କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ହାସଲ ପାଇଁ ବିବାହର ପ୍ରଲୋଭନ ଦେଖାଉଥିଲେ ପାକିସ୍ତାନୀ ଯୁବତୀ । ପଢନ୍ତୁ, କେମିତି ଲୁଟୁଥିଲେ ତଥ୍ୟ…

151

କନକ ବ୍ୟୁରୋ: ଡିଆରଡିଓ ତଥ୍ୟ ବଦଳରେ ବିବାହର ପ୍ରତିଶୃତି । ଡିଆରଡିଓ ତଥ୍ୟ ଚୋରୀ ମାମଲାରେ ସାମ୍ନାକୁ ଆସିଛି ଏମିତି ସାଂଘାତିତ ତଥ୍ୟ । ଭିନ୍ନ ଭିନ୍ନ ନାଁରେ ପ୍ରେମର ଜାଲରେ ଫସାଉଥିଲେ ରହସ୍ୟମୟୀ ଯୁବତୀ । କ୍ରାଇମ ବ୍ରାଞ୍ଚର ଜେରା ପରେ ଏଭଳି ସତ ଓଗାଳୁଛନ୍ତି ଅଭିଯୁକ୍ତ ।

ଅଚିହ୍ନା ଯୁବତୀ ଅଭିଯୁକ୍ତମାନଙ୍କ ସହ ଫେସବୁକରେ ଚାଟ କରିବା ପରେ ବିବାହର ମିଛ ଅଫର ଦେଉଥିଲେ । ବିବାହ ଅଫର ପାଇବା ପରେ  ସବୁ କିଛି କରିବାକୁ ପ୍ରସ୍ତୁତ ଥିଲେ ଡିଆରଡିଓର କର୍ମଚାରୀ । ଆଉ ଡିଲ୍ ଅନୁସାରେ ତଥ୍ୟ ଚୋରୀ କରିବାକୁ ଯୋଜନା କରିଥିଲେ ।  ଡିଆରଡିଓ ତଥ୍ୟ ଚୋରୀ ମାମଲାରେ ଗିରଫ ଅଭିଯୁକ୍ତଙ୍କୁ କ୍ରାଇମ ବ୍ରାଞ୍ଚର ଜେରା ପରେ ମିଳିଛି ଏଭଳି ସାଂଘାତିକ ତଥ୍ୟ ।

୨୦୨୦ରେ ଅଭିଯୁକ୍ତମାନଙ୍କ ସହ ଯୋଡି ହୋଇଥିଲେ ରହସ୍ୟମୟୀ ଯୁବତୀ । ସମସ୍ତ ଅଭିଯୁକ୍ତଙ୍କ ସହ ଭିନ୍ନ ଭିନ୍ନ ପରିଚୟରେ କଥା ହେଉଥିଲେ । କେତେବେଳେ ଇଂଲଣ୍ଡରେ କାମ କରୁଥିବା କହି ତ ଆଉ କେତେବେଳେ ମିଜାଇଲରେ ଆଗ୍ରହୀ ଥିବା କହୁଥିଲେ । ପୁଣି କେତେବେଳେ ରାଜସ୍ଥାନରେ ରହି ପ୍ରେସ ଟ୍ରଷ୍ଟ ବ୍ୟୁରୋରେ କାମ କରୁଥିବା କହିଥିଲେ ଯୁବତୀ  ।  ତେବେ ଯୁବତୀ ଜଣକ ଇଂରାଜୀ ଓ ହିନ୍ଦୀ ଭାଷାରେ ଦେଢ ବର୍ଷ ହେଲା ନିୟମିତ ଭାବେ କଥା ହେଉଥିଲେ । ରହସ୍ୟମୟୀ ଯୁବତୀଙ୍କ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଫେସବୁକ ଓ ହ୍ୱାଟ୍ସଅପ କର୍ତ୍ତୃପକ୍ଷଙ୍କ ସହ ଯୋଗଯୋଗ କରୁଛି କ୍ରାଇମବ୍ରାଞ୍ଚ । ଏଥିସହିତ ଯୁବତୀଙ୍କ କଲ ରେକର୍ଡ ମିଳିବା ପରେ ଅଧିକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିବ ।