ନ୍ୟୁଜିଲାଣ୍ଡର ସେନା ଯେତିକି, ତାହା ଠାରୁ ଅଧିକ ଯବାନଙ୍କୁ ଆମେ ଖେଳାଳୀଙ୍କ ସୁରକ୍ଷା ପାଇଁ ନିୟୋଜିତ କରିଥିଲୁ । ପାକିସ୍ତାନ ମନ୍ତ୍ରୀ ଦେଲେ ଅଜବ ବୟାନ ।

637

କନକ ବ୍ୟୁରୋ : ସୁରକ୍ଷା କାରଣରୁ ନ୍ୟୁଜିଲାଣ୍ଡ ଓ ପରେ ପରେ ଇଂଲଣ୍ଡ ପାକିସ୍ତାନରେ ସିରିଜ ଖେଳିବାକୁ ମନା କରିବା ପରେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡର ଏଭଳି ନିଷ୍ପତ୍ତି ପାକିସ୍ତାନ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ଯାହାର ଝଲକ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି । ସୋସିଆଲ ମିଡ଼ିଆରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ଟାର୍ଗେଟ କରୁଛନ୍ତି ପାକିସ୍ତାନୀ ପ୍ରଂଶସକ । ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ରାଜନେତା ସମସ୍ତେ ଭିନ୍ନ ଭିନ୍ନ ଢଙ୍ଗରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଉପରେ ବର୍ଷିଛନ୍ତି । ଆଉ ଏସବୁ ଭିତରେ ପାକିସ୍ତାନର ବିବାଦୀୟ ମନ୍ତ୍ରୀ ଭାବେ ଜଣାଶୁଣା ଶେଖ୍ ରସିଦ ମୁହଁ ଖୋଲିଛନ୍ତି ।

ସିରିଜ ବାତିଲ ହେବାକୁ ନେଇ ଶେଖ ନିରାଶ ହେବା ସହ କହିଛନ୍ତି, ଋଷରେ ବିଶ୍ୱବିଦ୍ୟାଳୟରେ ଆକ୍ରମଣ ହେଉଛି, ଆମେରିକାରେ କିଛି ଦିନ ପୂର୍ବେ ଆକ୍ରମଣରେ କିଛି ବ୍ୟକ୍ତି ମରିଥିଲେ ସେହିଭଳି ନ୍ୟୁଜିଲାଣ୍ଡରେ ମଧ୍ୟ ଆକ୍ରମଣ ହେଉଛି । ଏଭଳି ସ୍ଥିତିରେ ମଧ୍ୟ ପାକିସ୍ତାନ ଆସଥିବା ନ୍ୟୁଜିଲାଣ୍ଡ ଖେଳାଳୀଙ୍କ ପାଇଁ ଏତେ ସଂଖ୍ୟାରେ ଯବାନଙ୍କୁ ନିୟୋଜିତ କରାଯାଇଥିଲା ଯେ, ନ୍ୟୁଜିଲାଣ୍ଡର ସମସ୍ତ ସିକ୍ୟୁରିଟି ଫୋର୍ସ ଠାରୁ ମଧ୍ୟ କିଛି କମ ନଥିଲା । ନ୍ୟୁଜିଲାଣ୍ଡକୁ ଯଦି ସୁରକ୍ଷାକୁ ନେଇ ଚିନ୍ତା ଥିଲା ତେବେ ଅଭ୍ୟାସ ମ୍ୟାଚ୍ ସମୟରେ କହିପାରିଥାନ୍ତେ । କିନ୍ତୁ ଏଭଳି କଲାନି ନ୍ୟୁଜିଲାଣ୍ଡ ଟିମ୍ ।

ଏହାସହ ରସିଦ କହିଛନ୍ତି, ନ୍ୟୁଜିଲାଣ୍ଡ ବୋର୍ଡକୁ ସୁରକ୍ଷା ସମ୍ବନ୍ଧୀୟ ମେଲ୍ କେଉଁଠୁ ଆସିଲା ତାହାର ଯାଞ୍ଚ କରୁଛି ପାକିସ୍ତାନ । ଖୁବଶୀଘ୍ର ଏହା ଉପରୁ ପରଦା ହଟିବ । ଏହି ପ୍ରସଙ୍ଗରେ ଭାରତର ମଧ୍ୟ ବଡ ଭୂମିକା ଥାଇପାରେ । ଭାରତ, ଅଷ୍ଟ୍ରେଲିଆ, ଜାପାନ. ଆମେରିକା ନିଜକୁ ସୁପରପାୱାର ବୋଲି ଭାବୁଛନ୍ତି । ଏସବୁ ଭିତରେ ପାକିସ୍ତାନର ସୂଚନା ମନ୍ତ୍ରୀ କହିଛନ୍ତି, ଓକିଲଙ୍କ ସହ ପରାମର୍ଶ କରୁଛି । ସିରିଜ ରଦ୍ଦ ପାଇଁ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିରୋଧରେ କଣ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ସେ ବାବଦରେ ତର୍ଜମା ଚାଲିଛି ।

ଏହାପୂର୍ବରୁ ସୁରକ୍ଷା କାରଣରୁ ପାକିସ୍ତାନରେ ମ୍ୟାଚ୍ ନଖେଳିବା ସହ ସିରିଜ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଟିମ୍ । କାରଣ ନ୍ୟୁଜିଲାଣ୍ଡ ସରକାରଙ୍କୁ ଫାଇଭ ଆଇଜ ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିଥିଲା ଯେ, ପାକିସ୍ତାନରେ ନ୍ୟୁଜିଲାଣ୍ଡ ଟିମ ଉପରେ ସିଧାସଳଖ ଆକ୍ରମଣ ହୋଇପାରେ । ଫାଇଭ ଆଇଜ ଏକ ମିଳିତ ଗୁଇନ୍ଦା ସଂସ୍ଥା । ଯେଉଁଥିରେ କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ୟୁକେ ଓ ଆମେରିକା ସାମିଲ ରହିଛି ।