ଆତଙ୍କବାଦୀ ହାଫିଜ ସଇଦକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ । ପାକିସ୍ତାନର ଆଣ୍ଟି ଟେରର କୋର୍ଟ କଲେ ଶୁଣାଣି । ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଥିଲା ହାଫିଜ

135

କନକ ବ୍ୟୁରୋ : ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ପାକିସ୍ତାନର ଆଣ୍ଟି ଟେରର କୋର୍ଟ ଏହି ଶୁଣାଣି କରିଛନ୍ତି । ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡିତ ଦୁଇଟି ମାମଲାର ଶୁଣାଣି କରି ଏହି ଦଣ୍ଡାଦେଶ ଦିଆହୋଇଛି । ହାଫିଜଙ୍କ ସହ ଜାଫର ଇକବାଲ, ୟାହିୟା ମୁଜାହିଦ, ଅବଦୁଲ୍ଲ ରହମାନକୁ ମଧ୍ୟ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି ।

ଜୁଲାଇ ୨୦୧୯ରେ ହାଫିଜକୁ ଗିରଫ କରାଯାଇଥିଲା । ଏଯାଏଁ ହାଫିଜ ନାଁରେ ୪ଟି ମାମଲା ରୁଜୁ ହୋଇଛି । ହେଲେ ପୂର୍ବରୁ ମୋଟ ୪୧ଟି ମାମଲା ରହିଥିଲା । ୨୪ଟି ମାମଲାର ଶୁଣାଣି ହୋଇ ସାରିଛି । ବାକି ମାମଲା କୋର୍ଟରେ ବିଚାରଧିନ ଅବସ୍ଥାରେ ରହିଛି । ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା, ଟଙ୍କା ହେରଫେର ଓ ଜମି ଜବରଦଖଲ ଭଳି ମାମଲା ହାଫିଜ ନାଁରେ ରହିଛି ।

ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ପ୍ରତିଷ୍ଠାତା ହେଉଛନ୍ତି ହାଫିଜ । ପାକିସ୍ତାନରେ ସେ ଜମାତ-ଉଦ-ଦା ନାମକ ଏକ ସଂଗଠନ ମଧ୍ୟ ଚଲାନ୍ତି । ୨୦୦୮ ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଥିଲା ହାଫିଜ । ଦୀର୍ଘଦିନ ଦେବ ହାପିଜକୁ ଭାରତ ଖୋଜୁଥିଲା । ଏହାସହ ଆମେରିକା ହାଫିଜ ଉପରେ ୧ କୋଟି ଡଲାରର ପୁରସ୍କାର ଘୋଷଣା କରିଥିଲା ।