ପାକିସ୍ତାନ ସିନ୍ଧ ବିଧାନସଭାରେ ହଟ୍ଟଗୋଳ : ଲାତ ଓ ମୁଥ ମାଡରେ ଥରିଲା ବିଧାନସଭା ଅଂଚଳ

ଇମ୍ରାନ ଖାନଙ୍କ ଦଳ ସଦସ୍ୟଙ୍କ ଭିତରେ ମାରପିଟର ଭିଡିଓ ଭାଇରାଲ; ଜୀବନ ବଂଚାଇ ଖସି ପଳାଇଲେ ମହିଳା ସାଂସଦ

214

କନକ ବ୍ୟୁରୋ : ପାକିସ୍ତାନ ସିନ୍ଧ ପ୍ରଦେଶର ବିଧାନସଭାରେ ଜୋରଦାର ଗଣ୍ଡଗୋଳ । ମୁଥ ମାଡରୁ ଗୋଇଠା, ଧକ୍କାରେ କମ୍ପିଲା ପୁରା ବିଧାନସଭା । ସ୍ଥିତି ଅତି ଭୟଙ୍କର ହୋଇଯାଇଥିଲା । ଏହି ଗଣ୍ଡଗୋଳ ହୋଇଛି ପାକିସ୍ତାନର ସିନ୍ଧ୍ ବିଧାନସଭା ଭିତରେ । ବିଧାନସଭା ପରିବେଶ ଏତେ ଭୟଙ୍କର ହୋଇଯାଇଥିଲା ଯେ ମହିଳା ସଦସ୍ୟମାନେ ବିଧାନସଭା ଭିତରୁ ଜୀବନ ବଂଚାଇ ଚାଲି ଯାଇଥିଲେ । ପାକିସ୍ତାନର ସିନ୍ଧ ପ୍ରଦେଶର ବିଧାନସଭା ଚାଲିଥିବା ବେଳେ ଏହି ଘଟଣା ଦେଖିବାକୁ ମିଳିଛି ।

ଇମ୍ରାନ୍ ଖାନଙ୍କ ପାର୍ଟି ତେହରିକ୍ ଏ ଇନସାଫର ସଦସ୍ୟଙ୍କ ମଧ୍ୟରେ ଜୋରଦାର ମାରପିଟ୍ ହୋଇଥିଲା । ପରସ୍ପରକୁ ପରସ୍ପର ବିଧା, ଗୋଇଠା, ଲାତ ଓ ମୁଥ ବର୍ଷା କରି ଚାଲିଥିଲେ । ସିନ୍ଧ ବିଧାନସଭା ଭିତରର ଏହି ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେଉଛି । ଏହା ସହିତ ପାକିସ୍ତାନର ଗଣତନ୍ତ୍ରର ଅସଲ ମୁଖା ଖୋଲି ଯାଇଛି । ତେବେ ସିନ୍ଧ ବିଧାନସଭାରେ କାହିଁକି ଘଟିଲା ଏପରି କାଣ୍ଡ । ପାକିସ୍ତାନରେ ସିନେଟ୍ ପାଇଁ ଭୋଟିଂ ହେବାର ଥିଲା । ଇମ୍ରାନ୍ ଖାନଙ୍କ ଦଳର ସମସ୍ତ ବିଧାୟକଙ୍କୁ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ କରିବାକୁ ଦଳର ନିର୍ଦ୍ଦେଶ ରହିଥିଲା ।

ତେବେ ଏତିକି ବେଳେ ଇମ୍ରାନ୍ ଖାନଙ୍କ ପାର୍ଟି ତେହରିକ ଏ ଇନସାଫ ଦଳର ୩ ଜଣ ସଦସ୍ୟ , ନିଜ ଇଛାରେ ଭୋଟ୍ ଦେବାକୁ ଘୋଷଣା କରିଥିଲେ । ବାସ୍ , ଏହା ପରେ ଆରମ୍ଭ ହୋଇଥିଲା କଥା କଟାକଟି । ବିଦ୍ରୋହୀ ୩ ସଦସ୍ୟଙ୍କୁ ଘେରି ଯାଇଥିଲେ ଇମ୍ରାନ ଖାନଙ୍କ ପାର୍ଟିର ଅନ୍ୟ ସଦସ୍ୟମାନେ । ଆଉ ଆରମ୍ଭ ହୋଇଥିଲା ଧକ୍କା ମରାମରି । ମାଡପିଟରେ ବେଶ୍ କିଛି ସମୟ କମ୍ପିଲା ସିନ୍ଧ ବିଧାନସଭା । ଏହି ଗୋଟିଏ ଚିତ୍ର ହିଁ ବୟାନ କରୁଛି ପାକିସ୍ତାନର ଚରିତ୍ର । ପାକିସ୍ତାନରେ କିପରି ଗଣତନ୍ତ୍ର ଚାଲୁଛି ଏହା ହିଁ ବୟାନ କରୁଛି ।

ସିନେଟ୍ ଭୋଟରେ ଇମ୍ରାନ୍ ଖାନଙ୍କ ଦଳକୁ ଅଧିକ ଭୋଟ୍ ମିଳିଛି । ହେଲେ ତାଙ୍କ ଦଳର ହାଫିଜ୍ ସୈଖ ନିଜ ଆସନ ହରାଇଛନ୍ତି । ତାଙ୍କୁ ପୂର୍ବ ପ୍ରଧାନମନ୍ତ୍ରୀ ୟୁସୁଫରାଜ ଗିଲାନୀ ପରାସ୍ତ କରିଛନ୍ତି । ଆଗକୁ ଏହାକୁ ନେଇ ଇମ୍ରାନ୍ ଖାନ୍ ସରକାରଙ୍କୁ ଜାତୀୟ ସଂସଦରେ ବିଶ୍ୱାସମତର ବି ସାମ୍ନା କରିବାକୁ ପଡିପାରେ । କାରଣ ବିରୋଧୀ ଏବେ ଇମ୍ରାନ ଖାନ ସରକାରକୁ ଘେରିସାରିଲେଣି । ଏହା ପାକିସ୍ତାନରେ ଗୃହଯୁଦ୍ଧର ପୂର୍ବାଭାଷ ବୋଲି କୁହାଯାଉଛି ।