କନକ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ କହିଛନ୍ତି ଅର୍ଥ ସହାୟତା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ ସହ ଆଲୋଚନା ଚାଲିଛି । ଆଇଏମଏଫ, ବେଲଆଉଟ୍ ପ୍ୟାକେଜ୍ ସହାୟତା ପାଇଁ ଯେଉଁ ସବୁ ସର୍ତ ରଖିବ ସେ ବିଷୟରେ କଳ୍ପନା ବି ନାହିଁ । ମାତ୍ର ପାକିସ୍ତାନ ପାଖରେ ଆଉ କୌଣସି ଚାରା ନାହିଁ ବୋଲି ପ୍ରଧାନମନ୍ତ୍ରୀ ଶାହାବାଜ କହିଛନ୍ତି । ପାକିସ୍ତାନ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ସମୟରେ ଶାହାବାଜ ସରିଫ କହିଛନ୍ତି –

Advertisment

‘ମୁଁ ବିସ୍ତୃତ ଭାବେ କହିବି ନାହିଁ, ମାତ୍ର ପାକିସ୍ତାନର ସ୍ଥିତି ଯାହା ରହିଛି, ତାହା କଳ୍ପନା ବାହାରେ । ଆଇଏମଏଫ ବେଲ୍ ଆଉଟ୍ ପ୍ୟାକେଜ୍ ପାଇଁ ଯେଉଁ ସବୁ ସର୍ତ୍ତ ରଖିଛି, ତାହା ମଧ୍ୟ କଳ୍ପନା ବାହାରେ । ହେଲେ ଆମକୁ ତାହା ମାନିବାକୁ ପଡିବ ।’

ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ଗୁରୁବାର ସୂଚନା ଦେଇଛି ଯେ, ଦେଶର ବିଦେଶୀ ମୁଦ୍ରା ପାଣ୍ଠି ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଦେଶ ପାଖରେ ଏବେ କେବଳ ୩ ଅରବ ଡଲାର ବିଦେଶୀ ମୁଦ୍ରା ରହିଛି । ବିଶେଷଜ୍ଞଙ୍କ ଅନୁସାରେ ଏତିକି ଟଙ୍କାରେ ମାତ୍ର ୩ ସପ୍ତାହ ହିଁ ଦେଶକୁ ଚଳାଇ ହେବ । ପାକିସ୍ତାନର ଖବରକାଗଜ ‘ଦ ଏକ୍ସପ୍ରେସ ଟ୍ରିବ୍ୟୁନ୍’ର ଏକ ରିପୋର୍ଟ ଅନୁସାରେ ଫେବୃଆରୀ ୨୦୧୪ ପରଠାରୁ ଏବେ ସବୁଠାରୁ ତଳସ୍ତରକୁ ଖସିଛି ପାକିସ୍ତାନର ମୁଦ୍ରା ଭଣ୍ଡାର ।

ପାକିସ୍ତାନକୁ ୭ ଅରବ ଡଲାରର ବେଲଆଉଟ୍ ପ୍ୟାକେଜ୍ ଦେବା ପାଇଁ ଯୋଜନା କରୁଛି ଆଇଏମ୍ଏଫ, ଯାହାକୁ ନେଇ ଅନେକ ସର୍ତ୍ତ ମଧ୍ୟ ରହିଛି । ଆସନ୍ତା ୯ ଫେବୃଆରୀ ସୁଦ୍ଧା ଏହି ସହାୟତାକାରୀ ପ୍ୟାକେଜ୍ ଆଇଏମଏଫ ତରଫରୁ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଏହାଫଳରେ ପାକିସ୍ତାନୀ ମୁଦ୍ରାର ମୂଲ୍ୟ ସର୍ବନିମ୍ନ ସ୍ତରକୁ ଖସିଯାଇଛି ।