ଭାରତ ବିପକ୍ଷ ମ୍ୟାଚ୍ ପାଇଁ ୧୨ ଜଣିଆ ଦଳ ଘୋଷଣା କଲା ପାକିସ୍ତାନ । ଜାଣନ୍ତୁ କାହାକୁ ୧୨ ଜଣିଆ ଟିମରେ ମିଳିଛି ସ୍ଥାନ?

432

କନକ ବ୍ୟୁରୋ : ରବିବାର ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ହାଇଭୋଲଟେଜ ମୁକାବିଲା ଦେଖିବ ପୂରା ବିଶ୍ୱ । ତେବେ ଭାରତ ବିପକ୍ଷ ଏହି ମହାମୁକାବିଲା ପୂର୍ବରୁ ୧୨ ଜଣିଆ ଟିମ୍ ଘୋଷଣା କରିଛି ପାକିସ୍ତାନ । ଆଉ ଏହି ୧୨ ଜଣ ଖେଳାଳୀଙ୍କ ମଧ୍ୟରୁ ଚୂଡାନ୍ତ ଏକାଦଶ ବାଛିବ ପାକିସ୍ତାନ । ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନ ଘୋଷଣା କରିଥିବା ଟିମରେ ସୋଏବ ମଲ୍ଲିକଙ୍କୁ ସ୍ଥାନ ମିଳିଛି । ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ସୋଏବଙ୍କ ଉପରେ ଭରସା କରିଛି ପାକିସ୍ତାନ । ସେହିଭଳି ଦକ୍ଷ ତଥା ଅଭିଜ୍ଞ ଖେଳାଳୀ ମହମ୍ମଦ ହାଫିଜଙ୍କୁ ମଧ୍ୟ ଭାରତ ବିପକ୍ଷ ମ୍ୟାଚ୍ ପାଇଁ ୧୨ ଜଣିଆ ଦଳରେ ସ୍ଥାନ ଦେଇଛି ପାକ୍ ।

ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନ ଘୋଷଣା କରିଥିବା ୧୨ ଜଣିଆ ଟିମରେ ବାବର ଆଜମ ଅଧିନାୟକ ଥିବା ବେଳେ ୫ ଜଣ ବ୍ୟାଟର, ୪ ଜଣ ଅଲରାଉଣ୍ଡର ଓ ୩ ଜଣ ବୋଲରଙ୍କୁ ସାମିଲ କରିଛି । ବାବରଙ୍କ ବ୍ୟତୀତ ଆସିଫ ଅଲ୍ଲୀ, ଫଖର ଜମାନ, ହାଇଦର ଅଲ୍ଲୀ, ମହମ୍ମଦ ରିଜୱାନ, ଇମାଦ ୱାସିମ, ମହମ୍ମଦ ହାଫିଜ, ସାଦବ ଖାନ, ସୋଏବ ମଲ୍ଲିକ, ହ୍ୟାରିସ ରୌଫ୍, ହାସନ ଅଲ୍ଲୀ, ଶାହିନ୍ ଶାହା ଆଫ୍ରିଦିଙ୍କୁ ସାମିଲ କରାଯାଇଛି । ତେବେ ଏହି ୧୨ ଜଣଙ୍କ ମଧ୍ୟରୁ କେଉଁ ଏକାଦଶକୁ ନେଇ ପାକିସ୍ତାନ ପଡିଆକୁ ଓହ୍ଲାଇବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଅନ୍ୟପଟେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ଦଳ ଘୋଷଣା କରିନାହିଁ ଟିମ୍ ଇଣ୍ଡିଆ । ଚୂଡାନ୍ତ ଏକାଦଶରେ କାହାକୁ ସ୍ଥାନ ଦିଆଯିବ ତାହା ଏବେ ବିରାଟଙ୍କ ପାଇଁ ବଡ ଚିନ୍ତାର କାରଣ ପାଲଟିଛି । କାରଣ ଅଭ୍ୟାସ ମ୍ୟାଚ ଖେଳିଥିବା ଅଧିକାଂଶ ଖେଳାଳୀ ଜବରଦସ୍ତ ଫର୍ମରେ ରହିଛନ୍ତି । ସୁପର-୧୨ ରାଉଣ୍ଡରେ ଉଭୟ ଦଳ ପରସ୍ପରକୁ ପ୍ରଥମ ମୁକାବିଲାରେ ଭେଟିବେ । ତେଣୁ ଏହି ମ୍ୟାଚରେ ବିଜୟୀ ହୋଇ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବାକୁ ଚାହିଁବେ ଉଭୟ ଦଳ । କିନ୍ତୁ ପୂର୍ବ ରେକର୍ଡ ଭାରତ ସପକ୍ଷରେ ରହିଛି । ଭାରତ ଏଯାବତ ଟି-୨୦ ବିଶ୍ୱକପରେ ୫ଥର ପାକିସ୍ତାନକୁ ଭେଟିଥିବା ବେଳେ ପ୍ରତିଥର ବାଜିମାତ୍ କରିଛି ।