ଭାରତୀୟ ବୁଡାଜାହାଜକୁ ରୋକିବା ନେଇ ଦାବି କଲା ପାକିସ୍ତାନ ନୌସେନା, ଭିଡିଓ କଲା ଜାରି…

184

କନକ ବ୍ୟୁରୋ: ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଏବେ ଫ୍ୟାନ୍ସଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ହେଲେ ଏହାରି ଭିତରେ ପାକିସ୍ତାନୀ ନୌସେନା ଭାରତ ଉପରେ ଲଗାଇଛି ଏକ ଗମ୍ଭୀର ଆରୋପ ।  ପାକିସ୍ତାନ ନୌସେନା ଏକ ଭିଜିଓ ଜାରି କରି କହିଛି, ଭାରତର ଏକ ବୁଡା ଜାହାଜ ପାକିସ୍ତାନର ଜଳକ୍ଷେତ୍ରରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ଯାହାକୁ ପାକିସ୍ତାନ ଚିହ୍ନଟ କରିବା ସହିତ ତାର ରାସ୍ତାକୁ ରୋକିଛି ।

ଇଣ୍ଟର ସର୍ଭିସ୍ ପବ୍ଲିକ୍ ରିଲେସନ୍ସ (ଆଇଏସପିଆର)ର କହିବା ମୁତାବକ, ପାକିସ୍ତାନୀ ନୌସେନା ଭାରତୀୟ ନୌସେନାର ଏକ ବୁଡା ଜାହାଜକୁ ପାକିସ୍ତାନୀ ଜଳକ୍ଷେତ୍ରରେ ପ୍ରବେଶ କରୁଥିବା ଦେଖିବାକୁ ପାଇଥିଲା । ଏହି ସମୟରେ ପାକିସ୍ତାନୀ ନୌସେନା ଏହି ବୁଡାଜାହାଜର ରାସ୍ତାକୁ ରୋକିବା ସହିତ ଏହାକୁ ବାଧା ଦେବାରେ ସକ୍ଷମ ହୋଇଛି । ତେବେ ଏହି ଘଟଣା ଅକ୍ଟୋବର ୧୬ ତାରିଖର ବୋଲି କୁହାଯାଇଛି । ପାକିସ୍ତାନ ନୌସେନା ପକ୍ଷରୁ କୁହାଯାଇଛି ଯେ, ପ୍ରଥମେ ସେମାନେ ଏହି ବୁଡାଜାହାଜକୁ ଟ୍ରାକ୍ କରିଥିଲେ । ଏହାପରେ ତାକୁ ପାକିସ୍ତାନୀ ଜଳକ୍ଷେତ୍ରରେ ପ୍ରବେଶ କରିବାକୁ ରୋକିଥିଲେ । ହେଲେ ଏହା ପ୍ରଥମ ଥର ନୁହେଁ, ଏହାପୂର୍ବରୁ ମଧ୍ୟ ଭାରତୀୟ ନୌସେନା ଦୁଇ ଦୁଇ ଥର ଏଭଳି ଚେଷ୍ଟା କରିସାରିଛି ବୋଲି ପାକିସ୍ତାନ ନୌସେନା ପକ୍ଷରୁ କୁହାଯାଇଛି ।

ପାକିସ୍ତାନୀ ଖବରକାଗଜ ଡନ୍ ମୁତାବକ, ୨୦୧୯ ମସିହା ମାର୍ଚ୍ଚ ମାସରେ ପାକିସ୍ତାନୀ ନୌସେନା ଭାରତର ଏକ ବୁଡାଜାହାଜକୁ ପାକିସ୍ତାନ ଜଳକ୍ଷେତ୍ରରେ ପାଇଥିଲା ।  ହେଲେ ପାକିସ୍ତାନୀ ନୌସେନା ଏହାକୁ ନଷ୍ଟ ନକରି ଶାନ୍ତିପଥ ଆପଣାଇଥିଲା । ତେବେ ସେହି ସମୟରେ ନୌସେନା ପ୍ରବକ୍ତା କହିଥିଲେ ଯେ, ପାକିସ୍ତାନୀ ଜଳକ୍ଷେତ୍ରରେ ପ୍ରବେଶ କରିବା ସମୟରେ ସେମାନେ ଗୋଟିଏ ଭାରତୀୟ ବୁଡାଜାହାଜକୁ ପାଇଛନ୍ତି । ଏଥିପାଇଁ ପାକିସ୍ତାନ ନିଜର ଉନ୍ନତ ଜ୍ଞାନକୌଶଳର ବ୍ୟବହାର କରିଥିଲା । ତେବେ ଏହାପୂର୍ବରୁ ୨୦୧୬ରେ ମଧ୍ୟ ପାକିସ୍ତାନ ଏଭଳି କାମ କରିଦେଖାଇଥିଲା ବୋଲି ପାକିସ୍ତାନୀ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଛି ।

ସଂଯୁକ୍ତ ରାଷ୍ଟ୍ର କନେକ୍ସନର ସମୁଦ୍ର ନିୟମ ମୁତାବକ, କୌଣସି ଦେଶ ଅନ୍ୟ ଦେଶର ବିନା ଅନୁମତିରେ ଅନ୍ୟ ଦେଶର ଜଳକ୍ଷେତ୍ରରେ ପ୍ରବେଶ କରିପାରିବ ନାହିଁ । ତେବେ ଏହି ଘଟଣାରେ ଏଯାବତ ଭାରତୀୟ ନୌସେନା କୌଣସି ବିଧିବଦ୍ଧ ଘୋଷଣା କରିନାହି । ତେବେ ଭାରତୀୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପାକିସ୍ତାନର ଏହି ଦାବିକୁ ଭାରତ ଖାରଜ କରିଛି ।