ଇସଲାମାବାଦରେ କୃଷ୍ଣ ମନ୍ଦିରକୁ ନେଇ ବିବାଦ : ସଭାରେ ମୌଲାନା ଦେଲେ ଧମକ । ମନ୍ଦିର ତିଆରି କଲେ କଟିବ ମୁଣ୍ଡ , କୁକୁର ଖାଇବେ କଟାମୁଣ୍ଡ

1,983

ପାକିସ୍ତାନ ଇସଲାମାବାଦରେ ପ୍ରଥମଥର ପାଇଁ ହିନ୍ଦୁ ମନ୍ଦିର ତିଆରିକୁ ନେଇ ଏବେ ଖୋଲାଖୋଲି ଧମକ ଦେବା ଆରମ୍ଭ କରିଦେଇଛନ୍ତି କଟ୍ଟରପନ୍ଥୀ । ପାକିସ୍ତାନ ଧାର୍ମିକ ସଭାରେ କିଛି ମୌଲାନା କୃଷ୍ଣ ମନ୍ଦିର ତିଆରିକୁ ନେଇ ଲୋକଙ୍କ ମଧ୍ୟରେ ହିଂସାଭାବ ଜାଗ୍ରତ କରୁଥିବା ଦେଖାଯାଉଛି । ପାକିସ୍ତାନ ଲେଖକ ତଥା ଆଲୋଚକ ତାରିକ୍ ଫତେହ ଏଭଳି ଜଣେ ମୌଲାନାଙ୍କ ଭିଡିଓ ଟ୍ୱିଟ୍ କରିଛନ୍ତି । ଭିଡ଼ିଓରେ ପାକ୍ ରେ ମନ୍ଦିର ପ୍ରସ୍ତୁତ ହେଲେ ମୁଣ୍ଡକାଟିଦେବାର ଧମକ ଦେଉଛନ୍ତି ମୌଲାନା । ସୂଚନାଯୋଗ୍ୟ ଯେ , କଟ୍ଟରପନ୍ଥୀଙ୍କ ବିରୋଧ ଆଗରେ ପାକ୍ ସରକାର କୃଷ୍ଣ ମନ୍ଦିର ପ୍ରସ୍ତୁତ କରିବାର ନିଷ୍ପତ୍ତିକୁ ଫେରାଇ ନେଇଛନ୍ତି । ଲେଖକ ଜଣକ ଯେଉଁ ଭିଡ଼ିଓ ପୋଷ୍ଟ୍ କରିଛନ୍ତି , ସେଥିରେ ଧାର୍ମିକ ସଭାରେ ଜଣେ ମୌଲାନା ଧମକ ଦେଇ କହୁଛି , “ ଇସଲାମାବାଦରେ ହିନ୍ଦୁ ମନ୍ଦିରକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡକାଟି ଦିଆଯିବ । କଟାମୁଣ୍ଡକୁ ମନ୍ଦିରରେ ରଖାଯିବ ଏବଂ କୁକୁରଙ୍କୁ ଖାଇବାକୁ ଦିଆଯିବ । ଚାନ୍ଦା ଏକାଠି କରି ପାକିସ୍ତାନରେ ମସଜିଦ୍ ତିଆରି ହେଉଥିବା ବେଳେ କୃଷ୍ଣ ମନ୍ଦିର ସରକାରଙ୍କ ଖଜଣାରୁ ପ୍ରସ୍ତୁତ ହେବ ଏହାକୁ ଇସଲାମ୍ ଗ୍ରହଣ କରିବ ନାହିଁ ।”

ତେବେ କୃଷ୍ଣ ମନ୍ଦିର ପ୍ରସ୍ତୁତି ଉପରେ ରୋକ ଲାଗିବା ପରେ ବି କଟ୍ଟରପନ୍ଥୀମାନେ ମନ୍ଦିରର ଜମି ଉପରେ ଆଜାନ୍ ଦେଇଛନ୍ତି । ମୌଲାନାଙ୍କ ଆଦେଶରେ କିଛି ଲୋକ ମନ୍ଦିରର ଇଟା , କାନ୍ଥକୁ ମଧ୍ୟ ଭାଙ୍ଗିଦେଇଛନ୍ତି । ଆପଣଙ୍କୁ କହିରଖୁଛୁ , ପାକିସ୍ତାନରେ କୃଷ୍ଣ ମନ୍ଦିରର ନିର୍ମାଣ କ୍ୟାପିଟାଲ୍ ଡ଼େଭଲପମେଣ୍ଟ୍ ଅଥୋରିଟି କରୁଥିଲା । କିନ୍ତୁ ୨ ଦିନ ପୂର୍ବରୁ ହିଁ ମନ୍ଦିର ନିର୍ମାଣ କାମରେ ରୋକ ଲଗାଯାଇଥିଲା । ବର୍ତ୍ତମାନ ସରକାର ଇସଲାମିକ୍ ଆଇଡିଓଲୋଜି କାଉନ୍ସିଲ୍ ସହ କଥାବାର୍ତ୍ତା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଇସଲାମାବାଦରେ ଅଳ୍ପସଂଖ୍ୟକ ହିନ୍ଦୁ କୃଷ୍ଣଙ୍କ ମନ୍ଦିର ପ୍ରସ୍ତୁତ କରିବା ପାଇଁ ବର୍ଷ ବର୍ଷ ଧରି ସରକାରଙ୍କୁ ନେହୁରା ହେଉଥିଲେ । ଏହି ମନ୍ଦିର ଇସଲାମାବାଦର H-9 ଅଞ୍ଚଳରେ ୨୦ ହଜାର ବର୍ଗଫୁଟରେ ପ୍ରସ୍ତୁତ ହେବ ବୋଲି ଆଲୋଚନା ହୋଇଥିଲା । ମନ୍ଦିର ପ୍ରସ୍ତୁତି ବିରୋଧରେ ହାଇକୋର୍ଟରେ ଜଣେ ଓକିଲ ଯାଚିକା ମଧ୍ୟ ଦେଇଥିଲେ । ଯେଉଁଥିରେ କୋର୍ଟଙ୍କ ରାୟ ଅଳ୍ପସଂଖ୍ୟକଙ୍କ ସପକ୍ଷରେ ଥିଲା ।

Comments are closed.