ୍ତି କ୍ରିକେଟପ୍ରେମୀ ।