ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି । ଦୁଇ ସପ୍ତାହ ମଧ୍ୟରେ ମନ୍ଦିର ମରାମତି ସାରିବାକୁ ସରକାରଙ୍କୁ ନିର୍ଦ୍ଦେଶ 

1,225

କନକ ବ୍ୟୁରୋ : ପାକିସ୍ତାନ ଖୈବର ପଙ୍ଖତୁନଖ୍ୱା ପ୍ରାନ୍ତରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ ପାକିସ୍ତାନ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଦୁଇ ସପ୍ତାହ ବା ୧୫ ଦିନ ଭିତରେ ମନ୍ଦିରର ପୁନରୁଦ୍ଧାର କରିବା ପାଇଁ ସ୍ଥାନୀୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କରକ ଜିଲ୍ଲାର ଟେରି ଗାଁରେ ପରମହଂସ ମହାରାଜ ସମାଧି ସମେତ କ୍ରିଷ୍ଣ ଦ୍ୱାର ମନ୍ଦିରରେ ଗତ ୩୦ତାରିଖ ଦିନ ଭଙ୍ଗାରୁଜା ହୋଇଥିଲା ।

ଗତ ସପ୍ତାହରେ କରାଚିରେ ଏକ ବୈଠକ ସମୟରେ ଏହି ମନ୍ଦିର ଉପରେ ଆକ୍ରମଣ ହୋଇଥିବା ନେଇ ସଂଖ୍ୟାଲଘୁ ଆଇନଜୀବୀ ରମେଶ କୁମାର କୋର୍ଟଙ୍କୁ ଅବଗତ କରିବା ପରେ ପ୍ରଧାନ ବିଚାରପତି ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ମନ୍ଦିରର ମରାମତି କାମ ଆରମ୍ଭ କରିବା ସହ ଦୁଇ ସପ୍ତାହ ମଧ୍ୟରେ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ ମନ୍ଦିର ଆକ୍ରମଣରେ ସମ୍ପୃକ୍ତ ଥିବା ବ୍ୟକ୍ତି ଏଥିପାଇଁ ଅର୍ଥ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଚନ୍ତି ।

ଗତ ବୁଧବାର ଦିନ ଖୈବର ପଙ୍ଖତୁନଖ୍ୱା ପ୍ରାନ୍ତର କରକ ଜିଲ୍ଲାରେ ମୌଲବୀଙ୍କ ନେତୃତ୍ୱରେ ଉତେଜିତ ଲୋକେ ଏକ ବହୁପରାତନ ମନ୍ଦିରକୁ ଭାଙ୍ଗି ଦେଇଥିଲେ । ଶତାଧିକ ଲୋକେ ଏକତ୍ରିତ ହୋଇ ଏହି କାଣ୍ଡ ଭିଆଇଥିଲେ । କେବଳ ଏତିକି ନୁହେଁ ମନ୍ଦିରରେ ନିଆଁ ଲଗାଇଦେଇଥିଲେ । ଏହା ପୂର୍ବରୁ ମଧ୍ୟ ପାକିସ୍ତାନରେ ହିନ୍ଦୁ ମନ୍ଦିରରେ ଆକ୍ରମଣ ହୋଇଛି । ଧର୍ମଗୁରୁ ପରିଷଦର ସୁପାରିଶ କ୍ରମେ ଇସଲାମାବାଦରେ ଏକ ନୂତନ ମନ୍ଦିର ନିର୍ମାଣ କରିବାକୁ ସରକାର ହିନ୍ଦୁ ବାସିନ୍ଦାଙ୍କୁ ଅନୁମତି ଦେବାର ଏକ ସପ୍ତାହ ପରେ ଏହି ଘଟଣା ଘଟିଥିଲା ।