ଦିଲ୍ଲୀରୁ ଧରାପଡ଼ିଲା ପାକିସ୍ତାନ ଆତଙ୍କବାଦୀ: ଏକେ-୪୭ ଓ ହ୍ୟାଣ୍ଡ ଗ୍ରେନେଡ ସହ ଗିରଫ

106

କନକ ବ୍ୟୁରୋ : ଦିଲ୍ଲୀରୁ ଗିରଫ ହେଲା ପାକିସ୍ତାନୀ ଆତଙ୍କବାଦୀ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଲକ୍ଷ୍ମୀନଗର ଅଂଚଳରୁ ଆତଙ୍କବାଦୀକୁ ଗିରଫ କରିଛି । ଏହି ଆତଙ୍କବାଦୀ ଭାରତୀୟ ନାଗରିକର ଫେକ୍ ଆଇଡି ସହ ରହୁଥିଲା । ଏବଂ ଦିଲ୍ଲୀରେ ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଥିଲା । ଗିରଫ ହେବା ପରେ ତାକୁ ପଚରାଉଚୁରା କରିବା ସହ ତାର କଣ ସବୁ ଯୋଜନା ରହିଥିଲା ସେନେଇ ଅଧିକ ଖୋଳତାଡ କରୁଛି ପୋଲିସ ।

ପରିଚୟ ଲୁଚାଇ ଭୁଲ ପ୍ରମାଣ ପତ୍ର ସହ ଦିଲ୍ଲୀରେ ରହୁଥିବା ପାକିସ୍ତାନୀ ଆତଙ୍କବାଦୀ ଗିରଫ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଲକ୍ଷ୍ମୀନଗର ଅଂଚଳରୁ ଆତଙ୍କବାଦୀକୁ ଗିରଫ କରିଛି । ତାର ନାଁ ମହମ୍ମଦ ଅସରଫ୍ ଓରଫ୍ ଅଲ୍ଲୀ । ଏହି ଆତଙ୍କବାଦୀ ଗତ ୧୫ ବର୍ଷ ଧରି ଦିଲ୍ଲୀରେ ରହି ଆସୁଥିଲା । ତା ନିକଟରୁ ଏକେ-୪୭ ରାଇଫଲ, ହ୍ୟାଣ୍ଡ ଗ୍ରେନେଡ୍, ୫୦ ରାଉଣ୍ଡର ଦୁଇଟି ପିସ୍ତଲ ଜବତ ହୋଇଛି ।

– ଅଲ୍ଲୀକୁ ଆଇଏସ୍ଆଇ ଭାରତରେ ଆକ୍ରମଣ ପାଇଁ ଟ୍ରେନିଂ ଦେଇଥିଲା
– ସେ ଏଠାରେ ‘ସ୍ଲିପର ସେଲ’ ଭଳି କାମ କରୁଥିଲା
– ଦିଲ୍ଲୀରେ ରହି ଅନ୍ୟ ଆତଙ୍କୀଙ୍କୁ ସହୟତା କରୁଥିଲା ଅଲ୍ଲୀ
– ରାଜଧାନୀରେ ବଡ ଧରଣର ଆତଙ୍କୀ ଆକ୍ରମଣର ମଧ୍ୟ ଯୋଜନା କରୁଥିଲା

ଏହି ଆତଙ୍କବାଦୀକୁ ଗିରଫ କରାଯିବା ପରେ ଏବେ ତାକୁ ପଚରାଉଚରା କରାଯାଉଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର ରାତି ୯ଟା ୩୦ରେ ମହମ୍ମଦ ଅସରଫ୍ ଓରଫ୍ ଅଲ୍ଲୀ ନାମକ ଏକ ପାକିସ୍ତାନୀକୁ ଗିରଫ କରାଯାଇଛି । ସେ ଭାରତୀୟ ନାଗରିକ ଭାବେ ରହୁଥିଲା । ନୁରୀ ନାଁରେ ଏକ ଫେକ୍ ଆଇଡି କରିଥିଲା । ଏଥିପାଇଁ ସେ ଜାଲ କାଗଜପତ୍ର ବ୍ୟବହାର କରିଥିଲା । ଦିଲ୍ଲୀରେ ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିବା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସୂଚନା ଦେଇଛି । ଅଲ୍ଲୀକୁ ଗିରଫ କରିବା ପରେ ଦିଲ୍ଲୀ ପଟିଆଲ ହାଉସ କୋର୍ଟରେ ହାଜର କରାଯାଇଛି । କୋର୍ଟ ଶୁଣାଣୀ କରି ଅଲ୍ଲୀକୁ ୧୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି ।

ସୂଚନା ଅନୁସାରେ ଆତଙ୍କୀ ଅଲ୍ଲୀ ବାଙ୍ଗଲାଦେଶ ସୀମା ଦେଇ ଭାରତକୁ ପ୍ରବେଶ କରିଥିଲା । ତା ପାଖରେ ଭାରତୀୟ ପାସପୋର୍ଟ ମଧ୍ୟ ରହିଛି । ସେ ଭାରତରୁ ଦୁବାଇ ଓ ଥାଇଲାଣ୍ଡ ଯାତ୍ରା ମଧ୍ୟ କରିଛି । ଏବେ ଅଲ୍ଲୀକୁ ରିମାଣ୍ଡରେ ନେଇ ଅଧିକ ତଥ୍ୟ ହାସଲ କରିବାକୁ ଯୋଜନା କରୁଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ।